STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଆତ୍ମକୈନ୍ଦ୍ରୀକ

ଆତ୍ମକୈନ୍ଦ୍ରୀକ

1 min
425


ଜୀବନ ଯେଉଁଠି ଆତ୍ମକୈନ୍ଦ୍ରୀକ

ମନ ପବନ ଠାରୁ ତୀବ୍ର

ହୃଦୟ ଦୋଳାୟିତ

ସେଠି ସମ୍ପର୍କର ମୂଲ୍ୟ ଅବା କେତେ ?


ସ୍ଵପ୍ନ ବାସ୍ତବ ଠାରୁ ସମ୍ପୂର୍ଣ୍ଣ ଅଲଗା

ଆଶା ହିମାଳୟଠୁ ଉଚ୍ଚତାରେ ଅଧିକା

ଆକାଂକ୍ଷାର ବାରୁଦ ଉପରେ ଛିଡ଼ା ହୋଇ

କେମିତି ଆପଣାର କରିବା କାହାକୁ ?


କେବେ ପଚାରିଛ ଚାତକକୁ

କାହିଁକି ଅପେକ୍ଷା କରିଛି ମେଘକୁ

ମେଘକୁ ପଚାରିଛ 

କାହିଁକି ସେ ମାଟିମନସ୍କା

ମାଟିକୁ କରିଛ କି ପ୍ରଶ୍ନ

ତାର ପ୍ରେମିକ ବିଷୟରେ

ଯାହା ପାଇଁ ସେ ପୂର୍ଣ୍ଣଗର୍ଭା....


ସମୟ ନାହିଁ ଆନମନା ହେବାକୁ

ଭୂ ରୁ ଭୂମା ବିଷୟରେ ଭାବିବାକୁ

ଏୟା କଲେ ମୋର କଣ ଲାଭ

ସେୟା କଲେ କିଛି କ୍ଷତି ହେବନି ତ

ଏମିତି ଭାବନାର ଚକ୍ରବ୍ୟୁହ ରଚିଯାଉ ମନେ

ଏକ ହତାଶାର ଜାଲ

ଯାହା କଳନା କରି ହୁଏନି

ବଳ ବୟସ ଥିବା ଯାଏ ....


ଲୋଭଗ୍ରସ୍ତ ହୃଦୟ

ଦୁଆର କିଳି ଦେଇଛି

ଆପଣାର ମଣିଷ ମାନଙ୍କୁ

ଯାହାକୁ ନେଇ କିଛି ନଥାଇ ବି

ଜୀବନ ହୋଇ ପାରିବ ସୁନ୍ଦର ।


କିନ୍ତୁ ମୁଁ ମୋର ଭଳି ପ୍ରତାରକଙ୍କ

କବଳିତ ଆତ୍ମା

ଚଢୁଥାଏ ଆକାଂକ୍ଷାର ସୋପାନ

ସମୟ କାଢି ନେଉଥାଏ

ତଳର ପ୍ରତ୍ୟେକ ପାହାଚ

ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହେ

ଖିଆଲିପଣ

ଖୋଜେ ଚିହ୍ନା ଚିହ୍ନା ମୁହଁ

ଆତ୍ମକୈନ୍ଦ୍ରୀକ ଖୋଳପାରୁ ବାହାରିଲା ବେଳକୁ

କାଳସର୍ପ ଆଁ ମେଲେଇ ଚାହିଁଥାଏ

ଆଉ କୋକେଇ ବନ୍ଧା ଚାଲିଥାଏ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract