STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ସେଇ ରିକ୍ସାବାଲା

ସେଇ ରିକ୍ସାବାଲା

2 mins
0

 ଆଜି ବି ସିଏ ରିକ୍ସା ପେଲୁଛି
 ଦଦରା ପୁରୁଣା ରିକ୍ସା ଖଣ୍ଡେ
ଗଦିର ରେଗଜିନ ସବୁ ଚିରିଗଲା ପରେ
 ପ୍ଲାଷ୍ଟିକ ବୋରି କୁ ଢାଙ୍କିଛି
ନିଜେ ସିଲେଇ କରି ।
ଛତା ଟି ଜାକିଜୁକି ହେଇ ଶୋଇଛି
 ନିଜର ମହତକୁ ଜାବୁଡ଼ି ଧରି ।
ଏତେ ସବୁ ମରାମତି ପରେ ବି
ରିକ୍ସା'ଟା ଚାଲୁଛି କେମିତି କେ'ଜାଣି ;
ଅଟକିନି ଆଜିଯାଏ ,
ଆଉ ସିଏ ବି ଚାଲିଛି
ନ'ଅଟକି ଘୋସାରି ଘସାରି
ନିଜର ଅବଶ ପାଦ ଦି'ଟାକୁ ।
ବେଳେ ବେଳେ ଚେନ୍ ଖସିଯାଏ ,
ଚେନ୍ ଲଗେଇ ହାତ ପୋଛେ
 ବୁଢ଼ାଆଙ୍ଗୁଳି ଟିପରେ ଲାଗିଥିବା,
ନଖ ଭିତର ଯାଏ ପଶିଯାଇଥିବା
ବାକି ଗିରିଜ୍ ଗୁଡାକୁ ମୁଣ୍ଡରେ ରଗଡ଼େ ।
ଟିକିଏ ଚଢ଼ାଣି ରାସ୍ତା ହେଲେ
ଜବାବ ଦେଇଦିଏ ତା ରିକ୍ସାର ଚେନ୍ ।
ପୁରୁଣା କ୍ରାଙ୍କ ଚେନ୍ କୁ ଅଟକେଇ ପାରେନା
କି ଚେନ୍ ଚେଙ୍ଗଖସରା ଦିଏ
 ଜାଣି ପାରେନା ସିଏ ।
ଓହ୍ଲେଇ ଚଢ଼ାଣି ପାର କରେ
ରିକ୍ସାକୁ ଠେଲିଠେଲି
ଏବଂ ନିଜକୁ ପେଲିପେଲି ।
ତା'ର ଗ୍ରାହକ ଗୁଡାକ ବି ଅଜବ ,
 କେତେବେଳେ ସଉଦା କରି
ଫେରୁଥିବା ବୁଢ଼ୀଟିଏ ,
ଅଥବା ଅଟୋ କୁ
 ବେଶୀ ଭଡ଼ା ଦେଇ ପାରୁନଥିବା
ବଜାର ଫେରନ୍ତା କେହି କେହି।
ତା'ର ରେଟ୍ ର କିଛି ଠିକଣା ନଥାଏ
 ଯାହା ଦେଲେ , ଚଳିଯାଏ ତା'ର
 ହଁ , ବହୁତ କମ୍ ହୁଏ ଯଦି
ହାତ ପତେଇ ଠିଆ ହେଇ ରହେ
ଆଉ ଟଙ୍କେ ଦି'ଟଙ୍କା ମିଳିବା ଯାଏ ।
ଆଉ କେଇ'ଟା ଗ୍ରାହକ ବି ତା'ର
ବହୁତ ଅଜବ , ଅଲାଜୁକ ବୋଧେ !
 କିଏ କଣ କହିବ ,କଣ ଭାବିବ
ଧ୍ୟାନ ନଥାଏ ସେମାନଙ୍କର ସେଥିପ୍ରତି ।
ମୋ ଶ୍ରୀମତୀ ବି
 ସେହି ଶ୍ରେଣୀର ଗ୍ରାହକଟିଏ ତା'ର
 ବଜାରରୁ ଫେରିବା ବେଳ ହେଲେ
ସିଏ ଏକୁ ମିଳିଯାଏ କି
ଇଏ ତାକୁ ଖୋଜିନିଏ
 ମୁଁ ଜାଣି ପାରିନି ଏ'ଯାଏ ।
କିନ୍ତୁ ଏ କଥା ନିଶ୍ଚିତ ,
ମୁଁ ଯଦି ସାଥିରେ ନାହିଁ ,
 ସେଇ ରିକ୍ସା ଆଉ ରିକ୍ସାବାଲା
ତା ସାଥିରେ ଥିବେ ।
ପରିବା କିଣା ସରିଗଲା ପରେ
ଝୋଲା ଉଠେଇବା ବେଳକୁ
ହାଜର ହୋଇଯାଏ ସେ ।
ଟଙ୍କାଟିଏ ବି ଅଧିକ ନିଏନା ।
ବଳେଇ ଦେଲେ ବି କହେ ..
ନା ମା' ଚା ପିଏଇ ଦେ ପଛେ
ପଇସା ଦେ'ନା , ବେଶୀ ନେମିନି ।
ସକାଳୁ ରାତି ଆଠ-ନ'ଟା ଯାଏ.....
ଟଙ୍କା ଶହେ କି ଦେଢ଼ଶହ .......
 ତଥାପି ବି ଅଧିକର ଲୋଭ ନାହିଁ ।
ଧନ୍ଦା କରିବା ଜାଣିନାହିଁ ବୋଧେ ;
ଏବେ ବି ସିଏ ରିକ୍ସା ପେଲୁଛି । *^**^**^**^**^**^**^


Rate this content
Log in

Similar oriya poem from Abstract