STORYMIRROR

Rabinarayan Senapati

Tragedy Inspirational

4  

Rabinarayan Senapati

Tragedy Inspirational

ଦଙ୍ଗା

ଦଙ୍ଗା

2 mins
344


ଦଙ୍ଗା କିଏ କଲା?

ନିଆଁ ଅବା ବାରୁଦ?

ବନ୍ଧୁ ଉତ୍ତର ଦେଲେ, ବାରୁଦ ଶୋଇଥିଲା,

ନିଆଁର ଦୋଷ, ସେ କାହିଁକି କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କଲା।


ଜାଣେନି, ନିଆଁ ମୁଁ ଯାହାକୁ କହୁଥିଲି 

ବନ୍ଧୁ ତାକୁ ବାରୁଦ ବିଚାରୁ ନାହାନ୍ତି ତ?

ଏମିତି ଓଲଟ ପାଲଟ ଭାବୁଥାଉ ପଛେ,

ଆମେ ଉଭୟ ଜାଣୁଥିଲୁ ଅଗ୍ନି ଓ ବିସ୍ଫୋରକର ଉପସ୍ଥିତି,

ଏସବୁ ଗୋପନୀୟ କଥା,

ଭଲକରି ଆଲୋଚନାକୁ ଆମେ ଉଭୟ ଡରୁଥିଲୁ,

ବନ୍ଧୁତାରେ ବିଘ୍ନ ଆମେ ଲୋଡୁନଥିଲୁ,

ଏ କ'ଣ କମ କଥା?

ଆଶା ଓ ଆଲୋକର ବୁନିଆଦି ଅତୁଟ ଏ ଆସ୍ଥା।


 ଏ ସ୍ଫୁଲିଙ୍ଗ ଓ ଦହ୍ୟ ମଧ୍ୟେ ଶତ୍ରୁତା ଅବା ମିତ୍ରତା?

 ରେ ରେକାର ମଧ୍ୟେ ସ୍ପଷ୍ଟ ତାଙ୍କ ପରିପୂରକ ଅବସ୍ଥା,

 ବନ୍ଧୁଙ୍କୁ ପଚାରିଲି, 

 କିନ୍ତୁ କୁହ କାଗଜ ଓ ତୁଳା ଆଉ ଯେତେ ଆସବାବ

 ଏମାନଙ୍କ ଦୋଷ କ'ଣ,

 କାହିଁକି ଜଳିବେ? କ'ଣ ପାଇଁ ପକ୍ଷ ନେବେ?

 ନା ସେମାନେ ଲାଣ୍ଡମାଇନ ବିଝାଇଥିଲେ,

 ନା ଭିଡିଥିଲେ ପେଟ୍ରୋଲ ବମ୍!

 

 ବନ୍ଧୁ ଭଲ କଥାଟିଏ କହିଲେ।

 ସେତିକି କ'ଣ ଯଥେଷ୍ଟ ?

 କାଗଜରେ ଲେଖା ହେବାର ଥିଲା ଶାନ୍ତି,

 କଲମରୁ ଝରିବାର ଥିଲା ଦମକଳ ଭଳି ଅଜସ୍ର ବାରିଧି,

 ଲେଖିଛି କି କବି?

 ଗାଇଛି କୋଇଲି ଅନ୍ତର୍ଭେଦୀ ନିର୍ବାପକ?

 ଶବ୍ଦ ସବୁ ଆଉଜି ଯାଇଛନ୍ତି କିଏ ବାରୁଦ

 ଏବଂ କିଏ ନିଆଁ ପକ୍ଷ ନେଇ,

 କଲମର ଏହା ଧର୍ମ କି?

 

ମୋ ପାଖେ ନଥିଲା ଉତ୍ତର,

ସମସ୍ତେ ଆଜି ବାଦୀ ସାହିତ୍ୟର ପ୍ରବର୍ତ୍ତକ,

କିଏ ମଶାଲ, କିଏ ଦା ବା ଧନୁଶର, ଆଉ କିଏ ଲାଲ୍ 

କଳା ବା ଅନ୍ୟାନ୍ୟ ରଙ୍ଗର,

କିଏ ସାମ୍ୟବାଦୀ, କିଏ ରାଷ୍ଟ୍ରବାଦୀ,

କିଏ ଷଡମୁଖୀ ଆଉ କିଏ ଜାତି, ଧର୍ମ ଓ ଗୋଷ୍ଠୀ ବିଭାଗର,

ସର୍ବଶେଷେ କିଏ ଅଗ୍ନିର ତ ଆଉ କିଏ ଆରଡିଏକ୍ସର,

ନଦୀ, ପୁଷ୍କରିଣୀ ସବୁ ଶୁଷ୍କ, 

ଅଗ୍ନିଶମ ବାହିନୀରେ ଅଭାବ କବି ମାନବ ସମ୍ବଳ।


ତାହେଲେ ବନ୍ଧୁ କରିବା କିସ?


ବନ୍ଧୁ କହିଲେ,

କ'ଣ ଆଉ କରିବା,

ଅନ୍ତତଃ ପାଣି କଳସୀଟିଏ ମୁଣ୍ଡେଇ ଥିବା

ଗୁଣ୍ଡୁଚିଟିଏ ହେବା,

କୋଟିବସ୍ତ୍ରର ଅପେକ୍ଷା ନକରି 

ଗଢିବା ପ୍ରାଚୀର ଶହ ଶହ ମହଣ ବରଫର, 

ନିଆଁ ଆଉ ବାରୁଦ ମଧ୍ୟରେ।


ଏତିକି ଲେଖିଲା ବେଳକୁ ପ୍ରିୟତମା ପତ୍ନୀ ପଚାରିଲେ,

କେମିତି ଯିବି ମୋ ଦୂର କର୍ମସ୍ଥଳ,

ବଗିରେ କିଏ ନିଆଁ ଲଗାଇ ଦେବେନି ତ, 

ଦିନରେ ଯିବି ନା ରାତିରେ ଅବା ଯିବି କାରରେ,

ସବୁ ଭାବନା ତୁଟିଗଲା,

ନଥିଲା ଉତ୍ତର,

କେମିତି ଜାଣିବା ଭୟ କାହାଠାରୁ,

ନିଆଁ ଅବା ବାରୁଦ,

କିଏ ନିଆଁ କିଏ ସେ ବାରୁଦ?

ଚତୁର୍ଦ୍ଦିଗ ପଥ ଓ ଆକାଶ ସବୁଠି ଶୁଭୁଛି

ଦଙ୍ଗାର ଦୁନ୍ଦୁଭି,

ଫୋନ ଖୋଲିଲେ ଦଙ୍ଗା,

ଫୋନ ବନ୍ଦ କଲେ ଆଶଙ୍କା,

ନିଆଁ ଓ ବାରୁଦ ଜମା କରୁଥିବା ଠିକାଦାରଏ ମାତିଛନ୍ତି,

ଘର କୋଣରେ ରିମୋର୍ଟ ଧରି ଜାଳୁଛନ୍ତି,

ଆମେ ତୁମେ ଯେତେକ ସବୁ କାଠର ପିତୁଳା

ଜଳି ପୋଡ଼ି ପାଉଁଶ ହେଲେ ନାହିଁ ପରବାୟ।


ତେବେ କବି?

ସେ କ'ଣ କହିପାରିବ ତା'ର କି ଯାଏ,

ସେ କି କୋଟିବସ୍ତ୍ରର ଦାୟ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rabinarayan Senapati

ଦଙ୍ଗା

ଦଙ୍ଗା

2 mins ପଢ଼ନ୍ତୁ

ସଭ୍ୟତା

ସଭ୍ୟତା

2 mins ପଢ଼ନ୍ତୁ

ସମୟ

ସମୟ

9 mins ପଢ଼ନ୍ତୁ

Similar oriya poem from Tragedy