STORYMIRROR

Rabinarayan Senapati

Abstract Drama Children

4  

Rabinarayan Senapati

Abstract Drama Children

ଠକ ଜେଜେ

ଠକ ଜେଜେ

2 mins
350


ଗପ କୁହ, ଯେସମୟେ ଯେବେ ମୁଁ ଡାକିଲି,

ଆଗ୍ରହେ ଗପିଲ ଜେଜେ, ଅବଶ୍ୟ ମାନିଲି,

ସାତ କାଣ୍ଡ ରାମାୟଣ ତୁମ୍ଭ ପ୍ରିୟ ମୁଣି,

ମନ୍ଥରା ମନ୍ଥନ, ଆଉ କୈକେୟୀଙ୍କ ବିସ୍ମୃତ ଜିଜ୍ଞାସା,

କୌଶଲ୍ୟା ଭାଳେଣୀ ପୁଣି ରାଜାଙ୍କ ମେଲାଣି,

ସର୍ବମୂଳେ ଭାରବୁହା ଶ୍ରବଣ କୁମାର,

ପାତ୍ରେ ଭରେ, ଝରଣାର ସୁଶୀତଳ ପାଣି,

ହେ ରାଜନ! ଶୁଣ ମୋର ଶାପ,

ଏକ ଶରେ ଅଯୋଧ୍ୟାର ସିଂହାସନ, ପଡିଲାକି ଟଳି।।


କାଷ୍ଠର ପାଦୁକାପରେ ହସ୍ତୀଦନ୍ତ ଚୁଳି,

କୋଟି ଯୁଗ ଅଭିଶିକ୍ତ କୁମାର ଭରତ,

ଅନୁଜ ଲକ୍ଷ୍ମଣ, ଅପଲକ ଚଉଦ ବରଷ,

ମହାତ୍ୟାଗୀ, ତ୍ୟେଜି ଭୟ, ଜାୟା, ନିଦ୍ରା, କ୍ଷୂଧା,

କିନ୍ତୁ କ୍ଷୂଦ୍ର ମହାଭକ୍ତ ମାରୁତି ତୁଲ୍ୟରେ,

କହୁପଛେ ବହୁକଳ୍ପ, ଗୃହ ଶତୃ ବିଭୀଷଣ,

ଅଭୃକ୍ଷେପ ଅଯାଚିତ ଉପଦେଶ ଅନେକ ଅଜାଡେ,

ସହସ୍ର ଧୀକ୍କାର,

ମୁଣ୍ଡପାତି ସହିନିଏ ଆତ୍ମ ନିର୍ବାସନ।।


ତାଡକା, ମରୀଚ, ଜଟାୟୂ, ଦସ୍ୟୁ ରତ୍ନାକର,

ନାଉରୀ ନକରେ ପାରି,

ଶତ ଡର, ଅହଲ୍ୟା ଉଦ୍ଧାର,

ଶବରୁଣୀ ସୁମିଷ୍ଟ ଉଚିଷ୍ଟ,

କୁହ ଜେଜେ, ଏତେ ମନ୍ଦ କ'ଣ,

ସୃପଣେଖା ପ୍ରେମ ନିବେଦନ,

ପରିଣତି କି'ବା ଆବଶ୍ୟକ,

କର୍ଣ୍ଣ ନାସା କରିବା ଛେଦନ,

ଦିଗ୍ ବଳୟ ତେନ ପାରି ସୁନାର ହରିଣ,

ମୋହଗ୍ରସ୍ତ ସ୍ବୟଂ ପ୍ରଭୁ, ପଶ୍ଚ୍ୟାତେ ଧାବନ୍ତି,

ମାୟା ଡାକେ, ତ୍ରାହିମାଂ ଲକ୍ଷ୍ମଣ।।


ଗ୍ରାସେ କାଳ ମାୟା,

ଭର୍ସିତ ଦେବର ଯା'ନ୍ତି,

କୁଣ୍ଠିତେ ଅଙ୍କନ କରି, ଯୁଗ ଯୁଗ ରେଖାତ୍ରୟ,

ସୀମାବଦ୍ଧ କୁଳବଧୂ, ଛଳନା ପରିଚାଳିତ,

ପୁଷ୍ପଭରା ପୁଷ୍ପକ ବିମାନେ, ଅପହୃତା ମାତ,

କିଏ ଅବା ସାକ୍ଷୀ, ଏ ଅପହରଣ'କି କାମନା ତାଡନା!

ସାକ୍ଷୀ ସେ ଅଶୋକ ବନ, ସାକ୍ଷୀ ମନ୍ଦୋଦରୀ,

ସାକ୍ଷୀ ସ୍ବୟଂ ଅଗ୍ନି ଦେବ, ରାବଣ ପକ୍ଷରେ,

ତଥାପି ହେ ଜେଜେ, ତୁମ୍ଭ ଗଳ୍ପ ମାନିନେଲି,

ଦଶାନନ ବିରୁଦ୍ଧରେ,

ରାମରାଜ୍ୟ ଦେଖିବା ଆଶାରେ।।


ଦୂତ ସେ ପବନ ତନୟ,

ଲଙ୍କାକାଣ୍ଡ, ସ୍ବର୍ଣ୍ଣମୟୀ ରାଜ୍ୟ ଛାରଖାର,

ସେତୁ'ତ ସମ୍ପର୍କ ଯୋଡେ,

ସେତୁବନ୍ଧେ ଶତ୍ରୁର ପ୍ରବେଶ,ପ୍ରଜାକୁଳ ଯାନ୍ତି ନାଶ,

ରାଜାର ଦର୍ପରେ,

କୁମ୍ଭକର୍ଣ୍ଣ ନିଦ୍ରା ତୁଟିଯାଏ,

ଭୂପତିତ ଦଶଶୀର ପଣ୍ଡିତ ପ୍ରବର,

ବିଜିତଠୁ ସବିନୟ ଶୁଣି ପ୍ରବଚନ,

ରାମରାଜ୍ୟର ଖସଡ଼ା,

ସର୍ବକାଳ ସ୍ବର୍ଣ୍ଣାକ୍ଷରେ, ଶ୍ରେଷ୍ଠ ସେ ଶାସନ।।


କିନ୍ତୁ ଜେଜେ, ଏତେ ଯୁଦ୍ଧାନ୍ତରେ,

ରାମରାଜ୍ୟେ, ସାମାନ୍ୟ ରଜକର ଅପବାଦେ,

ସ୍ବୟଂ ମାତା ନିର୍ବାସିତ ଗର୍ଭବତୀ ରାଣୀ,

ଜଟିଳ ଯମଜ, ଜନ୍ମନ୍ତି ଅରଣ୍ୟେ ମୁନିର ଆଶ୍ରମେ,

ଅଶ୍ବମେଧ ଅଶ୍ବର ବନ୍ଧନ,

ସ୍ବର୍ଣ୍ଣ ପ୍ରତିମାର ସୀତା,

ଏ'କି ରାମରାଜ୍ୟ!

ଅସହଣି ବସୁଧା ଫାଟିଲା,

ବରିନେଲେ ଭୂମିସୁତା ସ୍ବଗୃହେ ପ୍ରସ୍ଥାନ।।


ଜେଜେ ତୁମ୍ଭେ ଏଇଠି ଠକିଲ,

ରାମାୟଣର ବୋଝନେଇ,

ଧରିତ୍ରୀର ବୁକୁ ଚିରିଗଲା ପରେ,

ଆଉ କିଛି ଗପିଲନି,

ଜାଣିବି କିଭାବେ ଅସଲ ରାମରାଜ୍ୟର ସ୍ବରୂପ,

ଏହା କିବା ଇଚ୍ଛାକୃତ, ରାମରାଜ୍ୟ ମରୀଚିକା,

ଦିଗନ୍ତର ସୁଶୋଭିତ ଇନ୍ଦ୍ରଧନୁ ସମ,

ସେଥିପାଇଁ ଏତେ ମନୋରମ,

ଶାସକର ଚିରନ୍ତନ ପ୍ରତିଶ୍ରୁତି,

ରାମପ୍ରାୟ କରିବେ ରାଜୁତି,

ନକହି ନବର୍ଣ୍ଣି, ସେପୁରକୁ ଠକି ଚାଲିଗଲ।।


ଆଉଜଣେ ଜେଜେ,

କହିଥିଲେ ଆଣିଦେବେ ରାମରାଜ୍ୟ,

ଘଟିଥିଲା ଅହିଂସାର ବହୁୁ ରକ୍ତପାତ,

ଧ୍ବଂସ ଲଙ୍କା, ଆପଣାର ସୁନାର ଭାରତେ,

ବିଦେଶୀ ଗୋରା ବେପାରୀ,

ହଟିଗଲେ ଫଟାଇ ଏ ଧରା,

ଚିରକାଳ ଭଗ୍ନବାହୁ, ପୂର୍ବ ଓ ପଶ୍ଚିମେ,

ଲକ୍ଷେ ମାତା ଗଲେ ନିର୍ବାସନ,

ଲକ୍ଷ ଲକ୍ଷ ଗୃହଦାହ, ହତ୍ୟା ଓ ଲୁଣ୍ଠନ,

ହତଭମ୍ବ ଜେଜେ ଆମ,

ସ୍ବରାଜ ରାମରାଜ୍ୟର ସ୍ବପ୍ନ ଜାଗ୍ରତ କରି,

ରାମଧୂନ ଗାଇ ଗାଇ, ଶେଷେ ପୁଣି,

ରାମନାମ ତୁଣ୍ଡେଧରି, ଠକି ଚାଲିଗଲେ।।


ଇତିହାସର ପୃଷ୍ଠାରେ ଏମିତି,

ଅନେକ ରାମରାଜ୍ୟର ପ୍ରତିଷ୍ଠା, ରାଜନେ କରନ୍ତି,

ଆଶାର ମୀନାର କଲ୍ପିତ,

ଲଙ୍କା କାଣ୍ଡ, ଧ୍ବଂସ ଓ ବିଲୟ, ଅବଶ୍ୟ ନିଶ୍ଚିତ,

ମୃଗତୃଷ୍ନା ଇନ୍ଦ୍ରଧନୁର ବିଭୋର ସ୍ବପ୍ନରେ,

ଅନେକ ସଂହାର ଲୀଳା, ସଂଘଟିତ ହୋଇଛି ଧରାରେ,

ଅଲଂଘ୍ୟ ସେ ସମୟର ଶତଧାରା,

ମହାକାଳର ପ୍ରଳୟେ, ଭିଏତନାମ୍, ସିଂହଳ,

ଅବା ଯେ ଗାନ୍ଧାର, ବାଗ୍ଦାଦ୍ ପୁନଶ୍ଚ ସିରିଆ,

ସବୁଠି ପ୍ରତିଷ୍ଠିତ ହୁଏ, ପ୍ରତିଶ୍ରୁତ ରଘୁବଂଶ,

ନକହି ଏ ରାମରାଜ୍ୟଟା କିସ,

ଜେଜେ ଯେତେ ଠକି ଚାଲିଯାନ୍ତି।।


ସର୍ବଦିଗେ ସଂଗଠିତ, ସଂଘଟିତ,

ସର୍ବବ୍ୟାପୀ ହିଂସା ଓ ବିଦ୍ବେଷ,

ସବୁଠି ବିକ୍ରି ହୁଏ, ରାମରାଜ୍ୟ ବିଜ୍ଞାପନ,

ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ଶିଳ୍ପ,

ଜଳ, ସ୍ଥଳ, ଆକାଶକୁ ପ୍ରକମ୍ପିତ କରେ,

ସୁଶାସନ ସ୍ବପ୍ନେ ମସଗୁଲ,

ଦିଗନ୍ତରେ ଶୋଭିତ ବର୍ଣ୍ଣାଳୀ,

ଏ ମଣିଷ ଗୃହେ ଯୁଦ୍ଧ କରେ,

ମାନବିକତାର ଲକ୍ଷେ ହତ୍ୟା, ଘଟିଚାଲେ ନିତି ପ୍ରତିଦିନ,

ଅପେକ୍ଷା ସେ କରେ, ରଘୁନନ୍ଦନ ଶାସନ।।


କାହାନ୍ତି ସେ ମର୍ଯ୍ୟାଦା ପୁରୁଷ,

ଅବା ସେ ମହାତ୍ମା ଜେଜେ,

ସର୍ବେ ଆଜି ରାମ,

ବହୁ ପ୍ରୟୋଜନ ଏଠି ଲକ୍ଷେ ବିଭୀଷଣ

କହିବାକୁ ରାଜା କାନେ ସତ୍ୟର ବଚନ,

ମାୟାଯୁଦ୍ଧେ ଇନ୍ଦ୍ରଜିତ ମାନେ, ରାମପ୍ରାୟ ଦୃଶ୍ୟମାନ,

ହେ ପଣ୍ଡିତ ଦଶାନନ, ଆସ ଏ ଧରାକୁ,

ଚିହ୍ନାଇ ଯାଅ ଏଠାରେ ଅସଲି ରାମଙ୍କୁ,

ଶିଖାଇ ଯାଅ ତାହାଙ୍କୁ, ଶାସନ ସ୍ବରୂପ,

ନଚେତ ଏହା ସୁନିଶ୍ଚିତ,

ଜପି ଜପି ରାମନାମ ଭଣ୍ଡ ଜେଜେ ମାନେ,

ଅଖଣ୍ଡତାର ମାୟାଜାଲ ବୁଣି ବୁଣି,

ଗୃହଯୁଦ୍ଧେ, ଖଣ୍ଡ ବିଖଣ୍ଡିତ କରି ଏ ଭୂଖଣ୍ଡ,

ଅନ୍ୟକାଳ ସମ, ଠକ ଠକ, ଠକି ଚାଲିଯିବେ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rabinarayan Senapati

ଦଙ୍ଗା

ଦଙ୍ଗା

2 mins ପଢ଼ନ୍ତୁ

ସଭ୍ୟତା

ସଭ୍ୟତା

2 mins ପଢ଼ନ୍ତୁ

ସମୟ

ସମୟ

9 mins ପଢ଼ନ୍ତୁ

Similar oriya poem from Abstract