STORYMIRROR

Smrutiranjan Das

Tragedy Others

4  

Smrutiranjan Das

Tragedy Others

ଆଜିର ଡାକ୍ତରି ସେବା

ଆଜିର ଡାକ୍ତରି ସେବା

2 mins
16

ଜଗତେ ଡାକ୍ତର ଦ୍ଵିତୀୟ ଇଶ୍ଵର 

ଯା ଆଗେ ନୁଅଇ ଶିର 

କୋଟି କୋଟି ପ୍ରାଣ ବଞ୍ଚାଇ ସେମାନେ 

ସମ୍ମାନର ହକଦାର ।

କର୍ତ୍ତବ୍ୟେ ତାଙ୍କର ପ୍ରତିକ୍ଷଣେ ଥାନ୍ତି 

ଦିନ ହେଉ ଅବା ରାତି 

ନିଜେ କଷ୍ଟ ସହି ଅନ୍ୟକୁ ଦିଅନ୍ତି 

ଯନ୍ତ୍ରଣାରୁ ସିଏ ମୁକ୍ତି ।


ଆଜିର ସମୟେ ଧୀରେ ଧୀରେ କରି 

ଏ ଦିବ୍ୟ ପେସା ଯେ ଭାଇ 

ହରାଉଛି ତାର ନିଜ ଦିବ୍ୟତାକୁ 

କହି କି ପାରିବ କାହିଁ ?

ଯେବେଠୁ ଘରୋଇ ଡାକ୍ତରଖାନାଟା

ଛତୁ ଭଳି ଫୁଟିଲାଣି 

ରୋଗୀ ମାନଙ୍କର ସେବାଟା ସେବେଠୁ 

ଟଙ୍କା ପାଇଁ ହୋଇଲାଣି ।


ଆବଶ୍ୟକ ଠାରୁ ଅଧିକ ନିଦାନ 

ସେହିଠାରେ ଲେଖାଯାଏ 

ଅଧିକ କେତେଟା ଟଙ୍କା ପାଇଁ ପୁଣି 

ରୋଗୀ ତଣ୍ଟି ଚିପାଯାଏ 

ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧଟା ଭାଇ 

ସେଠାରେ ବିକିରି ହୁଏ 

ମାନ ତାର କିଛି ଥାଉ କି ନଥାଉ 

ସେ କଥା ପଚାରେ କିଏ ।


ଔଷଧ କମ୍ପାନୀ ଠାରୁ ମୋଟା ଅଙ୍କ 

ହୋଇଥାଏ ଯେ ଆଦାୟ 

ରୋଗୀ ବଞ୍ଚୁ ଅବା ମରି ସିଏ ଯାଉ 

ନଥାଏ ତ ପରବାୟ ।

ଛୋଟ ରୋଗଟାକୁ ବଡ ସେ କହନ୍ତି 

ବୈଜ୍ଞାନିକ ଶବ୍ଦ ଦେଇ 

ଅନାବଶ୍ୟକୀୟ ଔଷଧ ଲେଖନ୍ତି 

ଅର୍ଥ ଉପାର୍ଜନ ପାଇଁ ।


ସେ ଡାକ୍ତରଖାନା ପାଲଟିଛି ସତେ 

ଶୁଳ୍କ ଆଦାୟର ସ୍ଥାନ 

ଉପରୁ ଆସିଲେ ଅବା ଯିବା ବେଳେ 

ଦେବାକୁ ପଡିବ ଧନ ।

ସେବା ଭଳି ଏକ ନିଷ୍କାମ କର୍ମ ଯେ 

ହୋଇଛି ଆଜି ବିକର୍ମ 

ଜୋକ ଭଳି ଖାଲି ଶୋଣିତ ଶୋଷିବା 

ଅଟେ ଏମାନଙ୍କ ଧର୍ମ ।


ତେବେ ପ୍ରଶ୍ନ ଉଠେ ସବୁ ଜାଣିଶୁଣି 

ରୋଗୀ ଟିଏ ଯାଏ କାହିଁ 

ଆମ ସରକାରୀ ଡାକ୍ତରଖାନାକୁ 

ଯାଏ ନା ସେ କାହିଁ ପାଇଁ ?

ପଢ ଟିକେ ଭାଇ ସମ୍ବାଦ ପତର 

ନିତି ସେଠି ବାହାରୁଛି 

ପେଟରେ କିଏ ସେ ଗଜ୍ କନା ପୁଣି 

କଇଁଚି କିଏ ଛାଡ଼ୁଛି ।


କେଉଁଠି ସାମାନ୍ୟ ସୁବିଧା ଟିକକ 

ଉପଲବ୍ଧ ହେଉ ନାହିଁ 

କ୍ଷତକୁ ସିଲେଇ କରିବା ପାଇଁ କି 

ସୂତା ଟିକେ ମିଳୁନାହିଁ ।

କେଉଁଠି ଡାକ୍ତର ଜମାରୁ ନାହାନ୍ତି 

ଡାକ୍ତରଖାନା ଚାଲିଛି 

ଧାର୍ଯ୍ୟ ସମୟଟା ଯାଇଥିଲେ ମଧ୍ଯ 

ଔଷଧ ବଣ୍ଟା ହେଉଛି ।


ଯେଉଁ କିଛି ବଡ ଡାକ୍ତରଖାନା ଯେ 

ସହର ଅଞ୍ଚଳେ ଅଛି 

କେବେ ଶଯ୍ୟା କେବେ ଉପକରଣର 

ଅଭାବ ସେଠି ରହିଛି ।

ରୋଗୀ ଶୋଇଥାଏ ବାରଣ୍ଡା ଉପରେ 

ନ ଦିଅନ୍ତି କେ ନଜର 

ଚିକିତ୍ସା ଅଭାବେ ଛାଡି ଚାଲିଯାଏ 

ସତେ ପ୍ରାଣବାୟୁ ତାର ।


ଜୀବନକୁ ନେଇ ସେଠାରେ ଏମିତି 

ନିତି ଖେଳ ଥାଏ ଚାଲି 

ତେଣୁ ତ ରୋଗୀଟେ ଯିବା ପୂର୍ବରୁ ଯେ 

ଶହେ ଥର ଥାଏ ଭାଳି ।

ଏହାରି ସୁଯୋଗ ଉଠନ୍ତିରେ ଭାଇ 

ଘରୋଇ ଡାକ୍ତରଖାନା 

ଲୁଟନ୍ତି ନିରୀହ ଜନତାଙ୍କ ଧନ 

ନହୋଇ ଯେ ଆନମନା ।


ଆମ ସରକାର ଯୋଜନା କରନ୍ତି 

ଜରୁରୀ ସେବା ନଦେଇ 

ଘରୋଇ କମ୍ପାନୀ ପକେଟ ଭରନ୍ତି 

ବୀମା ନାମ କହିଦେଇ ।

ସେ ଟଙ୍କାରେ କଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର

ଉନ୍ନତି ହୁଅନ୍ତା ନାହିଁ 

ଉନ୍ନତି ହେଲେ କି ଯୋଜନା ନାମରେ 

ପାରିବେ ସିଏ ଭଣ୍ଡେଇ। 


ନେତା ଠାରୁ ମନ୍ତ୍ରୀ ସଭିଏଁ ସାମିଲ୍ 

ଏଥିରେ ଅଛନ୍ତି ଭାଇ 

ତେଣୁ ଜାଣିଶୁଣି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ 

ଉନ୍ନତି ଯାଏ ଧିମେଇ ।

ଆଜିର ଦିନରେ ଡାକ୍ତରି ସେବାଟା

ଭଲ ଏକ ବ୍ୟବସାୟ 

ଗରିବ ମରୁଛି ମରିବ ଏଠାରେ 

ନପାଇ କିଛି ଉପାୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy