STORYMIRROR

SUJATA DAS

Abstract

4  

SUJATA DAS

Abstract

ସମ୍ପର୍କ

ସମ୍ପର୍କ

1 min
381


କାଗଜ ଛାତିରେ

   ଲେଖନୀ ମୁନରେ

    ଝରିଯାଏ ଯେଉଁ କଥା

ଦରଦୀ ହୃଦୟ

  ଅଦୃଶ୍ୟ ଯନ୍ତ୍ରଣା

    ଅକୁହା ଗୋପନ ବ୍ୟଥା।

ମାଟି ଭିଜିଯାଏ

  ଶ୍ରାବଣ ବୁନ୍ଦାରେ

    ଭିଜେ ହୃଦୟ ସ୍ପନ୍ଦନ

ରଚିଯାଏ କେତେ

   ଅକୁହା କାହାଣୀ

     ପ୍ରଣୟର ପ୍ରତିଦାନ।

ନୀରବତା ଆଣେ

  ଅୟୁତ ଗଳପ

    ଶବ୍ଦର ପେନ୍ଥାରେ ଛନ୍ଦି

ଲୁହର ପ୍ରାଚୁର୍ଯ୍ୟ

  ଦୁଃଖର ଐଶ୍ୱର୍ଯ୍ୟ

    କବି ହୃଦୟରେ ବନ୍ଦୀ।

ଶବ୍ଦର ବୁନ୍ଦାରେ

   ହୃଦୟ ଭିଜାଏ

     ଭୂମିଠାରୁ ଭୂମା ଯାଏ

ମହକେ ମଳୟ

   ହସ ଲୁହ ସାଥେ

     ପ୍ରକୃତି ବି ଗୀତ ଗାଏ।

ଶୂନ୍ୟ ଗଗନରେ

  ସ୍ୱର୍ଗର ପ୍ରାଚୁର୍ଯ୍ୟ

    ସେଇ ଏକା ପାରେ ଦେଖି

ଅଭିଶପ୍ତ ଯକ୍ଷ୍ୟ 

  ବିରହ କାହାଣୀ

     ମେଘଦୂତ ଅଛି ସାକ୍ଷୀ।

କୁହୁଡି ଧୂଆଁରେ

   ଉଦାସ ହୃଦୟ

     କାହାଣୀକୁ ପାରେ ପଢି

ସାଗର ଢେଉରେ

   ପ୍ରବାଳ ପ୍ରସାଦ

     ନିର୍ବିଘ୍ନରେ ଦିଏ ଗଢି।

ଆକାଶ ସମୁଦ୍ର

  ଚନ୍ଦ୍ର ସୂର୍ଯ୍ୟ ତାରା

    ପକ୍ଷୀ ଫୁଲ ପ୍ରଜାପତି

ପାହାଡ଼ ପଡିଆ

   କୀଟ ତରୁ ଲତା

      ସାଥେ ସମ୍ପର୍କ ଏମିତି।

କବିଟିଏ ବୁଝେ

   ବିଦଗ୍ଧ ମନର

     ଯନ୍ତ୍ରଣାର ଅଭିବ୍ୟକ୍ତି

ଶବ୍ଦର ମଧୁରେ

  ଭରିଦିଏ ମନେ

     ଅସୁମାରୀ ଆତ୍ମତୃପ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract