କରି କରାଉ ଥାଏ ସେହି
କରି କରାଉ ଥାଏ ସେହି
ମାଆ ପାଶେ ବସି ଭାଗବତ ବାଣୀ
ଦିନେ ଶୁଣୁଥିଲି ମୁହିଁ
କାନରେ ପଡିଲା ସେ ସବୁ କରାନ୍ତି
ତାଙ୍କ ବିନା ଗତି ନାହିଁ ।
ଅଜ୍ଞାନ ମନ ମୋ ଭାଳି ହେଲା ଭାରି
ସବୁ ସେ କରାନ୍ତି ଯଦି
ଅନ୍ୟାୟ ଅନୀତି କରି ମଣିଷର
ଦୋଷ ବା ହେଲା କେଉଁଠି ?
ସୁକର୍ମ ବି ତାଙ୍କ କୁକର୍ମ ବି ତାଙ୍କ
ସବୁ ତ କାର୍ଯ୍ୟ ତାଙ୍କରି
ତାହେଲେ ମଣିଷ କର୍ମ କାହିଁ କରେ
ପାପପୁଣ୍ଯକୁ ବିଚାରି ?
ମନ ମୋର ଜମା ଥୟ ହେଲା ନାହିଁ
ଚାଲିଲି ଗୋସେଇଁ ପାଶେ
କହିଲି ଗୋସେଇଁ ପ୍ରଶ୍ନ ଏଇ ନେଇ
ଆସିଛି ଉତ୍ତର ଆଶେ ।
ସ୍ମିତହାସ୍ୟ ହସି କହିଲେ ଗୋସେଇଁ
ସତ୍ୟ ଭାଗବତ ବାଣୀ
ମନଟା ଅଯଥା ଦ୍ୱନ୍ଦ ସୃଷ୍ଟି କରେ
ଗୁଢ଼ ତତ୍ତ୍ଵକୁ ନଜାଣି ।
ମଣିଷ ଜୀବନ ବଞ୍ଚିବା ନିୟମ
ସୃଷ୍ଟି କଲେ ଭଗବାନ
ପାଳିବା ତାହାକୁ କର୍ତ୍ତବ୍ଯ ଦର୍ଶାଇ
ଧର୍ମ ଦେଲେ ତାର ନାମ ।
ଚେତନା ରୂପରେ ପୁଣି ବିରାଜିଲେ
ଶରୀର ମଧ୍ୟରେ ସିଏ
ଦ୍ୱନ୍ଦ ଯେବେ ଆସି ଉପସ୍ଥିତ ହୁଏ
ବାଟ ସେ ବତାଇ ଦିଏ ।
ପୁଣି ସେ କହିଲେ ବାଟ ଦେଖାଇବି
ନହେବି ତୋ କର୍ମେ ଲିପ୍ତ
ମୋ ବାଟେ ଚାଲିବୁ ଅନ୍ୟ ପଥେ ଯିବୁ
ବାଛିବା ତୋର ଦାୟିତ୍ଵ ।
କାମ ଅହଙ୍କାରେ ବଶ ଏଇ ମନ
ନଶୁଣି ଚେତନା କଥା
କଉଶଳ କରି ନିଜ ସ୍ୱାର୍ଥ ପାଇଁ
ବାଛେ ଯା ସହଜ ପନ୍ଥା ।
ଭାବେ ନାହିଁ ତିଳେ ଏ ସ୍ୱାର୍ଥ ହାସଲେ
ହେବ କି କାହାର କ୍ଷତି
ବିବେକଠୁ ଦୂରେ ଅଧର୍ମ ଆଡକୁ
ଟାଣିଥାଏ ତାର ମତି ।
ତେଣୁ ଜଗତର ଯେତେକ ସୁକର୍ମ
ଚେତନ ଶକ୍ତି କରାଏ
କୁକର୍ମ ଯେତେକ ରହିଲା ସଂସାରେ
ମନ ଦ୍ଵାରା ହୋଇଥାଏ ।
ବାଟ ଦେଖାଇବେ ଫଳ ସିଏ ଦେବେ
ମାନବ ଦାୟିତ୍ଵ କର୍ମ
ସେ କି ଆଚରିବ ତା' ପରେ ନିର୍ଭର
ଧର୍ମ ହେଉ ବା ଅଧର୍ମ ।
ଜୀବନରେ ସଦା କର୍ମ କରୁଥିଲେ
ତାଙ୍କ ପଥ ଅନୁସରି
ଏ ଜୀବକୁ ଅନ୍ତେ ଶରଣ ମିଳଇ
ଚରଣ ତଳେ ତାଙ୍କରି ।
ଗୋସେଇଁ ମୁହଁରୁ ଶୁଣି ଏହିପରି
ଭାଗବତ ମହାତତ୍ତ୍ଵ
ମହା ଆନନ୍ଦରେ ଗୃହ ମୁଁ ଫେରିଲି
କରି ନିଜ ମନ ତୃପ୍ତ ।