ସ୍ୱାଧୀନ
ସ୍ୱାଧୀନ
ସ୍ୱାଧୀନ ସ୍ୱାଧୀନ କହନ୍ତି ସ୍ୱାଧୀନ
ସ୍ୱାଧୀନର ମାନେ କ'ଣ
ଯାହାକୁ ପଚାରେ ନୀରବ ରୁହନ୍ତି
ଚାହିଁ ଥାନ୍ତି ପଣ ପଣ ।
କିଏ କହୁଥାନ୍ତି ପରାଧୀନ ଥିଲୁ
ଏବେ ସ୍ୱାଧୀନ ହେଇଛୁ
ନିଜ ହାତେ ନିଜେ ଆଇନ ଗଢିଣ
ନିଜେ ଶାସନ କରୁଛୁ ।
ଶାସନଟା କେମିତି ବୁଝାଇ କୁହ ତ
ମୁଁ ବୁଝି ପାରୁନି ଜମା
ସମ୍ପୂର୍ଣ୍ଣ ସନ୍ଦେହ ଦୂର କରି ଦେବ
ରଖି ବନି ଜମା କମା ।
ଆଗରୁ ଇଂରେଜ କରିଲେ ଶାସନ
ଦେଲେ ଅନେକ ଯାତନା
ନିଜ ଘରେ ଏବେ ନିଜେ ରାଜା ଅଛୁ
ଅଛି ଆମ ମାଲିକାନା ।
ଏଇଟାକୁ ଯଦି ସ୍ୱାଧୀନ କହନ୍ତି
ଯୌଥ ପରିବାର କାହିଁ
ମିଳିମିଶି ପରିବାର ଚଳିବାଟା
ଆଖିକୁ ତ ଦିଶୁ ନାହିଁ ।
ପରିବାର ଭିତରେ ଲାଗଇ ଝଗଡା
ଲାଗେ ଶାଶୁ ବୋହୂ କଳି
ଗୁରୁ ଗୁରୁଜନ କଥାକୁ ସେମାନେ
ପାଦରେ ଦିଅନ୍ତି ଦଳି ।
ମାଲିକାନା ଯଦି ନିଜ ଘରେ ତୁମେ
କାହିଁ ବୃଦ୍ଧାଶ୍ରମ ଏତେ
ଅନାଥ ଆଶ୍ରମେ କୁହ କାହିଁ ପାଇଁ
ଜୀବନ କାଟନ୍ତି କେତେ ?
ବୋହୂ କହୁଅଛି ଅଲଗା ଖାଇବି
ରୋଷେଇ କରିବି ନାହିଁ
ଏଇଟାକୁ ଯେବେ ସ୍ୱାଧୀନ କହୁଛ
କେମିତି ମାନିବି ମୁହିଁ ।
ଇଂରେଜ ତଡିଛୁ ସ୍ୱାଧୀନ ହେଇଛୁ
ଡରୁନୁ ଆମେ କାହାକୁ
ନିର୍ଭୟରେ ଦେଖ ଗାଦିରେ ବସିଛୁ
ଚଳାଉ ଅଛୁ ଦେଶକୁ ।
ଏଇଟାକୁ ଯଦି କହନ୍ତି ସ୍ୱାଧୀନ
କାହିଁ ଚାଲେ ହଣାକଟା
ଦେଶରେ କୋକୁଆ ଭୟ ଖେଳୁ ଅଛି
ହ୍ୱନ୍ତି କେତେ ହଟହଟା ।
ବାହାରକୁ ଗଲେ ଭୟ ଲାଗୁ ଅଛି
ଚୋରୀ ମର୍ଡର ଚାଲୁଛି
ନିରୀହ ଜନତା କଷଣ ଭୋଗନ୍ତି
ସ୍ୱାଧୀନ ଏଇ ହେଇଛି ।
ଗରିବ ଲୋକଟି ଗରିବ ରହୁଛି
ଧନୀ ଉଠେ ଉପରକୁ
ମୁହଁ ଦେଖା ଦେଖି ଏଇ କାରବାର
ବଝାଏ କି ସ୍ୱାଧୀନକୁ ?
ନାରୀ ଜାତି କାହିଁ ନୁହେଁ ସୁରକ୍ଷିତ
ଲାଞ୍ଛନେ କାଟନ୍ତି ଦିନ
କେତେବେଳେ କିଏ କାହାକୁ ମାରୁଛି
ଏଇଟା କ'ଣ ସ୍ୱାଧୀନ ।
ଚାକିରୀ କରୁଛୁ ପଇସା ପାଉଛୁ
ଚଳୁ ଅଛୁ ଆରାମରେ
ଗାଡି ଚଲାଉଛୁ ବିଳାସେ ବୁଲୁଛୁ
ନିଜ ଇଚ୍ଛା ଅନୁସାରେ ।
ଏହାକୁ ସ୍ୱାଧୀନ କିଏ ସେ କହିବ
ସର୍କାର ହାତେ ଲଗାମ
ଯେମିତି ମୋଡନ୍ତି ସେମିତି କରାନ୍ତି
ତୁମକୁ ଦିନ ତମାମ ।
ସରକାର ହାତର ଖେଳନା ଯେ ତୁମେ
ଆମେ ସାଜୁ ପରିବାରେ
କୁହ ତ କାହାର ସ୍ୱାଧୀନ ରହିଲା
ପୁଣି କେବେ କେଉଁଠାରେ ।
ଦେଶ ସିନା ଆମ ସ୍ୱାଧୀନ ହୋଇଲା
ଏବେ ଆମେ ପରାଧୀନ
ହରେଇ ବସିଛୁ ନିଜର ସ୍ୱାଧୀନ
କାଟୁଛୁ ଦୁଃଖେ ଜୀବନ ।
ସ୍ୱାଧୀନ ଏ ଦେଶ କେବେ ହେଇଥିଲା
କେତେ ଯେ ଭୂଲି ଯାଆନ୍ତି
ଜାତୀୟ ପତାକା ନାମ ପଚାରିଲେ
ଭୁଲ୍ ଉତ୍ତର ଦ୍ୟନ୍ତି ।
ସ୍ୱାଧୀନର ସଂଜ୍ଞା କଲେ ନିରୁପଣ
ପ୍ରଶ୍ନ ପରେ ପ୍ରଶ୍ନ ଆସେ
ସ୍ୱାଧୀନ ମାନେଟା ନା ଜାଣି ହୁଏ
ଆଖିରେ କେତେ ସେ ଭାଷେ ।
ସ୍ୱାଧୀନ ହେଇଛୁ କୁହନ୍ତି ସମସ୍ତେ
କାହିଁ ଲାଗେ ପରାଧୀନ
ସେଇ ପ୍ରଶ୍ନବାଚୀ ଗୋଟା ଉଙ୍କି ମାରେ
ସତରେ କଣ ସ୍ୱାଧୀନ ?