କୁରୁ ସଭାରେ ଯାଜ୍ଞସେନୀ
କୁରୁ ସଭାରେ ଯାଜ୍ଞସେନୀ
କପଟ ପଶାର ହୋଇ ଶିକାର
ବାଜି ଲଗାଇଲେ ସେ ଯୁଧିଷ୍ଠିର
ଧନ ରତ୍ନ ରାଜ୍ୟ ଭ୍ରାତା ଓ ଜାୟା
ବୁଝି ନପାରି ଯେ ଶକୁନି ମାୟା ସେ
ଶେଷେ ଗଲେ ସବୁ ହାରି ଯେ
କହେ ଦୁର୍ଯ୍ୟୋଧନ ଜିତିବା ଚିଜରେ
ଆନେ ନାହିଁ ଅଧିକାର ଯେ ।
ଦୁଃଶାସନେ ଚାହିଁ କହେ ସେ ବୀର
ସଭା ମଧ୍ୟେ ଭିଡି ଆଣ ସତ୍ବର
ଦେଖିବି ତା ରୂପ ଜାନୁରେ ଥୋଇ
କେମନ୍ତ ଦରବ ଜିଣିଛି ମୁହିଁ ସେ
ଯଜ୍ଞ ସମ୍ଭୂତା ଦୁହିତାକୁ
ଅପମାନ ଦେଇ ଲାଞ୍ଛିତ କରାଇ
ବିଦାରି ଥିଲା ଯେ ହୃଦକୁ ।
ଶୁଣି ଏ ହୃଦ ବିଦାରଣ ବାକ୍ୟ
ପଞ୍ଚୁ ପାଣ୍ଡବ ଯେ ହେଲେ ନିର୍ବାକ
ହାହାକାର ଚିନ୍ତି ମନ ମଧ୍ୟରେ
ଭୀଷ୍ମ ଦ୍ରୋଣ ଯେତେ ଥିଲେ ସଭାରେ ସେ
ଚିନ୍ତୁଥିଲେ ହୃଦ ଗତେ ଯେ
ସ୍ତିରୀ ଅପମାନ କରି ଦୁର୍ଯ୍ୟୋଧନ
କାଳ ଡାକୁଛି କି ସତେ ଯେ ।
ଅନ୍ଧ ପିତା ଭଳି ସେ ଦୁର୍ଯ୍ୟୋଧନ
ବିବେକରେ ଅନ୍ଧ ଥିଲା ସେ ଜାଣ
ଅହଙ୍କାର ଯାର ସର୍ବସ୍ଵ ହୋଇ
ସମଗ୍ର ରାଜ୍ୟକୁ ଥିଲା ନଚାଇ ସେ
ତମସାଚ୍ଛନ୍ନ ମାନସେ ଯେ
ଅହଙ୍କାର ଅବିବେକ ପଣିଆ ତା
ନାଶ କରୁଥିଲା ସର୍ବେ ଯେ ।
ଏଣୁ ଗୁରୁଜନେ ନିଷ୍ପ୍ରଭ ହୋଇ
ସଭା ମଧ୍ୟେ ପିତୁଳା ପ୍ରାୟେ ଥାଇ
ବାକ୍ଯ ନସ୍ଫୁରିଲା ମୁଖୁ ତାଙ୍କର
ଶୂନ୍ୟ ଦର୍ଶକ ସାଜିଥିଲେ ବୀର ସେ
ଚିନ୍ତୁଥିଲେ ଏହି ମତି ଯେ
କୁରୁସଭା ମଧ୍ୟେ ନାରୀ ଅମର୍ଯ୍ଯାଦା
ଶେଷ ସିନା ପରିଣତି ଏ ।
ଅଲରା କେଶ ଅସ୍ତବ୍ୟସ୍ତ ବାସେ
ସିଂହ ଶାର୍ଦ୍ଦୂଳ ହସ୍ତେ ଶଶ ଗତେ
ପ୍ରାଣ ପ୍ରୟାଣ ସମୟକୁ ଚିନ୍ତି
ମନରେ ପୂରାଇ ଅଶେଷ ଭ୍ରାନ୍ତି ଯେ
ହୋଇ ଉଭା ସଭା ମଧ୍ୟେ ଯେ
କରେ କୃତାଞ୍ଜଳି ଦେଇଣ ପାଞ୍ଚାଳୀ
ଜ୍ୟେଷ୍ଠେ ଶ୍ରେଷ୍ଠେ ମନେ ଚିନ୍ତେ ଯେ ।
ପିତାମହ ଭୀଷ୍ମେ ପ୍ରଣତି ଦେଇ
ଚାହିଁଲା ପାଞ୍ଚାଳୀ ସନ୍ଦେହୀ ହୋଇ
କେଉଁ ଅଧିକାରେ କୁରୁ ପାମର
ତୁମ୍ଭେ ଥାଉ କରେ ଏ ବ୍ୟବହାର ସେ
କୁଳବଧୂ ପରା ମୁହିଁ ହେ
ସେ କୁଳେ କଳଙ୍କ ଲାଗିବ ନାହିଁ କି
ମୋ ପ୍ରଶ୍ନେ ଉତ୍ତର ଦିଅ ହେ ।
କୁଳବଧୂ ମୁଁ ଯେ କୁଳ ଗୌରବ
କେଉଁ ଶିକ୍ଷାରେ ଚିନ୍ତିଲେ ଦରବ
ଖେଳୁ ନଥିଲି ମୁଁ ପାଶାରେ ବସି
କାହିଁ ଦଣ୍ଡ ପାଏ ଯେମନ୍ତ ଦୋଷୀ ଯେ
କାହା ନିର୍ଦ୍ଦେଶେ ଏ ହେଲା ହେ
ତୁମ୍ଭେ ଥାଉ ଥାଉ କ୍ରୁର ଦୁଃଶାସନ
ଏ ଭଳି ସାହସ କଲା ଯେ ।
ଜ୍ୟେଷ୍ଠ ପିତା ତୁମ୍ଭେ ହେ ମହାରାଜ
ନାହିଁ କି ତିଳେ ସେ ମୁହଁ କୁ ଲାଜ
କର୍ଣ୍ଣେ ପଡୁନି କି ଚିତ୍କାର ମୋର
କିବା କରୁଛ ତାର ପ୍ରତିକାର ହେ
କୁଳବଧୂ ଲଜ୍ଯା ତେଜି ଯେ
ଉତ୍ତର ଦାୟାଦେ କି ସଂସ୍କାର ଦେଲ
ଇଜ୍ଜତ ଯାଉଛି ହଜି ଯେ ।
ବିଦୁର କାକା ମୋ ଧର୍ମାବତାର
ମନ୍ତ୍ରୀ ପଣେ ତୁମ୍ଭ କେଉଁ ସଂସ୍କାର
ଭାବି ରାଜାଙ୍କର କିରିତି ଏହି
ରସାତଳ ସିନା ହୋଇବ ମହୀ ହେ
କର କିଛି ପ୍ରତିକାର ହେ
କର ଯୋଡି କରେ ପ୍ରଣତି ଛାମୁରେ
କୁଳ ମାନ ରକ୍ଷା କର ହେ ।
ଆଚାର୍ଯ୍ୟ ପଣେ ଯେ ମହିମା ମେରୁ
ରାଜଛତ୍ର ତଳେ ହେଲେ କି ଦାରୁ
ଧନୁରେ ଲାଗିଛି କିବା କଳଙ୍କ
କାମନା ବିଳାସେ ହେଲେ କି ରଙ୍କ ସେ
କୁଳବଧୂ ନିର୍ଯାତନା ଯେ
ସଭା ମଧ୍ୟେ ଥାଇ ଆନନ୍ଦେ ଦେଖନ୍ତି
ନହୋଇଣ ଆନମନା ଯେ ।
ଧର୍ମରାଜ ନାମ ବହିଛ କାହିଁ
ବୃକୋଦର ମୁଖେ ଲଜ୍ଯା କି ନାହିଁ
ମଧ୍ୟମ ପାଣ୍ଡବ ହସ୍ତୁ ଗାଣ୍ଡିବ
ଖୋଜି ବାହାରୁଛି କେଉଁ ସଦ୍ଭାବ ହେ
ସାନ ଦୁଇ ସାଥେ ନେଇ ଯେ
ନିର୍ବସ୍ତ୍ରା ପାଞ୍ଚାଳୀ କରୁଅଛି ଅଳି
କର୍ଣ୍ଣ ଗାତ୍ରେ ପଶେ ନାହିଁ ଯେ ।
ସ୍ଵୟମ୍ବରେ ଜିଣି କଲ ଘରଣୀ
କିଛି ଦାୟିତ୍ୱ କି ନାହିଁ ଫାଲ୍ଗୁନୀ
ଗାଣ୍ଡିବର ଶୌର୍ଯ୍ୟ କିବା ତୁଟିଛି
ଅବା ଶକ୍ତିହୀନ ଭୁଜା ହୋଇଛି ହେ
ସଭା ମଧ୍ୟେ ସର୍ବେ ଥାଇ ଯେ
ତରସ୍ତ ହରିଣୀ ପରାୟେ ମରୁଛି
ରକ୍ଷିବାକୁ କେହି ନାହିଁ ଯେ ।
ବିନତି କରି ସର୍ବେ ବାରମ୍ବାର
ପାଞ୍ଚାଳୀ ହୃଦୟ ହେଲା ଅଧୀର
ମନେ ପଡିଲା ତା ଅଶୋକ ବନେ
ଭୂମିଜ ଥାଇ ସୀତା ସନ୍ନିଧାନେ ସେ
ରାବଣ କ୍ରୋଧୁ ବଞ୍ଚାଇ ଯେ
ଭାଇର ଆଖିରେ ଭଉଣୀ ଯାତନା
କେବେ ନପାରିବ ସହି ଯେ
ଏଣୁ ଯଦୁପତି ସାହା ମୋହର
ଭଗିନୀ ପଣେ ମୋ ଥିଲା ଆଦର
ଦୁଇ ବାହୁ ଟେକି ସମର୍ପି ତନୁ
ମିନତି କରିବି ତାଙ୍କୁ ହିଁ ମନୁ ସେ
ଆର୍ତ୍ତ ଜନ ରକ୍ଷାକାରୀ ଯେ
ସେହି ଚରଣରେ ଶରଣ ମାଗୁଛି
ରକ୍ଷାକର ତୁମ୍ଭେ ହରି ହେ ।
ଆରତା ଦ୍ରୌପଦୀ ମିନତି ଶୁଣି
ରହି ପାରନ୍ତେ କି ସେ ଚକ୍ରପାଣି
ତାଙ୍କ କୃଷ୍ଣା ଆଜି ଅଛି ବିପଦେ
ଧାଇଁ ନ ଆସନ୍ତେ ସେ ବା କେମନ୍ତେ ସେ
ଦୟାମୟ ଭାବଗ୍ରାହୀ ଯେ
ହସ୍ତ ପ୍ରସାରିଣ ବସନ ଦେଇଣ
ନିବାରିଲେ ଲଜ୍ଯା ସତୀ ସେ ।
ପରମେଶ୍ଵର ପ୍ରଭୁ ଦୟାମୟ
କର୍ମ ଫଳ ଦାତା କରୁଣାଳୟ
କନା ଖଣ୍ଡେ ପାଇଁ କୋଟି ବସନ
ଦେଇ ରଖିଲ ପାଞ୍ଚାଳୀର ମାନ ସେ
ଅଧମ ଚିନ୍ତେ ସେ ପଦ ଯେ
ସାହା ହୋଇଥିବ ଆହେ ଦଇତାରୀ
ଆସୁ ଯେତେକ ବିପଦ ଯେ ।
ପ୍ରଣାମ ଘେନନ୍ତୁ ହେ ବନମାଳୀ
ଶ୍ରୀପଦ ପୟରେ କରୁଛି ଅଳି
ଅଜ୍ଞାନ ପଣେ କରି ଯେଉଁ କର୍ମ
ମାନିଛି ସିନା ଏ ସଂସାର ଧର୍ମ ହେ
ଦୋଷ ଥିଲେ ଦେବ କ୍ଷମା ହେ
କରୁଣା କଣାଏ ଦେବାକୁ ମୋ ପ୍ରଭୁ
କୁଣ୍ଠିତ ହେବନି ଜମା ହେ ।