ମୋତେ ଭାରି ଭଲ ଲାଗେ
ମୋତେ ଭାରି ଭଲ ଲାଗେ


ମୋତେ ଭାରି ଭଲ ଲାଗେ
ବର୍ଷାରେ ଭିଜିବାକୁ
ଭିଜି ଭିଜି ହଜିବାକୁ
ହଜି ହଜି ମଜିବାକୁ
ମାଟିର ଗନ୍ଧରେ
ମୋ ଗାଁ ବନ୍ଧରେ
ପ୍ରକୃତିର ଛନ୍ଦରେ
ପିଲାବେଳେ ଭିଜୁଥିଲି
ସ୍କୁଲରୁ ଫେରିଲାବେଳେ
କାଗଜ ଡ଼ଙ୍ଗାର ମୋହରେ
ମାଛ ଧରିବା ଆଶାରେ
ସାର୍ଟକୁ ବାନ୍ଧି ମୁଣ୍ଡରେ
କେତେ ଯେ ନାଚିଛି
କେତେ ଯେ ଖେଳିଛି
ମାଡ ଗାଳି ବି ଖାଇଛି
ତଥାପି ଭିଜିଛି ଆଉ ଭିଜିଛି
କଲେଜ ଯିବା ବାଟରେ
ସହପାଠୀ ସାଙ୍ଗରେ
କେତେ ଯେ ଭିଜିଛି
ହିସାବ ନାହିଁ ତାର
ଟିପି ଟିପି ପାଣିରେ
ଦେହ ଭିଜୁ ନଥିଲା
ମନ ଭିଜୁ ଥିଲା
ଅଜଣା ପୁଲକରେ
ଅଜଣା ଆଶଙ୍କାରେ
ତଥାପି ଭିଜିଛି ଆଉ ଭିଜିଛି
ଆଜି ବି ଭିଜୁଛି
ବର୍ଷାରେ ଲୁହରେ ଲହୁରେ
ସଂସାର ମୋହରେ
ପ୍ରତିଷ୍ଠାର ନିଶାରେ
ସମାଜର ଆଖିଠାର
ପ୍ରଭାବ ପଡୁନି ମୋ ଉପରେ
ଜୀବନ ଜୀବିକାର ସନ୍ଧିକ୍ଷଣରେ
ତଥାପି ଭିଜୁଛି ଆଉ ଭିଜୁଛି