ହସ କବିତା
ହସ କବିତା
ମୁଁ ଜାଣେ
ମୋ ପାଇଁ କେହି
ହସ କବିତା ଲେଖିବେ ନାହିଁ
ମୋ ମୃତ୍ୟୁରେ;
କଟାକ୍ଷରେ ସଭିଏଁ କହିବେ
କେହି କ'ଣ ହସି ପାରେ
କାହାରି ମୃତ୍ୟୁରେ ।।
ହେଉ ପଛେ ଶତ୍ରୁ ସେ
ଯେତେ ପ୍ରବଳତର,
ମୃତ୍ୟୁ ତା'ର ନୁହଁ କେବେ
ହାସ୍ୟାସ୍ପଦର, ଅବା ଉଠେ ନାହିଁ
ବ୍ୟଙ୍ଗ କିମ୍ବା କଟାକ୍ଷର ସ୍ୱର,
ମୃତ୍ୟୁ ତା'ର ନୁହଁ କେବେ
ହାସ୍ୟାସ୍ପଦର ।।
ମୋ ମୃତ୍ୟୁରେ ହଠାତ
ଫୁଲ ଭର୍ତ୍ତି ଡାଳ ସବୁ
ଭାଙ୍ଗି ପଡ଼ିବ ଅବଳରେ,
ଦେଖା ଆଦେଖା
ସ୍ୱପ୍ନ ସବୁ ହଜିଯିବ
କେଉଁ ଏକ ଅନ୍ଧାରୀ ମୁଲକରେ ।।
ତା' ପରେ
କେତେ ସବୁ ଫୁଟୁରୁ ଫାଟୁରୁ
ଶୁଭିବ ମୋ ଶୋକ ସଭାରେ
ମୋ ମୃତ୍ୟୁରେ, ମୋ ମୃତ୍ୟୁରେ,
ଯେମିତି ଶେଷ ମଣିଷଟିଏ
ମୁଁ ଥିଲି, ଏ ଧାରା ପୃଷ୍ଠରେ ।।
ମୁଁ ଜାଣେ
ମୋ ପାଇଁ କେହି
ହସ କବିତା ଲେଖିବେ ନାହିଁ
ମୋ ମୃତ୍ୟୁରେ;
କଟାକ୍ଷରେ ସଭିଏଁ କହିବେ
କେହି କ'ଣ ହସି ପାରେ
କାହାରି ମୃତ୍ୟୁରେ ।।