ଦେବଦାସୀ
ଦେବଦାସୀ
(ଛନ୍ଦ :- ଚୋଖି)
ପ୍ରେମମୟୀ ରାଧାରାଣୀ
କି ମନ୍ତ୍ର କଲେ କେଜାଣି
ନୟନେ ପୁଲକ ଭରି କମ୍ପିଲା ହିଆ
ଦେଖି ତୁମ ଚକାଆଖି
ମନ ମୋ ରହିଲା ଲାଖି
ଅରପି ନିଜକୁ ଦୂରେ ହୋଇଲି ଠିଆ
ତୁମରି ସେ ପ୍ରେମରେ ପଡି
ସଂସାର ଜଞ୍ଜାଳ ଦୂରେ ଆସିଲି ଛାଡି ।
ପ୍ରଣୟିନୀ ଭାବ ନେଇ
ନିତି ମୁଁ ହୁଏ ସଜାଇ
ମଥାରେ ସିନ୍ଦୂର ନାଇ ତୁମରି ପାଇଁ
ତୁମ୍ଭର ଜଗତ ସାଇଁ
ସିନା ମୁଁ କେହି ନୁହଁଇ
ତୁମେ ମୋର ପ୍ରାଣ ହୋଇ ଯାଇଛ ରହି
ତେଣୁ ନାଇ ଅଳତାଗାର
ତୁମ ଭାବେ ନାଚି ଚାଲେ ପିନ୍ଧି ଘୁଙ୍ଗୁର ।
ଚଳାଇ ସାରା ସଂସାର
ନିଶି ଶେଷେ ଶ୍ରମ ଭାର
ପ୍ରଭୁ ଶ୍ରୀଅଙ୍ଗେ ତୁମ୍ଭର ଥିବ ଯେ ଲାଗି
ଶୁଣି ସେ ଗୀତଗୋବିନ୍ଦ
ତୁମ୍ଭେ ହୋଇଲେ ଆନନ୍ଦ
ସତେକି ପରମାନନ୍ଦ ଯାଏ ମୁଁ ପାଇ
ଦେଖି ଦେଇ ସେ କଳାମୁଖ
ହରଣ ହୁଅଇ ମୋର ଆଜନ୍ମ ଦୁଃଖ ।
ନିରିମାଖି ମନ ନେଇ
ତୁମ୍ଭକୁ ହୃଦରେ ଧ୍ୟାଇ
ଆସେ ମୁଁ ମନ୍ଦିର ଧାଇଁ ହେ ମୋର ନାଥ
ପ୍ରାପ୍ତିର ତ ଆଶା ନାହିଁ
ମାନ ବା ମାରିବି କାହିଁ
ଖୁସି ତୁମେ ଦେଲେ ଚାହିଁ ଜଗତ ନାଥ
ପରିଚୟ କି ଲୋଡ଼ା ମୋର
ଦାସୀ ପଣ ଦିଅ ସେବୁଥିବି ପୟର ।
ପାଦେ ମୋର ଦିଅ ଶକ୍ତି
ନାଚୁଥାଏ ମୁଁ ଏମିତି
ପହୁଡ ସେବାରେ ନିତି ତୁମରି ପାଶେ
ଦେଖି ହରଷ ବଦନ
ହଜୁ ଥାଉ ନିତି ମନ
ଭିଜୁ ଥାଉ ମୋ ପରାଣ ପ୍ରଣୟ ଆଶେ
ଅନ୍ତେ ଲଭି ପୁଣି ଜନମ
ଶ୍ରୀଚରଣ ସେବା ପାଇଁ ମିଳୁ ଜୀବନ ।।