ଏକାଥରେ ଜଳିଯିବା ପାଇଁ
ଏକାଥରେ ଜଳିଯିବା ପାଇଁ


ଜୁଇ ନିଆଁ ଜଳୁଥିଲା ହୁତୁହୁତୁ
ଏବଂ ତରଳୁଥିଲା ତା'ର ମାଉଁସ ହାଡ଼
ଖୋପଡି ଟା ଜଳିଗଲା ସିନା
ଜଳି ସାରିନଥିଲା ନାଭି ନାଡି।
ସେ ଭାବୁଥିଲା ଏବେ ମରିବ କେମିତି?
କାମ ସାରିନାହିଁ ତ ଫେରିବ କେମିତି?
ପୁଣି ବଞ୍ଚିବ ଭାବୁଭାବୁ
ଖପ କିଣା ଡେଇଁ ପଡିଲା
ଜୁଇ ବାହାରକୁ, ଜୀବନ ଭିତରକୁ।
ଭିତରେ ଜୁଇନିଆଁ ଆଉ ବାହାରେ
କିଛି ଇର୍ଷା ଅବସାଦ ଆରୋପ
ଆଉ କିଛି ବିରହ ବିଳାପର ଧୂଆଁ।
ସବୁ ଆଖିର ଏକାଗ୍ର ଦୃଷ୍ଟି
ଧିରେ ଧିରେ ମଉଳି ଆସୁଥିବା
ନିଆଁ ଆଉ ଆକାଶରେ
ମିଳେଇ ଯାଉଥିବା ଧୂଆଁ ଭିତରେ
ହଜେଇ ଦେଇସାରିଥା'ନ୍ତି ତା'କୁ
ତାର ଆଶା ଆକାଂକ୍ଷା ଆଉ
ବଞ୍ଚିବାର ଇଚ୍ଛାଶକ୍ତି ଟିକକୁ ବି।
ତେବେ ବଞ୍ଚିବ କାହିଁକି?
କା' ପାଇଁ ଭୁତ ଅବା ଖପିସଟିଏ ହୋଇ!
ଲିଭିଲିଭି ଆସୁଥିଲା ନିଆଁ
ପୁଣି ସେ ପଶିଗଲା ଭିତରକୁ
ଫେରିବାର ଆଶା ସବୁ କୁ
ଭସ୍ମୀଭୂତ କରିଦେବା ପାଇଁ;
ଏକାଥରେ ଜଳିଯିବା ପାଇଁ।