ଅହଙ୍କାର କାହା ସୃଷ୍ଟି
ଅହଙ୍କାର କାହା ସୃଷ୍ଟି
ଶୁଣିଥିଲି ଗୁରୁ ଗୁରୁଜନ ବାଣୀ
ସଂସାର ପ୍ରଭୁଙ୍କ ଦାନ
ସିଏ ତ ଅଛନ୍ତି ସବୁରି ହୃଦୟେ
ସାଜି ଯେ ସଭିଙ୍କ ପ୍ରାଣ ।
ସିଏ ଗଢିଛନ୍ତି ଏ ବିଶ୍ଵ ବ୍ରହ୍ମାଣ୍ଡ
ପାଏ ନାହିଁ ଯହିଁ ଦୃଷ୍ଟି
ହେଲେ ଏକ ପ୍ରଶ୍ନ ମନେ ଉଙ୍କିମାରେ
ଅହଙ୍କାର କାହା ସୃଷ୍ଟି ?
କାହିଁକି ତାହାର ସୃଷ୍ଟି ଏ ଜଗତେ
କି କାମ କରେ ବା ସିଏ
ସବୁରି ବିନାଶ କାରଣର ମୂଳ
କାହିଁକି ସେ ହୋଇଥାଏ ?
ହରାଇ ପାରିବା ତାହାକୁ କି କେବେ
ମଣିଷ ଦ୍ଵାରା ସମ୍ଭବ
ମାନବ ଭାଗ୍ୟେ କି ବିଧାତା ଲେଖିଛି
ତାର ଦ୍ଵାରା ନାଶ ଯିବ ?
ଭାବୁ ଭାବୁ ଏହି ପ୍ରଶ୍ନର ଉତ୍ତର
ନିଦ ଆସିଗଲା ମୋତେ
ସପନେ ଦେଖିଲି ଏକ ଦିବ୍ୟ ଜ୍ୟୋତି
ଉଭା ହେଲା ଆଗେ ସତେ ।
ସେ ଜ୍ୟୋତି ମଧ୍ୟରୁ ପ୍ରକଟ ହୋଇଲେ
ସତେ କି ଦିବ୍ୟ ପୁରୁଷ
ବେନି ନୟନରେ ଯାହା ମୁଁ ଦେଖିଲି
ନ ହେଲା ତିଳେ ବିଶ୍ବାସ ।
କୋମଳ କଣ୍ଠରେ ମୋତେ ସେ କହିଲେ
ଭୟ ତୁହି କର ନାହିଁ
ତୋ ମନ ପ୍ରଶ୍ନର ଉତ୍ତର ଦେବାକୁ
ଆସିଅଛି ସିନା ମୁହିଁ ।
ଯାହା ମୁଁ କହୁଛି ଶୁଣ ମନ ଦେଇ
ନ ହୋଇ ଯେ ଆନମନା
ପରଂବ୍ରହ୍ମଙ୍କର ଲୀଳା ଯେ ଅପାର
ମନୁଷ୍ୟେ ତାହା ଅଜଣା ।
ତାଙ୍କ ଦ୍ଵାରା ସୃଷ୍ଟ ଏହି ଅହଙ୍କାର
ଶରୀର ଯାହାର ଘର
ଅଟେ ସିଏ ଏକ ମହାରଥୀ ପୁଣି
ମନ ଯେ ରଥ ତାହାର ।
ଷଡରିପୁ ଅଟେ ତାର ସହଯୋଗୀ
ଗୋଟାଏ ସେଠାରୁ ବଳ
ଲୋଭ ମୋହ କ୍ରୋଧ ହିଂସା ଦ୍ଵେଷ ଭାବ
ଏ ସବୁ ତାହାରି ଫଳ ।
ପ୍ରଭୁ ଦେଇଛନ୍ତି ଚେତନା ଶରୀରେ
ତାଙ୍କ ଦିବ୍ୟ ଅଂଶ ସେ ତ
ଜ୍ଞାନେନ୍ଦ୍ରିୟ ସହ କର୍ମେନ୍ଦ୍ରିୟ ମିଶି
ବଢାନ୍ତି ତାର ଦେବତ୍ବ ।
ଏ ଇନ୍ଦ୍ରିୟ ଗଣ ଯଦି ଅଜ୍ଞାନରେ
ମିଶନ୍ତି ଅହଂତ୍ତ୍ବ ସହ
ତେବେ ପରିଣାମ ଜାଣରେ ମଣିଷ
ହୋଇଯାଏ ଭୟାବହ ।
ଏହି ସମୟରେ ଅହଙ୍କାର ହୁଏ
ସତେ କି ଅଜୟ ଜାଣ
ଧର୍ମ ମାର୍ଗୁ ଜନେ ବିଚ୍ୟୁତ କରାଇ
ବନେ ବିନାଶ କାରଣ ।
କାମନା ଫାଶରେ ବାନ୍ଧି ସେ ପକାଏ
ଆଶାକୁ ଜନମ ଦେଇ
ଜୀବନରେ ଯେତେ ଖୋଜି ବୁଲୁଥିଲେ
ମୁକ୍ତି ପଥ ନ ମିଳଇ ।
ଏ ଇନ୍ଦ୍ରିୟ ଗଣ ଚେତନା ପାଖରେ
ଯଦି ହୋନ୍ତି ସମର୍ପିତ
ତାହାରି ଜ୍ଞାନର ଦିବ୍ୟ ପ୍ରକାଶରେ
ହୋଇଯାନ୍ତି ଆଲୋକିତ ।
ମନ ହୋଇଯାଏ ଉର୍ଦ୍ଧ୍ବଗାମୀ ସତେ
ଅହଂତ୍ତ୍ବ ହରାଏ ଶକ୍ତି
ଷଡରିପୁ ସାଥେ ନିଜକୁ ସମର୍ପେ
ଆସି ଚେତନାର କତି ।
ଅହଙ୍କାର ଥରେ ବଶ ହେଇଗଲେ
ନିଷ୍କାମ ହୁଏ ଯେ କର୍ମ
ମନୁଷ୍ଯ ସର୍ବଦା ବାଟ ଚାଲୁଥାଏ
ସଙ୍ଗରେ ଧରିଣ ଧର୍ମ ।
ଏହିପରି ବାଟ ଚାଲିଲେ ମଣିଷ
ପ୍ରକୃତି ହୁଅଇ ବଶ
ମହା ଆନନ୍ଦରେ ଏ ମନକୁ ସିଏ
ଚିହ୍ନାଇ ଦିଏ ପୁରୁଷ ।
ଯେଉଁ ଅହଙ୍କାର ନାଶ କରୁଥିଲା
ଦିନେ ମଣିଷ ଜୀବନ
ବଶ ହେଲା ପରେ ସେହି ଅହଙ୍କାର
ସୃଷ୍ଟି କରେ ନୂଆ ପ୍ରାଣ ।
କରିପାରେ ସିଏ ନିଜ ଆତ୍ମବଳେ
ଜୀବ ଲାଳନ ପାଳନ
ପୁଣି ବନି ପାରେ ନିଜ ଶକ୍ତି ବଳେ
ରିପୁ ସଂହାର କାରଣ ।
ଅନ୍ତ ସମୟରେ ତାକୁ ସମର୍ପିଲେ
ପ୍ରଭୁଙ୍କ ଚରଣ ତଳେ
ପରମ ଆନନ୍ଦ ହୁଏ ଯେ ପ୍ରାପତ
ମନୁଷ୍ୟକୁ କାଳ ବଳେ ।
ତାଙ୍କ ଚରଣରେ ଶରଣ ଦିଅନ୍ତି
ଦୟାମୟ ଜଗନ୍ନାଥ
ପରମ ଶାନ୍ତିକୁ ଲଭି ଏ ମଣିଷ
ପାଇଯାଏ ମୁକ୍ତି ପଥ ।
ଏତିକି ବେଳକୁ କେମିତି କେଜାଣି
ଭାଙ୍ଗିଗଲା ନିଦ ମୋର
ମନେ ମନେ ଭାରି ପ୍ରସନ୍ନ ମୁଁ ଥିଲି
ପାଇ ମୋ ପ୍ରଶ୍ନ ଉତ୍ତର ।
ବସି ଭାବୁଥିଲି ଏହି ଅହଙ୍କାର
ବିଦ୍ୟୁତ ସମ କି ସତେ
ଦାୟିତ୍ୱର ସହ ବ୍ୟବହାର କଲେ
ଲାଗେ ସେ ଜଗତ ହିତେ ।
ସଂସାର ମଙ୍ଗଳ ପାଇଁ ଅହଙ୍କାର
ପ୍ରଭୁ ଥିଲେ ସୃଷ୍ଟି କରି
ରିପୁ କବଳରେ ରହି ଏ ମଣିଷ
ଦେଲା ସେ ଉଦ୍ଦେଶ୍ଯ ସାରି ।
ଇନ୍ଦ୍ରିୟ ଲାଳସା ପୂରଣ ପାଇଁ ଯେ
ମଣିଷର ହୁଏ ନାଶ
ଅହଙ୍କାରେ ଦୋଷ ଦେଇ ଲାଭ ନାହିଁ
ମନକୁ ନକରି ବଶ ।
ମନ ବଶ କର ବାଇଆ ମନରେ
ପରମ ପୁରୁଷେ ଚିନ୍ତି
ସର୍ବ ବଶ ହେବ ତାହାରି ମଧ୍ୟରେ
ମିଳିବ ତୋ ମୁକ୍ତି ଗତି ।
