STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସବୁ ମୋ ଭାଗ୍ୟର ଦୋଷ

ସବୁ ମୋ ଭାଗ୍ୟର ଦୋଷ

2 mins
383


ରାତି ଦଶଟାରେ ଘରେ ପହଞ୍ଚିଛି

    ଡ୍ରେସ୍ ମୁଁ ଓହ୍ଲାଉଛି,

ଟିଭିଟା ଉପରେ ପଡ଼ିଗଲା ଆଖି

   ‌ରଜ କୁଇନ୍ ଚାଲୁଅଛି।


ଟିଭି ରିମୋଟଟା ଧରି ମୋ ଘରଣୀ

   ଖଟେ ବସି ଚିପୁଅଛି,

ଧ୍ୟାନ ସହକାରେ ଟିଭି ପ୍ରୋଗ୍ରାମକୁ

   ଢକଢକ ପିଉଅଛି।


ଟିକେ ନାଚ ଗୀତ କରିକି ଅଭ୍ୟାସ

   ସୁନ୍ଦରୀ ବାଳିକା ମାନେ,

ଅଡିସନ ପାଇଁ ଆସିଛନ୍ତି କେତେ

   ସପନ ନେଇକି ମନେ।


ଜଜ୍ ପଚାରନ୍ତି ନାଁ ଗାଁ ଆଉ

  ରଜ ପର୍ବ ଉଦ୍ଦେଶ୍ୟରେ,

ଛୋଟ ଛୋଟ ଜଣାଶୁଣା ପ୍ରଶ୍ନ ଗୁଡା

  ଆମ ଓଡ଼ିଆ ଭାଷାରେ।


ଝିଅଟିଏ ପାଶ୍ କରିଅଛି ବିଏ

   ଜଜ୍‌ଙ୍କର ପ୍ରଶ୍ନଟିଏ,

କହିପାରିବକି ଗୁରୁଦିବସଟା

  କେଉଁ ଦିନ ପଡ଼ିଥାଏ?


ଝିଅଟି କହିଲା ଗୁରୁମାନଙ୍କର

  ପୂଜା ଯେଉଁ ଦିନ ପଡ଼େ,

ସେଦିନ ଗୁରୁଙ୍କୁ ମିଠାଖୁଆଯାଏ

   ବନ୍ଦାପନା ଆଡମ୍ଵରେ।


ପୁଣି ଆସିଗଲା ପ୍ରଶ୍ନଟିଏ ଶିଶୁ

   ଦିବସଟି କେଉଁ ଦିନ,

ଝିଅଟି କହିଲା କେଉଁ ତାରିଖଟା

   ପଡୁନାହିଁ ମୋର ମନ।


କହିପାରିବ କି ଭାଲେଣ୍ଟାଇନ୍ ଡେ

   ପଡେ କେଉଁ ତାରିଖରେ,

ଫେବୃଆରୀ ମାସ ଚ‌ଉଦ ତାରିଖ

    ଝିଅକହେ ତରବରେ।


ଜଜ୍ ହସିଲେ କମେଟ୍ ବି କଲେ

   ( ଗୁରୁ),ଦିବସ ଜାଣିଲ ନାହିଁ,

ପ୍ରେମ ଦିନ ଫଟାଫଟ କହିଦେଲ

   ବାଟୁଳୀ ବାଜିଲା ନାହିଁ।


ଧନ୍ୟ ହେ ବାଳିକା ହେବାକୁ ନାୟୀକା

   ସାର୍ଥକ ଟିଭିକୁ ଆସ,

ଭେଙ୍ଗଣା ନାଚକୁ ପାଚିଲା ବେଲର

   ଗୀତଗୁଡା ଖାଲି ଶିଖ।


କହିଦେଲି ମୁହିଁ ଦେଖ କୁନାବୋଉ

   ତୁମ ନାରୀ ଜାତି ଗୁଣ,

ଅନ୍ୟ ପ୍ରଶ୍ନୋତ୍ତର ନଜାଣନ୍ତୁ ପଛେ

   ପ୍ରେମରେ ପୁରା ନିପୁଣ।


ଅଣ ଓଡ଼ିଆଣୀ ରଜ କଥା କୁହେ

   ତମେ କୁହ ପ୍ରେମ କଥା,

ବିଦେଶିନୀ ମୁଣ୍ଡେ ଓଢ଼ଣୀ ଦ‌ଉଛି

   ଦେଖ ତୁମ ଖୋଲାମଥା।


ଏତିକି କହିଛି ଯିବି ମୁଁ କୁଆଡେ

   ସ୍ତ୍ରୀ ମୋ ପଡିଲା ଉଠି,

ଚ‌ଉଦ ପୁରୁଷ ଉଦ୍ଧାର କଲା ମୋ

   ବାଢ଼ି ନ ଦେଲା ଖାଦ୍ୟଟି।


ମୁହଁ ଫଣ ଫଣ କରି ମୋ ଘରଣୀ

   ଦମଦମ‌ ଚାଲୁଥାଏ,

ରୁଟି ଦି'ଖଣ୍ଡ ମୁଁ ଖାଇବା ପାଇଁ କି

   ତା'ପଛରେ ଧାଉଁ ଥାଏ।


ମୋତେ କହେ ସିଏ ବେରସିକଟାଏ

   ତା' ଛାଇ ଦେଖିପାରୁନି,

ନୂଆ ସ୍ତ୍ରୀ ପାଇଁ କୁଆଡେ ମୋହର

    ମନ ପୁଣି ବଳିଲାଣି।


ନାଁ ପ୍ରାଣ ପ୍ରିୟା ସେକଥା କୁହନା

   ତୁମେ ମୋ ବିଡ଼ିଆପାନ,

ତୁମଠୁଁ ସୁନ୍ଦରୀ କିଏ ଅଛି ଆଉ

   ଦେବି ତାକୁ ମୋର ମନ !

ଏହିକଥା ଶୁଣି ଶାନ୍ତ ହେଲା ପୁଣି

   ରୁଟି ଓ ସନ୍ତୁଳା ଦେଲା,

କିନ୍ତୁ ସେ ସନ୍ତୁଳା ଦିଶୁଥିଲା କଳା

   ପୋଡାଳିଆ ବାସୁଥିଲା।


ହ‌ଇଓ ସଜନୀ କ'ଣ ଦିଶିଲାନି

   ସନ୍ତୁଳାକୁ ପୋଡିଦେଲ,

 କେଉଁ ପ୍ରେମିକକୁ ଫୋନ୍‌କରୁଥିଲ

   ନା,ରଜ କ୍ଵୀନ୍ ଦେଖୁଥିଲ।


କଥା ମୋର ଶୁଣି ଛାଟିଦେଲା ପୁଣି

    ହଠାତ୍ ବେଲଣା କାଠି,

ବେଲଣା କାଠିଟି ବାଜିଲା ମୋ ମୁଣ୍ଡେ

   ମୁଣ୍ଡ ମୋରଗଲା ଫାଟି।


ରକ୍ତ ବୋହିଗଲା ଶହେଆଠ୍‌ ଆସିଲା

    ଗଲି ମୁହିଁ ମେଡିକାଲ,

ବେଣ୍ଡେଜ ହେଇଛି ମୁଣ୍ଡମୋର ଫାଳେ

    ଅବସ୍ଥା ମୋ ଅସମ୍ଭାଳ।


 ଟିଭିର ଦୋଷକି ଘରଣୀର ଦୋଷ

   ନା, ମୋବାଇଲଟିର ଦୋଷ,

ଗଲୁଆ ପାଟି ମୋ ବୋଲ ମାନୁନାହିଁ

   ସବୁ ମୋ ଭାଗ୍ଯର ଦୋଷ।


ସ୍ତ୍ରୀ ବୋଲକରା ହେବାକୁ ପଡିବ

   ନ ହେଲେ ଖାଇବ ଝାଡ଼ୁ, 

ଟେକି ଟାକି କୁହ କାଳୀ ବାନ୍ଦରୀକୁ

    ସୁନ୍ଦରୀ ସେ ସବୁଠାରୁ। 


ଏଇ ଫର୍ମୁଲା ପ୍ରୟୋଗ କରିଲେ

   ଘରଣୀ ହୋଇବ ଖୁସି,

ନଚେତ୍ ହେଵନ୍ଧୁ ପତ୍ଯେହ ମୋଭଳି

    ଖାଅ ପୋଡା କିମ୍ବା ବାସି।



Rate this content
Log in

Similar oriya poem from Comedy