ପରିଚୟ
ପରିଚୟ
କିଏ ଅଟୁ ତୁହି କେଉଁଠୁ ଆସିଛୁ
କି ବା ପରିଚୟ ତୋର
କାହିଁ ଜନମିଛୁ ଏ ମର୍ତ୍ତ୍ୟ ମଣ୍ଡଳେ
ଧରି ଏ ମର ଶରୀର ।
ତୁ ଯେଉଁ ନିଜକୁ ମୁଁ ବୋଲି କହୁ
ତୁ କି ପ୍ରକୃତରେ ସେହି
ଖୋଜିଛୁ କି କେବେ ନିଜର ସତ୍ତାକୁ
କହରେ ମଣିଷ ତୁହି ।
ଅଥଳ ସାଗରେ ବୁଡି ରହିଥିଲୁ
ବିକଳ ହୋଇଲୁ କେତେ
ଆତୁରେ ପୁଣି ତୁ ପରଂବ୍ରହ୍ମେ ଡାକୁ
ରକ୍ଷା କର ହରି ମୋତେ ।
ପରମ ଦୟାଳୁ କୃପା କଲେ ବୋଲି
ଦେଖିଲୁ ତୁହି ସଂସାର
କଥା ଦେଲୁ ପୁଣି ତାଙ୍କ ନାମ ଭଜି
ତରିବୁ ଭବ ସାଗର ।
ପିଲାଖେଳେ ତୋର ବାଳୁତ କଟିଲା
କୈଶୋରେ କିଶୋରୀ ଚିନ୍ତା
ଯୌବନରେ ଧନ ସର୍ବସ୍ଵ ହୋଇଲା
ଖୋଜିଲୁନି ନିଜ ସତ୍ତା ।
ମାୟା ତୋର ସବୁ ଇନ୍ଦ୍ରିୟ ବାନ୍ଧିଲା
ସତ୍ୟ ତୁ ଦେଖିଲୁ ନାହିଁ
ଅବିଦ୍ୟା ଅଜ୍ଞାନ ମୋହ ଅନ୍ଧକାରେ
ନେଲୁ କ୍ଳେଶ ଆପଣାଇ ।
ତମ ଗୁଣ ତୋର ପ୍ରବଳ ହୋଇଲା
ନେଲେ ଷଡରିପୁ ଭିଡି
ଅହଙ୍କାର ପୁଣି ତା ସାଥିରେ ମିଶି
ମୁଁ ଶବଦ ଦେଲା ଯୋଡି ।
ଏହି ମୁଁ ଟାକୁ ସତ୍ୟ ବୋଲି ଭାବୁ
ନିଜର ଅଜ୍ଞାନ ପଣେ
ସେଥି ପାଇଁ କେବେ ବୁଝି ତୁ ପାରୁନା
ତୋର ଜୀବନର ମାନେ।
ବେଳ ଥାଉ ଥାଉ ମୁଁ ରୂପୀ ରାକ୍ଷସେ
ମଣିଷ ଯାଅରେ ଚିହ୍ନି
ମୁଁ ଶବଦ ମଲେ ତାଙ୍କୁ ତୁ ପାଇବୁ
ଜଳିବ ଜ୍ଞାନର ବହ୍ନି ।
ପରମ ପୁରୁଷେ ଶରଣ ଗଲେ ତୁ
ପାଇବୁ ନିଜକୁ ଖୋଜି
ସେଇ ଦାତା କର୍ତ୍ତା ଦଇବ ବିଧାତା
ଦ୍ୱନ୍ଦ ଦେବେ ତୋର ଭାଜି ।
ପାଦ ଧରି ତାଙ୍କ ଶରଣ ପଶିଲେ
ବୈକୁଣ୍ଠେ ପାଇବୁ ସ୍ଥାନ
ଅଥଳ ଅଜ୍ଞାନ ଦୂର ହୋଇଯିବ
ସ୍ଵରୂପେ ରହିବ ମନ ।
ଅଂଶ ସଙ୍ଗେ ଅଂଶୀ ଏକ ହୋଇଯିବୁ
ଭେଦାଭାବ ନପାଇବୁ
ସେ ମୋହର କ୍ରାତା ମୁଁ ତାଙ୍କର ଭର୍ତ୍ତା
ବୋଲି ଜଗତେ କହିବୁ ।