କେମିତି ଭୁଲିବି
କେମିତି ଭୁଲିବି
ଜୀବନ ଦୀପର ସଳିତା ତୁମେ ହେ
ଅସମୟେ ଲିଭିଗଲ
ଘନ ଅନ୍ଧକାର କବଳିତ ପ୍ରାଣ
ଲୁହ ଦେଇ ଚାଲିଗଲ.
ତୁମରି ବିହୁନେ ପ୍ରାଣ ପକ୍ଷୀ ମୋର
ଗୁମୁ୍ରି ଗୁମୁ୍ରି କାନ୍ଦେ
ତୁମରି ସ୍ମୃତିକୁ ପାଥେୟ କରିଣ
ଜୀବନ କାଟେ ବିଷାଦେ.
କିଏ ସେ ବୁଝିବ ମନର ବେଦନା
ହୃଦୟ ତଳର ଦୁଃଖ
ତୁମବିନା ପ୍ରାଣ ହୁଅଇ ଅସ୍ଥିର
ମନରେ ନାହିଁ ମୋ ସୁଖ.
ଆଖିଲୁହ ପିଇ ବଞ୍ଚିଅଛି ମୁହିଁ
କପାଳରେ କର ମାରି
ଯେଉଁ ମାନେ ମୋତେ ଭଲ ପାଉଥିଲେ
ଦେଉଛନ୍ତି ମୁହଁ ମୋଡି.
ଚିନ୍ତାର ପାହାଡ଼ ଲଦି ଦେଇ ମୁଣ୍ଡେ
ତୁମ ବାଟେ ଗଲ ଚାଲି
କିପରି ଚାଲିବି ଏ ଜୀବନ ପଥ
ତପ୍ତ ବୈତରଣୀ ବାଲି.
ଜାଣିଛି ମୁଁ ତୁମେ ଅଫେରା ରାଇଜୁ
କେବେ ବି ଫେରିବ ନାହିଁ
ଆଖି ଲୁହ ସାଥେ ଆୟୁଷ ସାରିବି
ପ୍ରାଣ ପ୍ରିୟ ତୁମ ପାଇଁ.