STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ସେତୁବନ୍ଧ ପ୍ରତିଷ୍ଠା

ସେତୁବନ୍ଧ ପ୍ରତିଷ୍ଠା

2 mins
460

 


ବନବାସର କାଳେ ସୀତାଙ୍କୁ ହରି

ନେଇଗଲା ରାବଣ ସେ ଦୂରାଚାରୀ ଯେ,

ଠାବ କରି ମାରୁତି ଆଣି ଖବର

ପ୍ରଭୁ ଶ୍ରୀରାମ ପାଶେ ଦେଲେ ତତ୍ପର ଯେ।


ଅଶୋକ ବନେ ମାତା ଅଛନ୍ତି ଶୋକେ

ମଳିନ ରୂପକାନ୍ତି ଭିଜେ ଲୋତକେ ଯେ,

ଅନୁଚର ଜଗନ୍ତି ତାଙ୍କୁ ମୂଲକେ

ଦିବସ ରଜନୀରେ ଅନ୍ଧାର ଆଲୋକେ ଯେ।


କେମନ୍ତେ ଲଙ୍କାପୁରେ ଯିବେ ସକଳେ

ଦିଗନ୍ତ ବିସ୍ତାରିଛି ସମୁଦ୍ର ଜଳେ ଯେ, 

ବିଚାର ବୁଦ୍ଧି କରି ଚଳ ଚଞ୍ଚଳେ 

ସେତୁ ବାନ୍ଧିବେ ବାରେ ଜରୁରୀ କାଳେ ଯେ।


ଶିଳା ଦେହେ ନଳ ଶ୍ରୀରାମ ଲେଖିଣ

ଜଳେ ପକାଇ ଦେଲେ ଯେବେ ତକ୍ଷଣ ଯେ,

ହନୁମାନ ଅଙ୍ଗଦ ବାନର ଗଣ

ଗୁଣ୍ଡୁଚିମୂଷା କଲେ ସେତୁ ନିର୍ମାଣ ଯେ।


ସମୁଦ୍ରେ ସେତୁବନ୍ଧ ହେଲା ସଂପୂର୍ଣ୍ଣ

ପ୍ରତିଷ୍ଠା କରିବାକୁ କଲେ ଚିନ୍ତନ ଯେ,

କିଏ ହେବ ବ୍ରାହ୍ମଣ କରିବ ପୂଜନ

ଥିବ ତା'ର ଶାସ୍ତ୍ରରେ ଅଗାଧ ଜ୍ଞାନ ଯେ।


ଏମନ୍ତେ ସମୟରେ ଆସି ନାରଦ

ବ୍ରାହ୍ମଣ ପ୍ରସଙ୍ଗରେ ବର୍ଣ୍ଣି ବିଶଦ ଯେ

କହିଲେ ମହାଜ୍ଞାନୀ ଜାଣନ୍ତି ବେଦ

ସେ ରାବଣ ବେଦଜ୍ଞ ବ୍ରହ୍ମା ଦାୟାଦ ଯେ।


ଷଡ଼ ଦର୍ଶନ ଚାରି ବେଦେ ଅଭିଜ୍ଞ

ବ୍ରହ୍ମଜ୍ଞାନୀ ବେଦାନ୍ତି ଶାସ୍ତ୍ରୀୟ ପ୍ରଜ୍ଞ ଯେ,

ବ୍ରହ୍ମଙ୍କର ସେ ପୌତ୍ର ବିଶ୍ରବା ପୁତ୍ର

ଯୋଗ୍ୟ ପୁରୋହିତ ସେ ମର୍ତ୍ତ୍ୟୈ ସର୍ବତ୍ର ଯେ।


କୁଳଗୁରୁ ବଶିଷ୍ଠ ଅଯୋଧ୍ୟା ପୁରେ

ଆସି ପାରିବେ ନାହିଁ ସେ ଏଠାରେ ଯେ,

ଦେବଗୁରୁ ସ୍ଵର୍ଗର ସେ ବୃହସ୍ପତି 

ପବିତ୍ର ମନ୍ତ୍ର କରି ପୂଜା କରନ୍ତି ଯେ।


ତାଙ୍କ ସମ ରାବଣ ଜ୍ଞାନୀ ପଣ୍ଡିତ

ସେତୁବନ୍ଧ ପ୍ରତିଷ୍ଠା ଲାଗି ଉଚିତ ଯେ,

ଆମନ୍ତ୍ରଣ କରିଣ ହେ ରଘୁବୀର

ପୌରହିତ୍ୟେ ତାଙ୍କର ଏ କାର୍ଯ୍ୟ କର ଯେ।


ଶୁଣି ନାରଦ ବାଣୀ ସର୍ବେ ଚକିତ

କହିଲେ ମୁନିବର ଏ ବିପରୀତ ଯେ,

ରାବଣର ନିଧନ ଲାଗି ଏ ସେତୁ 

ପ୍ରତିଷ୍ଠା ପାଇଁ ସିଏ ଆସିବା କିନ୍ତୁ ଯେ।


ଦେବର୍ଷି କଥା ଦେଲେ ନିଶ୍ଚେ ଆସିବେ 

ସେ ନିମନ୍ତ୍ରଣ ଘେନି ଗଲେ ସ୍ଵଭାବେ ଯେ,

ରାବଣ ପାଠ କରି ସେ ନିମନ୍ତ୍ରଣ

ଆସିବେ ବୋଲି ମତ କଲେ ପ୍ରଦାନ ଯେ। 


ନିଧାର୍ଯ୍ୟ ଶୁଭକାଳେ ରାବଣ ଆସି

ସେତୁ ପ୍ରତିଷ୍ଠା କାର୍ଯ୍ୟ କଲେ ସେ ବସି ଯେ,

ସଂକଳ୍ପ ଲାଗି ସୀତା ରାମ ଏକତ୍ର

ହୋଇଣ କଲେ ପୂଜା ଲାଗେ ବିଚିତ୍ର ଯେ।


ମାତା ସୀତା ଆସିଲେ ରାବଣ ସାଥେ

ପ୍ରତିଷ୍ଠା ସମାପନେ ଫେରିଲେ ପଥେ ଯେ,

ପୌରହିତ୍ୟ ଦକ୍ଷିଣା କି ଦେବେ ତାଙ୍କୁ

ଶ୍ରୀରାମ ପଚାରିଲେ ସେ ରାବଣଙ୍କୁ ଯେ।


ଲଙ୍କାପତି ରାବଣ କହିଲେ ଧୀରେ

ନିଧନ କର ମୋତେ ବ୍ରହ୍ମ ଅସ୍ତ୍ରରେ ଯେ,

ଲଭିବି ମୁକତି ମୁଁ ତୁମ କୃପାରେ

ଏ ଦକ୍ଷିଣା ମାଗଇ ପ୍ରଭୁ ଶ୍ରଦ୍ଧାରେ ଯେ।


ଏମନ୍ତେ ସେତୁବନ୍ଧ କରି ପ୍ରତିଷ୍ଠା

ଅଯୋଧ୍ୟା ପତି ରାମ ରଖିଲେ ନିଷ୍ଠା ଯେ,

ଲଙ୍କା ଯୁଦ୍ଧରେ ବଧୂ ସେ ରାବଣକୁ

ପାପ ଭାରରୁ ରକ୍ଷା କଲେ ସଭିଙ୍କୁ ଯେ।


ଜୟ ଜୟ ଶ୍ରୀରାମ କୋଦଣ୍ଡ ଧର,

ସୃଷ୍ଟିକରି ଜଗତ ତୁମେ ଉଦ୍ଧାର ଯେ,

ପାଦେ ଶରଣ ଦିଅ କରେ ଜୁହାର

ସଂସାରରେ ନରହୁ ପାପର ଭାର ଯେ।

   


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama