STORYMIRROR

Amarnath Barick

Drama

4  

Amarnath Barick

Drama

ଘରେ ପଶିଛି ଢମଣା

ଘରେ ପଶିଛି ଢମଣା

1 min
284

ପାଚିଲା ବେଲ ଲୋ ମିତଣୀ

ଗଛରେ ପାଚିଲା ବେଲ

ପୁଅ ବାହା କଲି ବୋହୂ ମୁଁ ଆଣିଲି

ହେଲି ବଡ଼ କଲବଲ

ପୁଅ ଥିଲା ମୋର ଭଲ

କଉ ଘର ଝିଅ ଆସିଲା କେଜାଣି

ଭଲରୁ ସେ କଲା ଭେଲ ।


ଫୁଟୁରୁ ଫାଟୁରୁ ନିଇତି ହେଉଛି

କାନ ପାଖରେ ତା' ଭଣି

ଶିଖେଇ ପୁଅକୁ ବାଇଆ କରୁଛି

ଅଲାଜୁକି ବାଇଆଣୀ

କି ଅବା କରୁଛି ଗୁଣି

ଯାହା କରେ ପୁଅ ସବୁ ବିପରୀତ

ବୁଝି ମୁଁ ନପାରେ ପୁଣି ।


ଶାଶୂ ପାଇଁ ପୁଅ ଦିଏ ଭିଟାମିନ

ବାରମାସ କାଳ ସାରା

ଭୋକ ଓପାସରେ ମୁଁ ଏଠି ପଡ଼ିଛି

ଦାନା ନମିଳୁଛି ପରା

ବୋହୂ ଖାଏ ପେଟ ଭରା

ଥରେ ନପଚାରେ ଏ ବୁଢ଼ୀ ଶାଶୂକୁ

ଚାହିଁ ଥାଏ ଦିନ ସାରା ।


ଶଶୁରକୁ ପୁଅ ଦିଏ ନୂଆ ପାଟ

ବଜାରରୁ ବାରହାତି

ବୁଢ଼ା ବାପ ପିନ୍ଧେ ବରଷକ ମଳି

ଫଟା ଗଂଜି ଚିରା ଧୋତି

ଭାବୁଥାଉ ସାରା ରାତି

ପୁଅଟା ଆମର ବଦଳି ଗଲାଣି

ଭୁଲି ହିତାହିତ ମତି ।


ଶାଳୀକୁ ଜଚାଇ ସୁନା ହାର ଦିଏ

କାନକୁ କୁଣ୍ଡଳ ନୋଳି

ଭଉଣିକୁ ରାକ୍ଷୀ ପାଉଣା ମିଳେନି

ଗଳାରେ ନାହିଁ ତା ମାଳି

ଝିଅ ମୋର ହୁଏ ଭାଳି

ଗେଲ ବସରରେ ବଢ଼ିଥିଲା ଦିନେ

ଗୋଟିଏ ସେ ଅଲିଅଳି ।


ବୋହୂ ତା' ଭାଇକୁ ଡକାଇ ଦେଉଛି

ରକମ ଯେ ପାଞ୍ଚ ସାତ

ଛୋଟିଆ ଦିଅର ମାଗିଲେ ଖାଉଛି

ଗୋଇଠା ଥାପଡ଼ ଲାତ

ହାତେ ଧରି ବୋହୂ ବେତ

ପରିବାରଟାକୁ ଶାସନ କରୁଛି

ରଣଚଣ୍ଡୀ ପରି ସେ ତ ।


କାହାକୁ କହିବି ମୋ ବୋହୂ କାହାଣୀ

କହିଲେ କୁଳକୁ ଲାଜ

ଆପଣା ସୁନା ତ ଭେଣ୍ଡି ହୋଇଲା ଲୋ

କପାଳ ପରା ମୋ କଣା

ଘରେ ପଶିଲା ଢମଣା

ମୂଷାଙ୍କୁ ଖାଉଛି ନାଗ ରୂପ ନେଇ

ଉଞ୍ଚୋଉଛି ତା'ର ଫଣା ।


Rate this content
Log in

Similar oriya poem from Drama