ମାୟା ଫେଡ ମାୟାଧୀଶ
ମାୟା ଫେଡ ମାୟାଧୀଶ
ମହାପ୍ରଭୁ ତୁମେ ଗଢିଲ ମଣିଷ
କରି ଯେ ବହୁ ଯତନ
ଶରୀର ଗଢିଲ ପଞ୍ଚତତ୍ତ୍ଵେ ପୁଣି
ଅନ୍ନରେ ରଖିଲ ପ୍ରାଣ ।
ଲକ୍ଷ୍ଯ ତାକୁ ଦେଲ ପ୍ରାପ୍ତ କରିବାକୁ
ସେ ଚାରିବର୍ଗର ଫଳ
ଧର୍ମ ଅର୍ଥ ସଙ୍ଗେ କାମ ଆଉ ମୋକ୍ଷ
ରହି ଥାଉ ଥାଉ ବେଳ ।
କହିଲ ପୁଣି ଯେ ଧର୍ମରେ ଅର୍ଜିବୁ
ଅନ୍ନ ସହିତ ଆସ୍ଥାନ
ଆପଣା କର୍ତ୍ତବ୍ୟ କରି ଚାଲିଥିବୁ
ପିଣ୍ଡେ ଥିବା ଯାଏଁ ପ୍ରାଣ ।
ଧର୍ମେ ରହି ତୁହି କର୍ମ କରୁଥିଲେ
ପ୍ରାପ୍ତ ହେବୁ ନିଶ୍ଚେ ଅର୍ଥ
ଜୀବନ ଦର୍ଶନ ବୁଝିବାକୁ ଦିନେ
ହୋଇଯିବୁ ତୁ ସମର୍ଥ ।
ଜୀବନର ମାନେ ବୁଝିଗଲେ ଥରେ
କାମ ହେବ ତୋର ବଶ
ମୋ ପାଶେ ସମର୍ପି ନିଜ ଅହଙ୍କାର
ଦୁଃଖର କରିବୁ ନାଶ ।
ତ୍ରିତାପ ହରିଣ ଦେବି ମୁଁ ଶରଣ
ଖୋଲିବି ମୋକ୍ଷର ମାର୍ଗ
ଜ୍ଞାନ କର୍ମ ଆଉ ଭକ୍ତିରେ ଲଭିବୁ
ବଇକୁଣ୍ଠ ଅବା ସ୍ଵର୍ଗ ।
ମାୟାଧୀଶ ପଣ ନବୁଝି ମନୁଷ୍ୟ
ମାୟାରେ ହେଲା ଅଜ୍ଞାନ
ଦୃଶ୍ୟମାନ ସତ୍ୟ ହେଲା ଏ ଜଗତ
ମିଥ୍ୟା ନେଲା ସତ୍ୟ ସ୍ଥାନ ।
ଉଦର ପୋଷଣେ ଯୋଗାଡିଲା ଅନ୍ନ
କରିଲା ନାହିଁ ବିଚାର
ଖାଦ୍ୟ ବାସଗୃହ ମିଳିଗଲା ପରେ
ଖୋଜେ ସୁଖର ସମ୍ଭାର ।
ଅହଙ୍କାରକୁ ତା ସ୍ଥାପିତ କରିବ
ମହେନ୍ଦ୍ର ପଣିଆ ନେଇ
ଧର୍ମ ଅଧର୍ମକୁ ପଛରେ ପକାଇ
ଆଗକୁ ଚାଲିଲା ଧାଇଁ ।
ଧନ ଜନ ଆଶା ସରେ ନାହିଁ ତାର
କାମନାରେ ହୁଏ ଛନ୍ଦି
ମିଛ ଯଶ ଆଉ ମିଛ ଅହଙ୍କାରେ
ଆପଣାକୁ ଦିଏ ବାନ୍ଧି ।
ସାୟାହ୍ନ ବେଳାରେ କାହୁଁ ସେ ପାଇବ
ମୁକ୍ତିର ମହା ଆନନ୍ଦ
ପ୍ରେମ ବାରି ତାର ଢାଳି ପାରୁ ନାହିଁ
କାମନା ସାଜିଛି ବନ୍ଧ ।
ଦହୁଛି ଅନ୍ତର ହୋଇ ଛାରଖାର
ଲେଉଟିବା ବେଳ ଦେଖି
ଯିବା ବେଳେ ଏବେ ଶରଣ ମାଗୁଛି
ରଖିବେ କି ଚକାଆଖି ।
ମାୟା ଫେଡ଼ି ମାୟାଧର ହେ ଶିଖାଅ
ଚଳି ସତ୍ୟ ଧର୍ମ ପଥେ
ମୋହ ଅନ୍ଧକାରେ ମହା ଅନ୍ଧକାର
କେବେ ନରହୁ ତା ସାଥେ ।
ହୃଦରେ ବିରାଜୁ ଶ୍ରୀପଦ ପଙ୍କଜ
ନୟନେ ଶ୍ୟାମଳ ମୂର୍ତ୍ତି
ତୁଣ୍ଡରେ ବିରାଜୁ ତୁମ୍ଭ ନାମ ସଦା
ଜୀବ ପାଉ ନିତ୍ୟ ମୁକ୍ତି ।