ମୂରୁଖ କବି
ମୂରୁଖ କବି
ମୂରୁଖ ହୋଇକି କବିକୁ ବାସନା
ଗନ୍ଧିଆ ଛାଡ଼ିବ ମତେ
ଖାତାଟେ କିଣିକି ଗାରେଇ ଅକ୍ଷର
କବିଟା ବନିଛି ସତେ !
ଯାହାବି ଲେଖିଛି ସବୁଠୁ ବଢ଼ିଆ
ଲେଖାକୁ ରଖିଛି ଘରେ
ଫୁଲକୁ ଚନ୍ଦନ ଟିକାଟେ ମାରୁଛି
ପାଠକ ଶୂନ୍ୟକୁ ଡରେ !
ଉପମା ଦେବାରେ ପ୍ରାଚୀନ କବିଙ୍କୁ
ବଳେଇ ଗଲିକି ଅବା
ନିଜର ଖାତାକୁ ଓଲଟ ପାଲଟେ
ଦେଖିଲେ ଲାଗୁଛି କାବା !
ମୂରଖ ଜ୍ଞାନକୁ ବିଦ୍ବାନ ଜାଣିଲେ
ସ୍ବନାମେ ଆସିବ ଆଞ୍ଚ
ଶୋଧିଲେ ବିଦ୍ବାନ ସାବାସୀ ମିଳିବ
ଏଇ ମୋ ଅସଲ ପେଞ୍ଚ !
କବିତା କବିତ୍ବ ନିଜେ ମୁଁ ମହତ୍ତ୍ଵ
ନ କହୁ ପଛକେ କେହି
ପ୍ରଶଂସାପତ୍ରଟେ ବାହାରୁ କିଣିଛି
ସୁବିଧା ସୁଯୋଗେ ରହି !
ଥୋବରାଦଳଙ୍କ ସାଥୀ ମୁଁ ହୋଇଛି
ଖୁଆଇ ପିଆଇ ଦିନେ
କବିଟେ ବୋଲିକି ହକାରିଦେଲେଟି
ଖୁସିରେ ନାଚିଲି ଗାନେ !