ବର୍ଷା ..ଏକ ଋତୁର ନାମ
ବର୍ଷା ..ଏକ ଋତୁର ନାମ
ବର୍ଷା ..ଏକ ଋତୁର ନାମ
ପୁଷ୍ପିତା ଦାଶ
ବର୍ଷାଗୋ ତୁମ ନୂପୁର ନିକ୍ବଣ
ଶ୍ରାବଣୀ ଆଖିରେ ଲୁହ,
ବ୍ୟଥା ବିଧୁରିତ ପ୍ରଣୟୀ ବୁକୁର
ତୁମେ ଯେ ଅସରା କୋହ;
ଆସ ଯେବେ ତୁମେ ପର୍ବତ ଶିଖରେ
ଗଗନ ବୁକୁରେ ଖେଳ,
ମେଘ ଡମ୍ବରୁ ମନ୍ଦ୍ର ନିନାଦ
କୃଷ୍ଣ ବାଦଲ ମେଳ;
ପଲକେ ହରିତ ଧରା ବି ଶୋଭିତ
ବୃକ୍ଷଲତାରେ ପୂର୍ଣ୍ଣ,
ନଦୀ ଓ ତଡାଗ ଜଳରେ ପୂରିତ
କେଦାରେ ସବୁଜ ବର୍ଣ୍ଣ;
ବକ୍ଷେ ତୁମର ଚପଳା ଚମକେ
ଚାରୁ ଚିତ୍ର ମନ ମୋହେ,
ଜୀବନ ଜୀବିକା କୃଷକର ଆଶା
ବନେ ବନବାସୀଟିଏ;
ସୁପ୍ତ ମାଟିରୁ ଚେଇଁ ଉଠେ ଶିଶୁ
ଅଙ୍କୁରର ଉଦ୍ ଗମ,
ଅଦ୍ଭୁତ ଚିତ୍ରେ ଶୋଭିତା ଧରଣୀ
ମୋହେ ଭାବୁକର ମନ;
ବର୍ଷା ବିଧୁର ଝିଙ୍କାରୀ ଝଙ୍କାର
ମଣ୍ଡୂକ ର ସେ ସ୍ବର,
ପଶୁପକ୍ଷୀ ଜୀବକୁଳ ଯେ ଆର୍ଦ୍ର
ହୁଅନ୍ତି କେବେ କାତର;
ଦେହୁ ଦେହାତୀତ ଅମ୍ବରୁ ସାଗର
ତୁମେ ଖେଳୁଥାଅ ଖେଳ,
ତୁମ ପାଇଁ କେବେ ତୃପ୍ତ ଧରଣୀ
କେବେ ଯେ ରୂପ କରାଳ;
ଧୂଳି ଧୂସରିତ ଧରିତ୍ରୀ ଆହ୍ୱାନ
ଆସଗୋ ଆସଗୋ ପ୍ରିୟ,
ଜଳ ଦାନ କରି ରଖ ଏ ସୃଷ୍ଟି
ଦିଅନି ଆଖିରେ ଲୁହ ।।
ଝାରସୁଗୁଡା ,ଓଡିଶା