ପ୍ରଣୟିନୀ
ପ୍ରଣୟିନୀ
ତୁମେ ପ୍ରେମର ନିରନ୍ତର ସ୍ରୋତସ୍ୱିନୀ
ମୁଁ ନିଃସଂଗତାର ପ୍ରତୀକ୍ଷାରତ ମରୁଭୂମି
ଆଗୋ ପ୍ରିୟେ !
ଆସିଥରେ ବୁହାଇ ଦିଅ
ପ୍ରେମର ଶୀତଳ ଫଲ୍ଗୁ ଧାରା,
ସବୁଜରେ ପ୍ଲାବିତ ହେଉ
ମୋ ଶୁଷ୍କ ଜୀବନଟା ପରା ।।
ତୁମେ ନିର୍ଝରିଣୀର ନିରବଚ୍ଛିନ୍ନ ରାଗିଣୀ
ମୁଁ ନୀରବତାର ଅଶୁଣା ପ୍ରତିଧ୍ବନି
ଆଗୋ ପ୍ରିୟେ !
ଆସିଥରେ ଭାଙ୍ଗିଦିଅ
ନିଶ୍ଚିହ୍ନ ନୀରବତାର ଧାରା
ରାଗିଣୀର ମୂର୍ଚ୍ଛନାରେ ପୁରି ଉଠୁ
ମୋ ତାରୁଣ୍ୟତାର ଶିରା ପ୍ରଶିରା ।।
ତୁମେ ପୂର୍ଣ୍ଣିମାର ଶୁଭ୍ର ମନ୍ଦାକିନୀ
ମୁଁ ତମାସାପୂର୍ଣ୍ଣ ଅମା ଯାମିନୀ
ଆଗୋ ପ୍ରିୟେ !
ଆସଥରେ ହଟିଯାଉ
କାଳିମାର ବିଭତ୍ସ କୁତ୍ସିତ ପରମ୍ପରା
ଦେହ-ମନ-ପ୍ରାଣେ ଖେଳିଯାଉ
ଅଭିସାର ଜୀବନଟା ସାରା ।।
ତୁମେ ପ୍ରଣୟୀ ପ୍ରେମ ପ୍ରଦାୟିନୀ
ମୁଁ ବିରହର ଅଦୃଶ୍ୟ ସାରଣୀ
ଆଗୋ ପ୍ରିୟେ !
ଆସଥରେ ପୂର୍ଣ୍ଣ ହେଉ
ମୋ ଅପୂର୍ଣ୍ଣ ଜୀବନର ଅଲେଖା କାହାଣୀ
ତୁମେ ପ୍ରେମର ନିରନ୍ତର ସ୍ରୋତସ୍ୱିନୀ
ମୁଁ ନିଃସଂଗତାର ପ୍ରତୀକ୍ଷାରତ ମରୁଭୂମି ।।