STORYMIRROR

Bhabagrahi Mahapatra

Comedy

4  

Bhabagrahi Mahapatra

Comedy

ଭାଇନା ! ନିଶ୍ଚେ ରାମରାଜ୍ୟ ଆଇବ ।

ଭାଇନା ! ନିଶ୍ଚେ ରାମରାଜ୍ୟ ଆଇବ ।

2 mins
253

ଭାଇନା ! ନିଶ୍ଚେ ରାମରାଜ୍ୟ ଆଇବ,

ଚାରିଆଡ଼େ ଏଠି ଭଦରନୋକିଆ ଯେଉଁଆଡ଼େ ତୁମେ ଚାହିଁବ।।


ଧନ ଅଛି ଯା'ର କରେ ବ୍ୟଭିଚାର ସମସ୍ତେ ଦେଖନ୍ତି ନୀରବେ,

ପଡ଼ିଶା ଘରରେ ଡାକୁ ପଶିଲେ ବି କେହି କହନ୍ତିନି ଧର ବେ,

ବେଳ ନାହିଁ ଆଉ ମେଳ ହୋଇବାକୁ ଅଭାବେ କି ପୁଣ୍ୟ ପରବେ ,

ତିନି ଟଙ୍କା ପାଇ ଛ ଟଙ୍କା ପାଇଁକି ଘୁରି ବୁଲୁଥାନ୍ତି ସରବେ।

କିଏ ଭାସିଗଲେ ଆମର କି ଯାଏ (ଯଦି) ନିଜଘରେ ନିଜେ ରହିବ,

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


ଗାନ୍ଧି କଥା ମାନି ସ୍ବାଧୀନା ମହିଳା ବୁଲନ୍ତି ନିଶାର୍ଦ୍ଧ ରାତିରେ,

ବୋପା ମା ବି ପୁରା ନୀରବ , ବୁଲୁ ସେ ବୁଲୁଅଛି କାହା ସାଥିରେ,

ପୁଅ ପିଇ ଗଡ଼ୁ ବିଚି ବଜାରେ କାହାର ନାହିଁ ଆପତ୍ତିରେ,

ନ ମାଗୁଣୁ ଝିଅବୋପା ଆଗତୁରା ଯାଚେ ଯୌତୁକ ସମ୍ପତ୍ତିରେ ।

ଆମେ ତ ମଡର୍ଣ୍ଣ ଯାହା କରିପାରୁ , କରିବୁ ମନ ଯା କହିବ ।

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


ଘରଆଗେ ଥାଉ ବଡ଼ ଖାଲ ହେଲେ ମାଟି ପକେଇବେ ସର୍କାରେ,

ମନ୍ଦିରରେ ଚାଲୁ ଯାତିରୀ ଶୋଷଣ କହିବା କ'ଣ ଦର୍କାରେ,

ନିଜ କବାଟଟା ପୁରା ଖୋଲା, ନାକ ପୁରେଇବା ପର ଝର୍କାରେ,

ନାମ ପରକାରେ କାମ ପରକାରେ କଥା ପୁଣି କେତେ ପର୍କାରେ ।

ସବୁ କାମେ ଯଦି କରିବା ଲୋକଟା କଣ ଲାଭ ଅଛି ଚାହିଁବ ,

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


ଗାଁ ଦାଣ୍ଡ ଏବେ ସିମେଣ୍ଟ ହେଲାଣି ଚାଳ ସବୁ ଉଠିଗଲାଣି,

ଗାଁ ଝିଅ ମୋବାଇଲି ଦେଖି ବଏ ଫ୍ରେଣ୍ଡ ସହ ଫେରାର ହେଲେଣି,

ଗାଁ ତୋଟା ଏବେ କଟାହୋଇ ସେଠି ରାଇସି ମିଲ କଲେଣି,

ଗାଁ ରାମା ଦାମା କୁଜିନେତା ହୋଇ ଶାସନ ହାତକୁ ନେଲେଣି ।

ଚଷାପୁଅ ଚାଷ ନ କରିକି ଯଦି ମୋଫତ ଚାଉଳ ଖାଇବ,

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


ବୋପା ମୋବାଇଲି ଦୁଇଶ ଟଙ୍କିଆ ପୁଅର ଛତିଶି ହଜାରେ,

ବୋପା ସାଇକେଲ ପେଲି ବୁଲେ, ପୁଅ ବାଇକିରେ ବୁଲେ ମଜାରେ,

କାନ ଫାଟୁ ପଛେ ବାଣ ଫୁଟେଇକି ବଜାଅ ଡିଜେ ବ୍ୟାଣ୍ଡ ବାଜା ରେ,

ପି ଏଚ ଡି, ଏମ୍ ଫିଲି କରି ମଧ୍ୟ ପୁଅ ବୁଦ୍ଧି ଟିକେ ନାଇଁ ଭେଜାରେ,

ଅଣ୍ଡା,ବଡ଼ି ଖାଇ ପାଠ ବିନା ପିଲା (ଯଦି) ଶ୍ରେଣୀମାନ ଖାଲି ଡେଇଁବ,

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


ଗରିବେ ନ ଦେଇ କ୍ଷୀର ଗରା ଗରା ଠାକୁର ମୁଣ୍ଡରେ ଢାଳ,

ବାପା ମା ନ ସେବି ତୀର୍ଥ ଭ୍ରମଣକୁ ବୁକିଙ୍ଗ କରୁଥା ରେଳ,

ହସ ଲାଗେ ଦେଖି ଭକ୍ତିର ତରିକା ପୂଜା ଲାଗେ ଗୋଟେ ଖେଳ,

ଏବେ ଫୁଲ ପତ୍ର ଥାଉ ଠାକୁର ବେକରେ ବାନ୍ଧୁଛନ୍ତି ଟଙ୍କା ମାଳ।

ଯଦି କୋଟାରେ ମୁରୁଖ, ପଣ୍ଡିତମୁଣ୍ଡରେ ଅଫିସର ହୋଇ ବାଇବ ,

ଭାଇନା! ନିଶ୍ଚେ ରାମରାଜ୍ୟ ଆଇବ ।।


କାହାକୁ ପୋଡ଼ିବ ସବୁ ଏଠି ଛଦ୍ମବେଶୀ ମାରିଚ କୁ ରାବଣ,

ଅଗ୍ନିପରୀକ୍ଷାରେ ବୋହୂ ମରେ ନିତି ହୁଏ ଏଠି ସୀତାହରଣ,

ଉପଦେଶ ଦାନେ ଧୂରିଣ ସମସ୍ତେ କରନ୍ତିନି କେହି ପାଳନ,

ମିଥ୍ୟା କୂଟଚିନ୍ତା କର୍ମେ ମର୍ମେ ଭରା ସବୁଠି କପଟାଚରଣ।

ଚାଲୁଣି ଯଦି ନିଜ କଣା ନ ଦେଖି ଛୁଞ୍ଚିଟାକୁ ମାରି ଧାଇଁବ,

ଭାଇନା!ନିଶ୍ଚେ ରାମରାଜ୍ୟ ଆଇବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhabagrahi Mahapatra

Similar oriya poem from Comedy