ପ୍ରତିଶୃତି
ପ୍ରତିଶୃତି
ଭୂମିଠୁଁ ଆକାଶ
ସନ୍ଧ୍ୟାଠୁଁ ପ୍ରକାଶ
ସାକ୍ଷୀ ଥିଲେ ଏକାନ୍ତରେ
ଦେଉଳର ବେଢା
ନାଲି କୃଷ୍ଣଚୂଡ଼ା
ହସୁଥିଲେ ନୀରବରେ l
ଝୁମି ଯାଉଥିଲା
ପବନ ଆନନ୍ଦେ
କୋଇଲିର କୁହୁ ତାନେ
ଚଗଲା ଭଅଁର
କହୁଥିଲା କିଛି
ଅଳସୀ ଫୁଲର କାନେ l
ସାକ୍ଷୀ ଥିଲା ନୀଳ
ଉତ୍ତାଳ ତରଙ୍ଗ
ଦେଖୁଥିଲା ନୀରବରେ
ଜାଣିଥିଲା ବୋଧେ
ପ୍ରତିଶୃତି ଯେତେ
ସ୍ୱାର୍ଥର ଯଜ୍ଞରେ ସରେ l
ଶବ୍ଦ ସବୁ ଯେବେ
ଯୋଡୁଥିଲା ଜହ୍ନ
ପ୍ରୀତିର ଅତର ସିଞ୍ଚି
ଲେଖନୀ ମୁନରେ
କାଗଜ ଛାତିରେ
ପ୍ରଣୟ ପାଖୁଡା ବିଞ୍ଚି l
ଭାବୁଥିଲା ମନ
ଆତ୍ମା ପଞ୍ଚପ୍ରାଣ
ବାସ୍ତବ ଜୀବନ୍ତ ଛବି
ପୃଷ୍ଠା ଓଲଟିଲେ
ଓଲଟେ କାହାଣୀ
କେମିତି ପାରନ୍ତା ଭାବି l
କେବେ ହସୁଥାଏ
ମୁରୁକି ମୁରୁକି
ମୋ ଅବୋଧ ପଣ ଦେଖି
ପ୍ରତିଶୃତି ସବୁ
ରଙ୍ଗ ବଦଳାନ୍ତି
କେମିତି ପାରନ୍ତି ଦେଖି l
ରାତି ବିକିଦେବ
ନିଦକୁ କଣ୍ଟରେ
ଆଖି ପାରିଲାନି ବୁଝି
ନିରୁଦ୍ଧିଷ୍ଟ କାହିଁ
ସେ ଭାବ ଫଳକ
ପ୍ରତାରଣାନଳେ ଜୁଝି l
ଜହ୍ନ ଜାଳିଦେବ
ଜୋଛନାକୁ ଯେବେ
କହିବାର ଅକାରଣ
ଅୟୁତ ଶାମୁକା
ନିଖୋଜ ଯେଉଁଠି
ନଦୀ ଖୋଜେ ସ୍ୱଚ୍ଛ ପ୍ରେମ l
ବଦଳେ ସମୟ
ବଦଳେ ସମ୍ପର୍କ
କାହାଣୀ ବଦଳିଯାଏ
ପ୍ରକୃତି ନିୟମ
ଅଜଣା ଅଦେଖା
କେବେ କିଶ ଘଟିଥାଏ l

