ମୋହଭଙ୍ଗ
ମୋହଭଙ୍ଗ
ମୋହଭଂଗ
ଏକ ସମୟରେ
ଜୀବନରେ ସ୍ୱପ୍ନମାନେ
ବୁଲ୍ବୁଲ୍ ସାଜନ୍ତି,
ଫୁଲରୁ ଫୁଲ ଉଡ଼ିବୁଲନ୍ତି
ପ୍ରଜାପତି, ମହୁମାଛି
ସ୍ୱପ୍ନସବୁ ସୁନ୍ଦର କମନୀୟ
ଚୁଲ୍ବୁଲି କିଶୋରୀ ହୁଅନ୍ତି
ପୁଣି ଏକ ସମୟ
ନିର୍ମମ, ନିଷ୍ଠୁର
କଠୋର ବାସ୍ତବତା
ହାରିଯାଇଥିବା ଖେଳାଳି
ହାହାକାରରେ ଭରିଉଠେ ଜୀବନ
ଉଦ୍ୟାନରେ ଫୁଲମାନେ
ଝାଉଁଳି ପଡ଼ନ୍ତି
ସାରାଦିନ ବୁଲିବୁଲି
ଭିକ୍ଷାନପାଇଥିବା ମଣିଷଟେ ପରି
ଦୀନହୀନ ଦିଶେ ରୂପ
ଏବଂ ସ୍ୱପ୍ନରାଜ୍ୟରେ
ଘୂରି ବୁଲୁଥିବା ମଣିଷଟି
ହଠାତ୍ ଦାର୍ଶନିକ
ପାଲଟି ଯାଏ;
ଜୀବନର ଅର୍ଥ ଖୋଜିବାକୁ
ବ୍ୟାକୁଳହୁଏ,
ନିଜକୁ ନିରେଖି ଦେଖେ...
ଅର୍ଥହୀନ ହୋଇଯାଏ...
ଗୋଲାପ, ନୀଳକଇଁ, କୃଷ୍ଣଚୂଡା
କାଗଜଫୁଲର ପାଖୁଡ଼ାରେ ଉଡ଼ୁଥାଏ ସ୍ୱପ୍ନ
ଚିନ୍ତାକରେ... ଏ କ’ଣ ସେଇ ମଣିଷଟି
ଯିଏ ଦେଖୁଥିଲା ସ୍ୱପ୍ନ...
ତାରକିତ ରଜନୀରେ...
ଫୁଲର ବାସ୍ନାରେ, ପାହାନ୍ତାର ମୃଦୁ ପବନରେ
ଏବଂ ସ୍ୱପ୍ନ ଦେଖୁଥିଲା...
ଚେଇଁ... ଶୋଇ... ଦିନ ଦ୍ଵିପ୍ରହରରେ |