STORYMIRROR

Padmalaya Mishra

Abstract Romance Others

4  

Padmalaya Mishra

Abstract Romance Others

ନା ତୁମେ ଜମା ପ୍ରେମ କରିନ

ନା ତୁମେ ଜମା ପ୍ରେମ କରିନ

1 min
390


ଫଗୁଣ ଆସିଲେ ଭାରି ମନେ ପଡ ତୁମେ

ଆଉ ତୁମ ପ୍ରେମ 

ହେଲେ ତୁମେ ନୀରବ

ତେଣୁ ମୁଁ ମାପି ପାରିନି ତମ ପ୍ରେମର ଗଭୀରତା

ମୁଁ ସ୍ଵପ୍ନ ରାଇଜେ ବୁଲେ

ଅଦେଖା ଦୋଳିରେ ଝୁଲେ

ତୁମକୁ ଘେରିଛି ବାସ୍ତବତା

ସେଥିପାଇଁ କେବେ ମୁହଁ ଖୋଲିନ

ଭଲ ପାଅ ବୋଲି କହିନ

ମୁଁ ଭାବେ.....

ନା ତୁମେ ଜମା ପ୍ରେମ କରିନ...


ସେଇ ତେଲ ଲୁଣର ସଂସାରେ ସନ୍ତୁଳି

ନିଜକୁ ଅହରହ ଦେଇଛ ଜାଳି

କେବେ କେବେ ମୁଁ କରିଛି କଳି

ଗୁଡେ ଇଆଡୁ ସିଆଡୁ ଦିଏ ଓଗାଳି

ତୁମେ ତଥାପି ଚୁପ୍

ନିର୍ବାକ ନିଶୂନ...

ଆଉ ମୁଁ ଭାବେ...

ନା ତୁମେ ଜମା ପ୍ରେମ କରିନ....


ବାସ୍ ଏତିକି ତ ମୁଁ ଚାହେଁ

ତୁମ ବାହୁବନ୍ଧନରେ ରୁହେ

ବେଳେବେଳେ ଅଭିମାନ କରି କୁହେ

ତଥାପି ତୁମେ ସ୍ଥିତପ୍ରଜ୍ଞ

ଯେମିତି ଅନ୍ତରେ ଚାଲିଛି ଯଜ୍ଞ

ସେସବୁ ଠାରୁ ମୁଁ ଅଜ୍ଞ

କାହିଁକି ନା

ମୁଁ ଦେଖେ ଆକାଶ ବକ୍ଷର ଜହ୍ନ

ତୁମ ସାନିଧ୍ୟ ମୋ ମନ

ନୟନେ ପରିପୂର୍ଣ୍ଣ ସପନ

ଆଉ ତୁମେ....

ସପନଠୁ କୋଶେ ଦୂରେ

ଏଇ ମତୁଆଲା ପୂର୍ଣ୍ଣମୀ ରାତିରେ

ହୃଦୟକୁ ମୋର ହାଣ

ମୁଁ ଭାବେ....

ନା ତୁମେ ଜମା ପ୍ରେମ କରିନ.....


ଅଥଳ ଗଭୀର ମହାସାଗର ତୁମେ

ମୁଁ ଶାନ୍ତ ତଟିନୀ

ତୁମ ନୀରବତାରେ କୂଳ ଲଙ୍ଘେ

ମୋ ଭାବନାର ବନ୍ଧ ଭାଙ୍ଗେ

ରଚୁଥାଏ ଧ୍ଵଂସ ତାଣ୍ଡବ

ତୁମେ କିନ୍ତୁ ହେଉଥାଅ ପ୍ଳାବିତ

ମୋ ଜ୍ଵଳନରେ ଉଲ୍ଲସିତ

କାରଣ...

ଜାଣିଛ ମୁଁ ପୁଣି ଥମିବି

ମୋ ଇଲାକାକୁ ଅପସରି ଯିବି

ଆନନ୍ଦିତ ହେଉଥାଅ ଦେଖି ମୋ ଉଚ୍ଛନ୍ନ

ମୁଁ ଭାବେ....

ନା ତୁମେ ଜମା ପ୍ରେମ କରିନ....


ମୋ ମନରେ ଅସହ୍ୟ ଯନ୍ତ୍ରଣା

ତୁମ ଚିନ୍ତାଧାରା ଟିକେ ଅଲଣା

ମୋ ମନକଥା କି ଅଜଣା

ମୋ ପ୍ରେମର ନାହିଁ ପାଉଣା

ତୁମେ ସବୁ କଥାରେ ମଉନ

ସେଥିପାଇଁ ମୁଁ ଭାବେ...

ନା ତୁମେ ଜମା ପ୍ରେମ କରିନ....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract