ଲିଭିଲା ଚୂଲିର ଅଙ୍ଗାରକୁ ଏତେ ଫୁଙ୍କନାହିଁ ଫୁଙ୍କନାହିଁ
ଲିଭିଲା ଚୂଲିର ଅଙ୍ଗାରକୁ ଏତେ ଫୁଙ୍କନାହିଁ ଫୁଙ୍କନାହିଁ


ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କନାହିଁ ଫୁଙ୍କନାହିଁ
ଦାଉ ଦାଉ ହୋଇ ଜଳିଗଲା ଯେଵେ
ପାରିବନି ଧାସେ ରହି
ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କନାହିଁ ଫୁଙ୍କନାହିଁ ! ୦ !
ଉଜ୍ଜ୍ୱଳ ମୁହଁକୁ ଧୂଆଁରେ କାଳିଆ
କରିଦେବ ତୁମେ ବେଶି
ଆଖିର କଜ୍ଜଳ ବତୁରି ପଡ଼ିବ
ଆଖି ହୋଇଯିବ ନେସି
ଅଧା କାନ୍ଦ କାନ୍ଦ କାଶଟା ଉଠିବ
ପାରିବନି ଜମା ସହି
ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କନାହିଁ ଫୁଙ୍କନାହିଁ ! ୧ !
ଆଲୁରି ବାଳଟା ଖେଳେଇ ପଡ଼ିବ
କଳା ଲାଗିଯିବ ହାତେ
ରନ୍ଧା ତୁଣ ପୁଣି ଧୂଆଁ ପଶିଯିବ
ଶୁଣିବାକୁ ଗାଳି କେତେ
ଆଖି ପୋଛୁ ପୋଛୁ ଫୁଙ୍କୁନଳୀଟାକୁ
ବାଡ଼େଇବ ରାଗେ ଭୂଇଁ
ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କନାହିଁ ଫୁଙ୍କନାହିଁ ! ୨ !
ନିଆଁଲଗା ଏଇ ଜୀବନଟା ସତେ
ଧୂଆଁ ନିଆଁ ବଡ଼ ଖେଳ
ତା ଭିତରେ ପୁଣି ସ୍ନେହ ଶରଧାର
ଘଟିଥାଏ କେଡ଼େ ମେଳ
ବାହାରି ଯିବାକୁ କୁଆଡ଼େ ହେଉନି
ନିଜ ଘର ସୁଖ ଚାହିଁ
ଲିଭିଲା ଚୂଲିର ଅଙ୍ଗାରକୁ ଏତେ
ଫୁଙ୍କନାହିଁ ଫୁଙ୍କନାହିଁ ! ୩ !