ଶୀତ ଆସିଛି ମଧୁପୁରେ
ଶୀତ ଆସିଛି ମଧୁପୁରେ
କିଛି ବର୍ଷ ହେଲା
ଶୀତ ଆସୁଥିଲା
ମଧୁପୁରର ମଧୁ ଭାଈର କବିତାରେ
ମନକୁ ଥରାଇ
ଗୀତ ଗାଇ ଗାଇ
ସେଇ ଶୀତ ସକାଳ ।
ଶୀତ କେଜାଣି କାହିଁକି
କାହା ଉପରେ କରିଥିଲା ଅଭିମାନ
ହୋଇ ଯାଇଥିଲା ସପନ
ହେଲେ ଏଇ ସନ
ପୁଣି କରିଛି ଆଗମନ ।।
ମଧୁପୁର ବଗିଚାରେ
ଅଳସୀ ଫୁଲର ସମ୍ଭାର
କୁହୁଡିଆ ସକାଳକୁ
ଘୋଡେ଼ଇ ହେଇ ଚାଦର
ବିଶିଆ ଲକ୍ଷିଆ ସୁଦେଇ
ନିଆଁ ପୁଅନ୍ତି ଜାଳି ଉହ୍ମେଇ
ସାଥିରେ
ଅଦା ଗୋଲମରିଚ ପକା ଚାହା
ଆଉ କଣ ଦରକାର ଆହା ।।
ସନା ବୋଉ ଓଦା ଲୁଗା ପିନ୍ଧି
ପୋଖରୀ ତୁଠରୁ ଆସୁଛି
ଗୋଡ଼ ଛନ୍ଦି ଛନ୍ଦି
ଆଉ ସନା ଭଉଣୀ ଭାନୁପ୍ରିୟା
ଉଦୟ ଭାନୁଙ୍କୁ ଚାହିଁ
ଚିପି ଚିପି ମାରୁଛି ହାଇ
ସନା ପଡିଛି ବିଛଣାରେ
ଗାଲେଇ ହେଇ ।।
ପାଣି କହୁଛି ମତେ ଛୁଅଁନା
ନଗାଧେଇବାର କର ବାହାନା
ନହେଲେ ଉପସ୍ନାନ କରି
କାମକୁ ଯାଅ ବାହାରି
ନା ନା ପଦାକୁ ଗୋଡ କାଢିବିନି
ଏମିତି ଲାଗୁଛି
ଯେମିତି ଶୀତ ଧରିଛି ତରବାରୀ
ହାରିଯିବି ମୁଁ
ତା ସହ ଯୁଦ୍ଧ କରି
ଓଃ....
ଏ କି ଭାବନା ଆସୁଛି
ଶୀତ ଖୋଜା ପଡୁଥିଲା
ଆଉ ଏବେ ଦେହ ଥରୁଛି
ଖୋଳପାରୁ ବାହାରିବାକୁ ଡର ମାଡୁଛି ।।
ଗୋଧୂଳି ସମୟ ଆସିଲା
ଶୀତ ପୁଣି ଖିଲି ଖିଲି ହସିଲା
ଦେହଟା ଫେରେ ଥରିଲା
ଉଷୁମ ଚାହା ଟୋପେ ମିଳିଗଲେ
ସ୍ଵର୍ଗସୁଖ ମିଳିଲା
ରାତିଟା ଯାକ ଶୀତ
ଘରେ ପଶିବ ପଶିବ ହେଉଛି
ମଧୁ ଭାଈ ରୁମ ହିଟର ଲଗେଇ
ଶୀତ ଉପରେ ଗୀତ ଲେଖୁଛି
ଥିରି ଥିରି ହାତରେ
ଏଇ ବରଷ
ଶୀତ ଆସିଛି ମଧୁପୁରେ ।।
