Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutiranjan Das

Others

4  

Smrutiranjan Das

Others

ପ୍ରଭାସ ଯଜ୍ଞ

ପ୍ରଭାସ ଯଜ୍ଞ

4 mins
231



ଯେବେଠୁ କଳା କହ୍ନାଇ 

ଗଲେ ଛାଡି ଗୋପ ଭୂଇଁ 

ଅଶ୍ରୁ ଜଳରେ ବୁଡାଇ ସେ ଗୋପପୁର 

କାନ୍ଦେ ସେ ଯମୁନା ନଇ 

କାନ୍ଦେ କୁଞ୍ଜ କଇଁ କଇଁ 

ବାହୁନି କୁହନ୍ତି କାହିଁ କାହ୍ନା ଆମର  

ଗୋପ ଗୋପାଳୁଣୀ ଯେତେକ 

ଦାଣ୍ଡେ ରହିଥାନ୍ତି ଚାହିଁ ଯେହ୍ନେ ଚାତକ ।


ଯଶୋଦା ମାଆ କାହାଣୀ 

କେ ପାରିବ ଯେ ବଖାଣି 

କାହ୍ନା ଲାଗି ପାଗଳିନୀ ଯାଇଛି ହୋଇ 

ବୃଦ୍ଧା ସେ ସିନା ହେଲେଣି 

ହେଲେ ବି ମନ ମାନେନି 

ଫେରିବ କାଳେ କହ୍ନାଇ ରହିଛି ଚାହିଁ 

ହାତେ ଧରି ସର ଲବଣୀ 

ଦାଣ୍ଡେ ଡାକି ବୁଲୁଥାନ୍ତି ହେ ନୀଳମଣି ।


ନୃପ ବିନା ଯେହ୍ନେ ଦେଶ 

ଜଳ ବିନା ଯେହ୍ନେ ଝଷ 

ଶୂନ୍ୟ ତାଙ୍କ ଦିଗ ଦଶ ବିନା କହ୍ନାଇ 

ବାସ ଦିଶୁଥିଲା ହୀନ 

ନଥିଲା ଯେ ଦେହ ଜ୍ଞାନ 

ବିଳାପୁ ଥିଲେ ମୋ ଧନ ଗଲୁରେ କାହିଁ 

ଏମନ୍ତ ସମୟେ ନାରଦ 

ଉପସ୍ଥିତ ହେଲେ ଆସି ନେଇ ସମ୍ବାଦ ।


କୁହନ୍ତି ନାରଦ ମୁନି 

ଶୁଣ ହେ ଯଶୋଦା ରାଣୀ 

ତୁମ୍ଭ ପୁତ୍ର ନୀଳମଣି କରୁଛି ଯଜ୍ଞ 

ସୁର ଅସୁର ଗନ୍ଧର୍ବ 

କିନ୍ନର ଯକ୍ଷ ଓ ନାଗ 

କ୍ଷତ୍ରିୟ ବ୍ରାହ୍ମଣ ସହ ଆସିବେ ବିଜ୍ଞ 

ପ୍ରଭାସ ତୀର୍ଥେ ଯେ ହୋଇବ 

ସାରା ଜଗତର ପରା ମଙ୍ଗଳ ହେବ ।


ମନେ ତାର ଗୋପପୁର 

ଅଛି କି ହେ ମୁନିବର 

ଉଠାଇ ସଂସାର ଭାର ଭୁଲି ତ ନାହିଁ 

ଶୁଣିଛି ତାର କିରିତି 

ସମ୍ରାଟ ସେ ଚକ୍ରବର୍ତ୍ତୀ 

ନନ୍ଦ ହରଷେ କୁହନ୍ତି ନାରଦେ ଚାହିଁ 

ଦେଇଛି କି ସେ ନିମନ୍ତ୍ରଣ 

କେମନ୍ତେ ଭୁଲନ୍ତା ଆମ ଜୀବ ଜୀବନ ।


ତୁମେ ପରା ପିତା ମାତା 

ସରଗୁ ବଳି ଦେବତା 

ତୁମ୍ଭ କି ଆବଶ୍ଯକତା ସେ ନିମନ୍ତ୍ରଣେ 

ତୁମ୍ଭେ ତ ତାଙ୍କ ପିଅର 

ଗୋପ ଯେ ତାଙ୍କର ଘର 

ଯାଇ ସର୍ବେ ଦେଖି ପାର ବେନି ନୟନେ 

ନିଜଙ୍କୁ ନିମନ୍ତ୍ରଣ ଦେଇ 

ଅପବାଦ ମୁଣ୍ଡାଇବେ କାହିଁ କହ୍ନାଇ  ।


ନାରଦ ମୁଖୁ ଏ ଶୁଣି 

କହିଲେ ଯଶୋଦା ରାଣୀ 

କାହ୍ନା ପାଶେ ଚାଲ ନେଇ ହେ ମୋର ନାଥ 

କୋଳରେ ଟିକେ ବସାଇ 

ଲବଣୀ ଦେବି ଖୁଆଇ 

ନହେଲେ ହେବ କହ୍ନାଇ କି ହନ୍ତସନ୍ତ 

ଖାଇ ତ ନଥିବ ସେ କିଛି 

ମାଆ ମାଆ ଡାକ ତାର କର୍ଣ୍ଣେ ଶୁଭୁଛି ।


ଗୋପେ ପଡିଗଲା ହୁରି 

ଯିବେ ଦ୍ୱାରିକା ନଗରୀ 

ଯେତେ ନାଗର ନାଗରୀ ହୋଇଲେ ଠୁଳ 

କେ ଆଣିଛି କେକୀ ପୁଚ୍ଛ 

କା ହାତେ କୁସୁମ ଗୁଚ୍ଛ 

କେ ଆସିଛି କରି ପଛ ସବୁ ଜଞ୍ଜାଳ 

ଦେଖିବେ ବୋଲି ସେ ମୋହନ 

ଚାଲିଲେ ଏକାଠି ଢାଳି ମନ ପରାଣ ।


ପଥେ ଲାଗି ପଥାଘାତ 

ପଦ ହୋଇଲା ରକ୍ତାକ୍ତ 

ତଥାପି ଯଶୋଦା ମାତ ରୁହନ୍ତି ନାହିଁ 

ପଦେ କ୍ଷତ ଉପୁଜାଇ 

ଯାଉଛି ରୁଧିର ବହି 

ମନରେ ଶୋଭା ପାଉଛି କଳା କହ୍ନାଇ 

ଯାଇଛି ସେ ପାଗଳୀ ହୋଇ 

ସଂସାର ଯାତନା ଆଉ ବାଧୁ ତ ନାହିଁ ।


ଅନେକ କଷ୍ଟ ସ୍ୱୀକାରି 

ପହଞ୍ଚି ଦ୍ୱାରିକା ପୁରୀ 

ଦେଖିଲେ ଜଣେ ପ୍ରହରୀ ରହିଛି ଚାହିଁ 

ଓଗାଳିଲା ସେହି ବାଟ 

କରି ଅନେକ ଆକଟ 

ରାଜମାତାଙ୍କ ଆଦେଶ ଦେଇ ସଫେଇ 

ଗୋପପୁର ବାସୀଙ୍କୁ ମନା 

ଯାଅ ଫେରି ହୁଅ ନାହିଁ ଆନ ବିମନା  ।


ଏହା ଶୁଣି ଯଶୋମତୀ 

ବିରହ ବେଦନା ଚିନ୍ତି 

ଭୂମିରେ ପଡିଲେ ଲୋଟି ଡାକି କହ୍ନାଇ 

ମା ଦେବକୀ ସଖୀ ମେଳେ 

ଅନ୍ତଃପୁରେ ବସିଥିଲେ 

କହ୍ନାଇ ଡାକ କର୍ଣ୍ଣରେ ବାଜିଲା ଯାଇ 

ଆସିଲେ ସେ ଆସନ ତେଜି 

ଶିଖାଇବି ବୁଦ୍ଧି ଆଜ ମନରେ ହେଜି ।


କୁହନ୍ତି ମାତା ଦେବକୀ 

ଯଶୋଦାଙ୍କୁ ପାଶେ ଡାକି 

ଯିବାକୁ ଆଜି ନଦେବି ମୋ ପୁତ୍ର ପାଶେ 

ମନେ କିବା ତୋର ନାହିଁ 

ମୋହରି ବାଳୁତେ ନେଇ 

କାନନେ ଦେଉ ପଠାଇ କହ କି ଆଶେ 

ରାଜା ପୁଅ ଜଗେ ଗୋଗୋଷ୍ଠ

କହ ତାକୁ ଦେଇଥିଲୁ କାହିଁ ଏ କଷ୍ଟ  ?


କହୁଛନ୍ତି ଯଶୋମତୀ 

କି କଥା କୁହ ଦେବକୀ 

ଭୁଲି ତୁମ୍ଭେ ଯାଇଛ କି ମାଆ ଟେ ମୁହିଁ 

ଜନମ ସିନା ଦେଇନି 

ମମତା ଉଣା କରିନି 

ମିଛରେ ଲାଞ୍ଛନା ଏହି ଦିଅ ଯେ କାହିଁ 

ମୋ ବକ୍ଷ ଅମୃତ ପିଆଇ 

ବାଳୁତରୁ ଯେ କୈଶୋର ପାଳିଛି ମୁହିଁ ।


ଯାଏ ସେ ଗାଈ ଚରାଇ 

ସଙ୍ଗେ ମୋ ପ୍ରାଣକୁ ନେଇ 

ବାଟ ତାର ଥାଏ ଚାହିଁ ବାତୁଳୀ ହୋଇ 

ଫେରନ୍ତା ତା ବଂଶୀସ୍ୱନ

ପିଣ୍ଡେ ମୋ ପଶାଏ ପ୍ରାଣ 

ସେ ଏକା ହୃଦ ଚନ୍ଦନ କଳା କହ୍ନାଇ 

ବକ୍ଷେ ତାକୁ ଦେଲେ ଲଗାଇ 

ଜୀବନର ସବୁ ଦୁଃଖ ଭୁଲେ ଯେ ମୁହିଁ ।


ହୃଦ ମୋ ଯାଉଛି ଜଳି 

ତେଣୁ ଗୋ କରୁଛି ଅଳି 

ବାରେ ମୋତେ ବନମାଳୀ ଦିଅ ଦେଖାଇ 

ନମାଗିବି ଅଧିକାର 

ଲୋଡ଼ା ନାହିଁ ପୁରସ୍କାର 

ମନ ଭରି ମୋ ମାଣିକେ ଦେଖିବି ମୁହିଁ 

ନ ନେବି ମୁଁ କିଛି ଛଡାଇ 

ଅଙ୍କେ ଧରି ସ୍ନେହ ଦେଇ ଯିବି ପଳାଇ ।


ଯାହା କୁହ ଯଶୋମତୀ 

ନ ଛାଡ଼ିବି କାହ୍ନୁ କତି 

ରୋଷେ ଦେବକୀ କୁହନ୍ତି ମୁହଁ ବୁଲାଇ 

ଆଜ ସେ ଦ୍ଵାରକାଧୀଶ 

ନାହିଁ ତା ବାଳ ବୟସ 

ମିଛ ଭ୍ରମେ ଜଡାଅନା ତାହାକୁ ତୁହି 

ହେବ ସେ ଯେ ରାଜାଧିଶ୍ବର 

ଭ୍ରମିବାକୁ ନାହିଁ ବେଳ ଛନ୍ଦେ ତୋହର ।


ଦଣ୍ଡେ ରହି ଯଶୋମତୀ 

ନୟନୁ ଅଶ୍ରୁ ଝରାନ୍ତି 

କହ୍ନାଇ ହୃଦରେ ଚିନ୍ତି ରହନ୍ତି ଚାହିଁ 

ଭୁଲିପାରେ ସବୁ ସିଏ 

ହେଲେ ଗୋପପୁର ନୁହେଁ 

ପଚାର ତ ତାକୁ ଥରେ ପାଖକୁ ଡାକି 

ଯଦି ସିଏ ଚିହ୍ନିବ ନାହିଁ 

ହାରିବି ଆଜ ଜୀବନ ଏଠାରେ ମୁହିଁ ।


ଦେଖିଣ ଏ ପରିସ୍ଥିତି 

ମୀମାଂସା ମନରେ ଚିନ୍ତି 

ସରଗୁ ବ୍ରହ୍ମା ଯେ ଆସି ହେଲେ ପ୍ରକଟ 

କହିଲେ ହେ ମାତା ଦୁଇ 

କଳି କର ଯାହା ପାଇଁ 

ତାଙ୍କୁ ମୋର କଥା ମାନି ଥରେ ତ ଡାକ 

ଆସିବେ ସେ ଯା ଡାକ ଶୁଣି 

ଜାଣିବ ପୂଜନ୍ତି ତାଙ୍କୁ ସେ ଚକ୍ରପାଣି ।


ଏମନ୍ତ ଶୁଣି ଦେବକୀ 

ଗରବେ ନିଜେ ଡାକନ୍ତି 

ଆସିବା ତୁମ୍ଭ ହେବକି ରାଜାଧିରାଜ 

ଚକ୍ରବର୍ତ୍ତୀ ହେ ସମ୍ରାଟ 

ଶୁଭୁଛି କି ମୋର ଡାକ 

ଶୁଣି ତୁମ୍ଭେ କି ଆସିବ କୁହ ହେ ଆଜ 

ରଖିବ କି ମାନ ମୋହର 

ମୋ ଡାକେ ଆସିବ କି ହେ ସମ୍ରାଟ ମୋର ।


ଅନେକ ଯାତନା ସହି 

ଜନମ ଦେଇଛି ମୁହିଁ 

ମାତା ପଣ ରଖ ମୋର ଜଗଦୀଶ୍ବର 

ଆଜି ଏ ପରୀକ୍ଷା ବେଳ 

ଦିଅ ମୋର କଷ୍ଟ ଫଳ

ଦାତା ପଣେ ତୁମ୍ଭେ ପରା ଶ୍ରୀରାଜେଶ୍ୱର

ଶୁଣିବ ବିନତି ମାଆର 

ଶୁଣିବା କ୍ଷଣି ଆସିବ ହେ ଚକ୍ରଧର  ।


ବିତିଲା ଅନେକ କ୍ଷଣ 

ହେଲେ ନମିଳେ ଦର୍ଶନ 

ପରମ ପୁରୁଷ ଥିଲେ ଯଜ୍ଞରେ ବ୍ୟସ୍ତ 

ବ୍ରାହ୍ମଣଙ୍କ ବେଦଧ୍ୱନି 

ସେ ଡାକ ଭେଦି ପାରେନି 

ପବନେ ମିଶଇ ହୋଇ ମୁଖୁ ନିର୍ଗତ 

ମା ଦେବକୀ ହେଲେ ନିରାଶ

ଡାକ ନଶୁଣିଲେ ପ୍ରଭୁ ଦ୍ଵାରକାଧୀଶ ।


ଲୋତକେ ଭିଜା ନୟନ 

ଅସ୍ଥିର ସେ ହୃଦ ମନ 

ବାତ୍ସଲ୍ୟେ ହେଲେ ଉଚ୍ଛନ୍ନ ଯଶୋଦା ରାଣୀ 

କହ୍ନାଇକୁ ହୃଦେ ଚିନ୍ତି 

ଆତୁର ସ୍ଵରେ ଡାକନ୍ତି 

ଆ... ମୋ ପରାଣ ଧନ ହୃଦୟ ମଣି 

ମୋ ସୁନା ମୋ କଳା ମାଣିକ 

ନୟନ ପସରା ମୋର ହୃଦ ସ୍ପନ୍ଦକ 


କାହିଁ ଗଲୁ ଶ୍ୟାମଘନ 

ତୋ ବିନା ଯାଉଛି ପ୍ରାଣ 

ବାବୁ ମୋ ଜୀବ ଜୀବନ ଆସ ତୁ ବାରେ 

ନୟନ ପିତୁଳା ମୋର 

ମୋ ହୃଦ ରତନ ହାର 

ନ ଦେଖି ବଦନ ତୋର ମୁହିଁ ଯେ ମରେ 

ଆ' ରେ ମୋର ଅନ୍ଧ ଲଉଡ଼ି 

କାହିଁ ଗଲୁ ଧନ ମୋର ମୋତେ ତୁ ଛାଡି ।


ଚିନ୍ତା ଘାରୁଥାଇ କେତେ 

ଦଣ୍ଡେ ନଦେଖିଲେ ତୋତେ 

ବଞ୍ଚିବି କହ କେମନ୍ତେ ତୋ ବିନା ମୁହିଁ 

ସନ୍ତପ୍ତ ହେଉଛି ମନ 

ପିଣ୍ଡେ ମୋ ନାହିଁ ପରାଣ 

ସାଜି ଯେ ହୃଦ ଚନ୍ଦନ ଆସରେ ଧାଇଁ 

ଏହି ମତେ ଯଶୋଦା ରାଣୀ 

କହ୍ନାଇକୁ ଡାକୁଥାନ୍ତି ହୋଇ ବାୟାଣୀ ।


ଆକାଶ ପାତାଳ ଭେଦି 

ବହିଲା ସେ ସ୍ନେହ ନଦୀ 

କମ୍ପିଲା ଭେଦି ଗଗନ ସେ ଶବ୍ଦ ମାନ 

ଅଥୟ ହୋଇଲା ମନ 

ଥରିଲା ସେ ଯଜ୍ଞାସନ

ଉଠିଲେ ତେଜି ଆସନ କାଳିଆ ଧନ 

ଯଜ୍ଞ କର୍ମ ପଛେ ପକାଇ 

ମାଆ ମାଆ ଡାକି ସିଏ ଗଲେ ଯେ ଧାଇଁ ।


ଦିଶୁ ନାହିଁ ବାଟଘାଟ 

ଶୁଭେ ମାଆର ଉଚ୍ଚାଟ 

ମନେ ହୋଇ ଛଟପଟ କଳା କହ୍ନାଇ 

ହୋଇଲେ ବାଳୁତ ବେଶ 

ମନରେ ଭରି ଉଚ୍ଛ୍ଵାସ 

ଆସିଲେ ମାଆର ପାଶ ଆନନ୍ଦେ ଧାଇଁ 

ଭାବଗ୍ରାହୀ ଜଗତ ସାଇଁ 

ମଣ୍ଡିଲେ ମାଆର କୋଳ ବିହ୍ଵଳ ହୋଇ 


ଖୋଜନ୍ତି ସର ଲବଣୀ 

ମାଆର ମନକୁ ଜାଣି 

ଖୋଜନ୍ତି ସଖା ସୋଦର ଗୋପ ନାଗର 

ଖୋଜନ୍ତି ପିଅର ରାଇ 

ଖୋଜନ୍ତି ମୋ ବଂଶୀ କାହିଁ 

ପୁଛନ୍ତି ଦାମ ସୁଦାମ ସଖା ଖବର

ପୁଣି ନମି ମାତା ପୟରେ 

ତାଙ୍କ ପଦ ଧୌତ କଲେ ନୟନ ନୀରେ 


ସ୍ଵର୍ଗେ ଥାଇ ଦେବ ଗଣ 

ସହର୍ଷେ ପୁରାଇ ମନ 

ଧନ୍ୟ ଭାବଗ୍ରାହୀ ଧନ୍ୟ କହିଲେ ଯେତେ 

ତୁମ୍ଭେ ଯଶୋଦା ନନ୍ଦନ 

ତୁମ୍ଭେ ତା ହୃଦ ଚନ୍ଦନ 

ଯଶୋଦା ପୁତ୍ର ବିଦିତ ହେଉ ଜଗତେ 

କୃପା କର ଜଗଦୀଶ୍ବର 

ମାତୃ ସ୍ନେହେ ବନ୍ଧା ରହୁ ସାରା ସଂସାର ।।


Rate this content
Log in