STORYMIRROR

Puspita Dash

Others

2  

Puspita Dash

Others

ଶୀତ

ଶୀତ

1 min
237


ନୀଳ ନିର୍ଜନ ରାତିର ଛାତିରେ

ଶୀତର ଠିକଣା ଖୋଜି

ଯାଉଥିଲା ଋତୁ ତୁମ ସହରକୁ

କାକରରେ ଭିଜି ଭିଜି

ଶୀତକୁ ଦେଖିଲା ରାଜପଥ ଧାରେ

କାଠ ଗଣ୍ଡିଟିରେ ଜଳେ

ତା ଚତୁର୍ଦ୍ଦିଗରେ ପ୍ରସାରିତ ହସ୍ତେ

ଉତ୍ତାପ ସାଉଣ୍ଟେ କୋଳେ

କ୍ଷେତମାଳେ ଶୀତ କୁହୁଡି ପହଁରେ

ଫୁଲର ପସରା ହସେ

ଲାଜକୁଳି ଲତା କାକର ପରଶେ

ସଙ୍କୁଚିତ ହୋଇ ବସେ

ଶୀତ ଆସୁଥାଏ ଧିର ପଦପାତେ

କାର୍ତ୍ତିକର ପୁଣ୍ୟ ବ୍ରତେ

ଜଳବିନ୍ଦୁ ଲାଗେ ହିମ ବିନ୍ଦୁ ପରି

ଆକାଶ ଦୀପର ସାଥେ

ବାଡି ବରକୋଳି ଟୁପ୍ ଟାପ୍ ପଡେ

ସାଗ କିଆରୀର ଧାରେ

ଦିଗ୍ ବଳୟରେ ସୂର୍ଯ୍ୟ ଉଇଁଲେ

ଝଲସେ ପୋଖରୀ ଜଳେ

ସହର ତଳିର ବସ୍ତିରେ ଶୀତ

କୁଙ୍କୁରି କାଙ୍କୁରି ବସେ

ଫୁଟ୍ ପାଥ୍ ପରେ ମଣିଷ ଓ ପଶୁ

ଉଷ୍ମତାଟିଏ ଖୋଜେ

ସକାଳୁଆ ସ୍କୁଲ ପିଲାଙ୍କ ବସ୍ତାନି

ଭିତରେ ଲୁଚଇ ଶୀତ

ପ୍ରଭାତ ଭ୍ରମଣେ ମଣିଷଟିଏ ସେ

ଶୀତକୁ କରଇ ମିତ

ମାର୍ଗଶିରର ଝୋଟି ଚିତା ପଛେ

କୁଳବଧୂଟିର ହାତ

ଶୀତର କମ୍ପିତ ସ୍ପର୍ଶ ଛାଡି ଦିଏ

ଶୀତଳ ଜଳରେ ସ୍ନାତ

ପୁଷ୍ପ ଆଚ୍ଛାଦିତ ମୁଗ୍ଧା ଧରଣୀ

ଗୋଧୂଳି ବେଳାର ଶୀତ

ଜ୍ୟୋତ୍ସ୍ନା ବିଧୌତ ରଜନୀବି ଗାଏ

ଅଳସ ପଣର ଗୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍