Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ତାରାପ୍ରସାଦ ଜେନା

Drama

3  

ତାରାପ୍ରସାଦ ଜେନା

Drama

ଏଇଠି ଥିଲେ ଦୁରୁଗା ମାଆ

ଏଇଠି ଥିଲେ ଦୁରୁଗା ମାଆ

1 min
140



ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ଖଣ୍ଡାୟତର ଘରକୁ ବୁଲି ଖୁସିକୁ ଗଲେ ଭୁଲି; 

ସେଇ ଘରର ପୁଅଟା ଦେଖ ଜାଣିନି ବୁଲା ଖଣ୍ଡା

ଫରିକଛାରେ ଡାକିନି ମାଆ ଗେଫୁଚି କ୍ଷୀରି ମଣ୍ଡା !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ଗୁଡ଼ିଆ ଘରେ ପହଞ୍ଚି ଯାଇ ଖୁସିକୁ ଗଲେ ଭୁଲି;

ଗୁଡ଼ିଆ ଘର ପୁଅ ହାତରେ ହେଉନି ଶିରା କାମ

ମାଖରା ଆଜି ଭୋଗ ଲଗେଇ ମାଆର ଜପେ ନାମ !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ତେଲିର ଘରେ ହାଜର ମାଆ ଖୁସିକୁ ଗଲେ ଭୁଲି;

ତେଲିର ପୁଅ ତେଲକୁ ପେଡ଼ି ରଖୁଚି ଟଙ୍କା ଖୋପ

ମାଆର ଲାଗି ତେଲ ଟୋପାଟେ ଦେବାକୁ ନାହିଁ ଦୀପ !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ବଣିଆ ଘରେ ପହଞ୍ଚି ମାଆ ସରାଗ ଗଲେ ଭୁଲି;

ବଣିଆ ପୁଅ ହଟ ଚମଟ ସୁନାକୁ ବିକି ଜାଣେ

ମାଆ ମଥାକୁ ସୁନା ଚିତାଟେ ଦେଇନି ମନ ଅଣେ !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ତନ୍ତୀ ଦୁଆରେ ପହଞ୍ଚି ମାଆ ଖୁସିକୁ ଗଲେ ଭୁଲି;

ତନ୍ତୀର ପୁଅ ଶାଢ଼ିକୁ ବୁଣି କମାଏ ପୁଳେ ଟଙ୍କା

ମାଆ ପାଇଁକା କଳା ଶାଢ଼ିଟେ ଦେବାକୁ ହୁଏ ଶଙ୍କା !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

କାଚରା ଘରେ ପଶିଲେ ଯାଇ ଖୁସିକୁ ଗଲେ ଭୁଲି;

କାଚରା ପୁଅ ବିକୁଚି କାଚ ରଖୁଚି ଧନ ସଞ୍ଚି

କାଚ ମୁଠାଟେ ମାଆକୁ ଦବ ମନରେ ନାହିଁ ପାଞ୍ଚି !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ମାଳି ଦୁଆରେ ପହଞ୍ଚି ଯାଇ ସୁଖକୁ ଗଲେ ଭୁଲି;

ମାଳି ପୁଅଟା ଫୁଲ ଚନ୍ଦନେ ଟଙ୍କାକୁ ଆଣି ଥୁଏ

ମାଆକୁ ଟିକେ ଫୁଲ ଚନ୍ଦନେ କରୁନି ସେବା ହାଏ !


ଏଇଠି ଥିଲେ ଦୁରୁଗା ମାଆ କୁଆଡ଼େ ଗଲେ ବୁଲି

ବ୍ରାହ୍ମଣ ଘରେ ପଶିଲେ ଯାଇ ଖୁସିକୁ ଗଲେ ଭୁଲି;

ବ୍ରାହ୍ମଣ ପୁଅ ଭୁଲା ମନ୍ତ୍ରରେ ଷୋଳପୂଜାକୁ ଯୋଡ଼ି

ଗୁଣୁରୁ ଗୁଣୁ ମାଆକୁ ଡାକି ଟଙ୍କାକୁ ନିଏ ଲୋଡ଼ି !



Rate this content
Log in