STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବାର୍ଦ୍ଧକ୍ୟର ବିଳାପ

ବାର୍ଦ୍ଧକ୍ୟର ବିଳାପ

2 mins
278


ଦୀନାଅଜା ଆଉ ଉଠିପାରୁ ନାହିଁ

   ଏକ ସ୍ଥାନେ ବସିଅଛି,

ନିଜେ ନିଜେ ଯାହା ବିଳାପ କରୁଛି 

   କିଏ ତା' କଥା ଶୁଣୁଛି‌?

ଜୀବନର ଶେଷ ଅବସ୍ଥାରେ ଅଜା

    ପହଞ୍ଚିଗଲାଣି‌ ଆସି,

ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣା ଭୋଗୁଛି

    ବୟସଟା‌ ଅଠାଅଶୀ।

ଗୋଡକୁ କହୁଛି ଦୀନାଅଜା‌ ବସି

    ମୋତେ ବଜାରକୁ ନେଏ,

ଗୋଡ଼ କହୁଛନ୍ତି ତୋ କଥାକୁ ଆଉ

     ଆମର ମାନିବ କିଏ?

ମନେ ପକା ତୋର ଯୁବକ ବୟସ

    କେତେ ଉପଦ୍ରବ କଲୁ,

ତୀର୍ଥକୁ ନ ଯାଇ ଏଇ ଗୋଡେ ତୁହି

    ଅବାଟରେ ଧାଉଁଥିଲୁ‌।

କଥାକଥାକରେ‌ ଗୋଇଠା‌ ମାରିଛୁ

    ମାନିଲୁନି ବଡ଼ ସାନ,

 ମାଆବାପାଙ୍କର ପେଟେ ନାତ ଦେଇ

    ଛାଡିଲୁ‌ ଜରା ଆଶ୍ରମ।

ଆଜି‌ ତୁ କହୁଚୁ ବଜାରକୁ‌ ଯିବୁ

   କେବେ ତୋତେ ନେବି ନାହିଁ,

କର୍ମଫଳ ତୋର ପ୍ରାରବ୍ଧ‌ ଆକାରେ

    ଭୋଗ କରୁଥାରେ ତୁହି।

ଏତିକି ବେଳକୁ ବୁଢ଼ାର ପିଠିକୁ

    ମଶାଟିଏ କାମୁଡୁଛି,

ଦୀନା‌ ବୁଢ଼ା ହାତ ଟେକିଲା ବେଳକୁ

    ହାତ କିନ୍ତୁ ହସୁଅଛି।

ହାତ କହୁଅଛି ହାତ ଟେକିଛୁକି

    ଜୀବନରେ କେବେ ତୁହି,

ଓଲଟା ଏ ହାତେ ପରକୁ ଲୁଟିଛୁ‌

    ଅନ୍ଯର ରକତ‌ ପିଇ।

ଛୁରୀ ବନ୍ଧୁକ ତୁ ଧରିଛୁ‌ ଏ ହାତେ

    ମାନିନାହୁଁ ବଡ଼ସାନ‌,

କଥାକଥାକରେ‌ ଚାପୁଡ଼ା ମାରିଛୁ

    ପଡୁନିକି‌ ତୋର ମନ?

ଆଜି କିନ୍ତୁ ତୋର କୌଣସି ଆଦେଶ

    ଆମେ ତ ମାନିବୁ ନାହିଁ,

ବାର୍ଦ୍ଧକ୍ୟ ଏମିତି ତୋ ପାଇଁ ଆସିଛି

    ଚେତାବନୀ ଦେବାପାଇଁ।

ଆଖିକୁ ଦିଶୁନି ଦୀନା ଅଜାପୁଣି

    ଆଖିକୁ‌ ଗାଳି କଲାଣି‌,

ଆଖି କହୁଅଛି କର୍ମଫଳ ଛାଡି‌

    ମଣିଷ କି‌ ବଞ୍ଚିଲାଣି‌?

ପର ଧନ ପରଝିଅ‌ ବୋହୂଠାରେ‌

     ଦୃଷ୍ଟି ସଦା ଦେଉଥିଲୁ,

ଆଜି କିନ୍ତୁ ଶେଷ ଅବସ୍ଥାରେ ତୁହି

     ଦୃଷ୍ଟି ଶକ୍ତି ହରାଇଲୁ।

କାନକୁ ବି ଆଉ କଥା ଶୁଭୁନାହିଁ

     ବିରକ୍ତ ହେଉଛି ବୁଢ଼ା,

କାନ କହୁଅଛି ଶୁଣ ଦୀନବନ୍ଧୁ

    ଏଇ କର୍ମଫଳ ପରା‌।

ପର ପରଶଂସା ଶୁଣି ଚିଡୁଥିଲୁ‌

    ପର ଦୁଃଖ ଶୁଣି ହସୁ,

ରାମ ନାମ ସଂକୀର୍ତ୍ତନ ତୁ ନଶୁଣି

    ସେ ସ୍ଥାନରୁ ବେଗେ‌ ଖସୁ‌। 

କାମିନୀ ,କାଞ୍ଚନ, ମଦ ଓ ମାତ୍ସର୍ଯ୍ଯ‌

    ଲୋଭ କଲୁ ଗଣ୍ଠିଧନ ,

ହିଂସା,ରାଗ,ଦ୍ଵୈଷ,ମାନ, ଅଭିମାନ

    ଇଏ ତୋ ଆପଣା ଜନ।    

ଯେବେ ବଢି ଗଲା ବୟସ ଜୀବନେ

    ଯେବେ କ୍ଷୀଣ ହେଲା ଆୟୂ,

ଦେହ ମନ ବୁଦ୍ଧି ଇନ୍ଦ୍ରିୟ ମାନଙ୍କ

    ସମ୍ପର୍କଟି ନାହିଁ ଆଉ।

କହୁଛି ମୋ ମନ ବାରେ ବୋଲ ମାନ

   ହେ ମୋର ପ୍ରିୟ ଇନ୍ଦ୍ରିୟ,

ଇନ୍ଦ୍ରିୟ କୁହନ୍ତି ତୁମେ ଏବେ ଆମ

   ମାଲିକ ହୋଇକି ନାହଁ।

ତୁମ ଭାର ବହି ଥକି ପଡିଲୁଣି

   ଏବେ ସହି ହେଉ ନାହିଁଁ,

ବୟସର ଅପରାହ୍ନେ‌ ପହଞ୍ଚିଲ

   ହରିନାମ‌ ଭଜ ତୁହି‌।

ଜୀବନର ଶେଷ ସନ୍ଧ୍ୟା ବାଜିବାକୁ‌

   ଅଳପ‌ ସମୟ ବାକି,

ଉଡୁଅଛି‌ କାଳ ଛଞ୍ଚାଣ ବାବୁରେ‌

   ନେଇଯିବ ତୋତେ ଝାମ୍ପି‌।

ଏଣୁ ବେଳ ଦେଖି ଡାକ ଚକା ଆଖି

   ହୋଇଯିବୁ‌ କାଳେ ମୁକ୍ତି,

ବାଲ୍ୟକାଳୁଁ ଧର୍ମ ଧନ ସଞ୍ଚିଥିଲେ‌

   ଗୋବିନ୍ଦ ହୋଇବେ ସାଥୀ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy