କହିଦେବା କଥା
କହିଦେବା କଥା
🙏🙏କହିଦେବା କଥା🙏🙏
************ଅପର୍ତ୍ତି ସେଠୀ
(ରମ୍ୟ ରଚନା)
କହିଦେବାକଥା ବେଳେବେଳେ ଶସ୍ତା
ବେଳେ ବେଳେ ମହରଗ,
କେଉଁଟା ଉଚିତ କ'ଣ ଅନୁଚିତ୍
ପାଉନି ତା' ମୂଳଅଗ।
ବେଳେବେଳେ କିଛି ଏମିତିକା କଥା
ଘଟିଥାଏ ଜୀବନରେ,
କହିଦେବା କଥା ବହିଗଲା ପାଣି
ସତ ପୁଣି ଘଟିପାରେ।
ବାଇକ୍ ହର୍ଣ୍ଣଟି ଯଦି ବାଜିବନି
ଗ୍ୟାରେଜକୁ ନେଇଯିବ,
ମେକାନିକପାଖେବେଳେବେଳେ ପୁଣି
ହଠାତ୍ ବାଜିଉଠିବ।
ସେଭଳି ଗାଡିର ହେଡ୍ଲାଇଟ୍ଟା
ମୋର କାଲି ଜଳିଲାନି,
ଗ୍ଯାରେଜ ମିସ୍ତ୍ରୀକୁ ଦେଖୁଦେଖୁ କାହିଁ
ଜଳିଲା ମନକୁ ପୁଣି ।
ଗାଡ଼ିଟିଏ କ'ଣ ବୁଝିପାରି ନିଜେ
ଆପେ ହୋଇ ଗଲା ଠିକ୍,
ନା, ଅନ୍ଯକାରଣ ହେଲାସମାଧାନ
ମୋ ମନ ଭ୍ରମ ଥିଲା କି?
ଏ ଦଶକାରିଆ କେ ଅପଦଶିଆ
କା'ଦେହରେ ଚୂନମାରି,
ଲୋକେ ବି କହନ୍ତି ତା'ନାଆଁ ଧରି
ଦିନଟା ମୋ ଦେଲୁ ସାରି।
ନେଉଳବାଟରେଦେଖିଦେଲେକାଳେ
କୁହନ୍ତି ମଙ୍ଗଳ ବୋଲି,
ନେଉଳ ଦେଖିଛି କଚଡା଼ ଖାଇଛି
ପଣ୍ଡିତ ପାଖକୁ ଗଲି।
କୁହ ହୋ ପଣ୍ଡିତେ ନେଉଳ ଦେଖିଲି
କିନ୍ତୁ ଦୁର୍ଘଟଣା ହେଲା,
କୁହନ୍ତି ପଣ୍ଡିତ ତୁମର ଆଜି ତ
ଘାତଚନ୍ଦ୍ର ବାର ଥିଲା ।
ଏକା ପରିବାକୁ ବିଭିନ୍ନ ଢ଼ଙ୍ଗରେ
କାଟିକି ରୋଷେଇ କଲେ,,
ଆମ ପାଟିକୁ ସେ ପରିବା ସୁଆଦ
ଲାଗେ ବିଭିନ୍ନ ପ୍ରକାରେ।
ତିନି ମରକଟ ମରଣ ନିକଟ
ଏ କଥା ବି ମନ ଛୁଏଁ,
ତ୍ରିନାଥ ଠାକୁର ମେଳା କଲାବେଳେ
ତିନି ଶୁଭ ହୋଇଯାଏ।
ବାହାଘର ବେଳେ କଳା ରଙ୍ଗଟିକୁ
ଅଶୁଭଟି କୁହାଯାଏ,
ସେ କଳାକୁ ପୁଣି ଆଖିରେ କଜଳ
କରି ଝିଅ ପିନ୍ଧିଥାଏ।
ଗେରସ୍ତର ନାଁ ସ୍ତ୍ରୀ ତୁଣ୍ଡେ ନେଲେ
ପାପ ଲାଗିଯାଏ କାଳେ,
ଡର ଛାଡ଼େ ପୁଣି ଛାତିରେ ନଣ୍ଡାଏ
ଛେପ କାଳେ ପକାଇଲେ।
ନାଲିଆ ଏଣ୍ଡୁଅ ଟୁଙ୍ଗାରିଲେ ମୁଣ୍ଡ
ଯାତ୍ରାଟି ହୁଏ ସଫଳ,
ହଳଦୀ ବସନ୍ତ ଚଢେଇଟି ଦିଏ
ମାମୁଁ ଘରର ଖବର ।
ପ଼ଇସାର ହେଡ୍ ଟେଲ୍ ଦେଖି ଆମେ
ହାର୍ ଜିତ୍ ମାନିନେଉ,
ବହିରେ ମୟୁର ପୁଚ୍ଛ ରଖିଦେଇ
ପାଠୁଆଟି ହୋଇଯାଉ।
ହାତରୁ ପଡ଼ିଲେ ଖରିକାଟି ମାଆ
କୁଣିଆ ଆସିବେ କହେ,
ଛିଙ୍କ ପଡିଗଲେ ଆମ କଥାକାଳେ
ମନେ ପକାଉଛି କିଏ ।
ଠିକ୍ ଏହିଭଳି ବିଭିନ୍ନ କଳ୍ପନା
ମନ ମଧ୍ୟେ ହୁଏ ଗୋଳି,
ଜହ୍ନ କାଳେ ପ୍ରେମ କଇଁକୁ କରୁଛି
କବି ଭାବେ ଏହିଭଳି।
ଆକାଶରେଗୋଟେ ତାରାଦେଖି ପୁଣି
ଆଉ ଗୋଟେ ଖୋଜୁଥାଉ,
କୁକୁରଟି ରାଆ ଧରି କାନ୍ଦୁଥିଲେ
ଅଶୁଭଟି ଭାବୁଥାଉ।
ଅନୁକୂଳ କରି ଯାଉ ଥିଲେ ଖାଲି
ମାଠିଆ ଦେଖିଲେ ମନ୍ଦ,
ଖନା ବଚନରେ ଏମିତିକା ବୋଧେ
ଲେଖାଅଛି କେତେ ପଦ।
ଏହିସବୁ ଲୋକପ୍ରଥା କାହାଣୀରେ
ଲୁଚିଥାଏ କିଛି ସତ,
ସେ ସତ ମିଳିବ ଯହିଁ ଯାଅ ଛୁଅଁ
ବାପା ବୋଉଙ୍କର ପାଦ।
ଏବେମାଆମାନେ ୟୁଟ୍ଯବ ଖୋଲି
ଦେଖିଲେଣି ସାଧୁବାଣୀ,
ଲାଇକ୍ ନେବାକୁ ଯେ ଯାହା କହିଲା
ତାକୁ ପୁଣି ମାନିଲେଣି।
ଦିନେ ମୁଁ ଠାକୁର ପୂଜା କଲାବେଳେ
ହଠାତ୍ ଘରଣୀ ମୋର,
ଗର୍ଜି ସେ କହିଲା କାହିଁ ବାବାଫଟୋ
ରଖିଛ ଠାକୁର ଘର?
ଠାକୁରଙ୍କ ପାଖେ କୌଣସି ବାବାଙ୍କ
ଫଟୋ ରହିବନି ଜମା,
ଯଦି କୋଉବାବା ଫଟୋ ମୁଁ ଦେଖିବି
ଟପିଯିବି ସବୁ ସୀମା।
ଇଏ କୋଉକଥା ସିଦ୍ଧ ରଘୁବାବା
ସ୍ଵୟଂ ଯେ ମହାପୁରୁଷ,
ସିଏ ରହିବେନି ସେ ସିରିଡ଼ି ସାଇ
ବାବାଙ୍କୁ ରଖିଛ କିସ ?
ଏତିକି କହିଛି ଯାହା ତ ଘଟିଛି
କହୁନି ଆଗକୁ କିଛି,
ସମସ୍ତେ ଏଠାରେ ନିଜେନିଜେ ଠିକ୍
ଭୁଲ୍ ଏ ମୂର୍ଖ ଅପର୍ତ୍ତି।
(ପାଳକଣା,କୋରୋ, କେନ୍ଦ୍ରାପଡ଼ା
ମୋ-୭୮୯୪୩୯୮୫୦୦)
ବି.ଦ୍ର-(କାହାର କୃତିକୁ ନକଲ କରିବା ଡିଜିଟାଲ କପି ରାଇଟିଂ ଆକ୍ଟ ୨୦୨୨ ସଂଶୋଧିତ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ)।
