STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଅମାନିଆଁ ସମୟକୁ

ଅମାନିଆଁ ସମୟକୁ

1 min
295


ସମୟକୁ ଯେତେ ମିନତି କଲେ ବି

ସେତେ ଅମାନିଆଁ ହେଉଛି ସିଏ,  

ଧରିବା ପାଇଁ ମୁଁ ବଢ଼େଇଲେ ହାତ

ହାତ ପାହାନ୍ତାରୁ ଦୂରେଇ ଯାଏ।।


କାହିଁ କେତେ ଦୂର ଆସି ସାରିଲିଣି

ଲେଉଟିବା ପଥ ଦିଶୁନି ଆଉ,

ଆଗକୁ ବଢିବା ପଣ ଯେ କରିଛି 

ପଛଘୁଞ୍ଚା ପଣ ପାଇବ କାହୁଁ।।


ଘୁଞ୍ଚି ଘୁଞ୍ଚି ଯାଏ ଅସୀମ ଆକାଶ

ଦିଗବଳୟ ରେଖା ବଦଳିଯାଏ,

ଅଟକିନି କେବେ ଅଟକିବ ନାହିଁ

ଚେଇଁଥିବ ଆଖି ଜୀଇଁବା ଯାଏ।।


ଜଟିଳ ପଥକୁ ସାଥି ବି କୁଟିଳ 

ପଦେ ପଦେ ଅପବାଦର କଣ୍ଟା,

ବଢ଼େଇବା ପାଦ ଥାପିବା ଆଗରୁ

କ୍ଷତ ଦେହେ ନାଲି ରକତ ଛିଟା।।


ଖରସ୍ରୋତା ସ୍ରୋତ ହୁଏନା ବିରତ

କେବେ ଧିର କେବେ ପ୍ରଖର ଗତି,

ଅବା କେବେ ଭ୍ରମେ ଭ୍ରମରେ ବିଭ୍ରମେ

ପୁଣି ଅଗ୍ରସରେ ସଙ୍ଗମ ପ୍ରାପ୍ତି।।


ମୃତ୍ୟୁ ନୁହେଁ ଏହା ଅନ୍ତିମ ମିଳନ

ଆତ୍ମା ପରମାତ୍ମା ସଙ୍ଗମ ଗାଥା,

ମରଣ ପରେ ବି କରମ କହିବ

ମର ଶରୀରର ଅମର କଥା।।


ଜଳିଗଲା ପରେ ଦୀପର ସଳିତା

ଉଡ଼ିଯାଏ ସିନା ପାଉଁଶ ହୋଇ

ହେଲେ ଛାଡିଯାଏ ପୋଡ଼ା ଚିହ୍ନ ଚେନେ

ଲିଭା ଦୀପାଳିରେ ଆଲୁଅ ଛାଇ।।


ସମୟର ଅଙ୍କେ ସାମୟୀକ ଛାପ

ଛାର ଜୀବନର ସାର ଏତିକି

ଛାଡ଼ିଥିଲେ ଛାପ କରମ ମହତ

ତାବତ ଜୀବିତ ଯାବତ କ୍ଷିତି।।



Rate this content
Log in

Similar oriya poem from Abstract