STORYMIRROR

Kali Kumar

Abstract Classics

3  

Kali Kumar

Abstract Classics

ଧୂପଟିଏ ତୁମେ

ଧୂପଟିଏ ତୁମେ

1 min
314


ସକଳେ କହନ୍ତି, 

ତୁମେ ଦୀପଟିଏ ବୋଲି,

ନିଜେ ଜଳ, ଅନ୍ଧକାର ନାଶିବା ପାଇଁ

ତେବେ ମୁଁ ବା କେମିତି 

ସେକଥା ଅବଗତ ହୋଇ ପାରିଲି ନାହିଁ;

କେବେ ଦେଖିନି

ଅନ୍ଧକାରର ସୌଧ ଉପରେ

ତୁମ ବିଜୟର ମଶାଲ ଜଳିଲା ପରେ,

ତୁମକୁ ଆତ୍ମଗର୍ବୀ ହେବାର

ମୁଁ-ଅହଂ-ଆତ୍ମବଡ଼ିମାର ଜଡ଼କୁ ସଶକ୍ତ କରି

ନିଜ ଅହମିକାର ପରିସର ବିସ୍ତାର କରିବାର

ନାଗଡ଼ା ବଜେଇ, ଡିନ୍ ଡିମ ପିଟି 

ତୁମ ବିଜୟର ଉଷ୍ମତାକୁ,

ବାହାସ୍ଫଟେ ପ୍ରଚାର କରିବାର;

ସକଳେ କହନ୍ତି, 

ତୁମେ ଦୀପଟିଏ ବୋଲି,

ନିଜେ ଜଳ, ଅନ୍ଧକାର ନାଶିବା ପାଇଁ

ତେବେ ମୁଁ ବା କେମିତି 

ସେକଥା ଅବଗତ ହୋଇ ପାରିଲି ନାହିଁ ।


ବରଂ, ମୁଁ ଦେଖିଛି

ତୁମକୁ ଧୂପଟିଏ ହେବାର

କ୍ଷୁଦ୍ର ଶିଖାଟିଏ ହୋଇ

ପ୍ରେରଣାର ଉତ୍ସ ସାଜିବାର

ନିଜ କଳେବରକୁ ପ୍ରତି କ୍ଷଣ କ୍ଷୟ କରି

ନିଜ ଅସ୍ତିତ୍ବର ମହତ୍ତ୍ୱକୁ 

ପ୍ରବାହେ ମିଶେଇ, ଦିଗ ଦିଗାନ୍ତ ବସରି ଯିବାର,

ନିଜ ବ୍ୟକ୍ତିତ୍ୱର ମହିୟାନକୁ ବିଛେଇ ଦେଇ

ନିଜ ଅବୟବରୁ ବିଚ୍ଛିନ୍ନ ହୋଇ

ଅନ୍ତିମ ପର୍ଯ୍ୟାୟେ ପୁଣି, ପାଉଁଶ ହେବାର 

ମୁଁ ଦେଖିଛି

ତୁମକୁ ଧୂପଟିଏ ହେବାର ।


ଦୀପଟିଏ ଅନ୍ଧକାର ଦୂରେଇ ଦିଏ ସତ

କିନ୍ତୁ, ସମାପ୍ତ ହୁଏ;

ଏକ ନିର୍ଦ୍ଦିଷ୍ଟତାରେ ସୀମିତ ହୋଇ

ତୁମେ ଧୂପଟିଏ, ବସରି ଯାଅ,

ଦୂର ଦିଗ୍ ବଳୟେ, କିଛି ବନ୍ଧ ବାଡ଼ ନାହିଁ ।


ସକଳେ କହନ୍ତି, 

ତୁମେ ଦୀପଟିଏ ବୋଲି, କିନ୍ତୁ

ସେକଥା ଟିକକ ମୁଁ ଜାଣି ନ ପାରିଲି,

ମୁଁ ଦେଖିଛି, ତୁମକୁ ଧୂପଟିଏ ହେବାର

ନିଜେ ପାଉଁଶ ସାଜି, ଅନ୍ୟ ପାଇଁ ସୁଗନ୍ଧ ବାଣ୍ଟିବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract