STORYMIRROR

Kali Kumar

Tragedy Fantasy

4  

Kali Kumar

Tragedy Fantasy

ଆଖି

ଆଖି

1 min
39

ଆଖି ବୁଜି ଦେଲେ ଯେ

ଅନ୍ଧାର ଘୋଟି ଆସେ ଚାରିଆଡ଼େ

ତା' ନୁହଁ, ବରଂ ଖୋଲା ଆଖି ସାମ୍ନାରେ

ବି ମାଡ଼ିଯାଏ ଅନ୍ଧାର;

ସେଇ ଆଖି ପାଇଁ କେତେ କବିତା

ଲେଖା ହୋଇଛି, କେତେ ଆଖି ବନ୍ଧା ପଡ଼ିଛି

କିଛି ନିର୍ଦ୍ଦିଷ୍ଟ ଆଖି ପାଖରେ,

ଆଉ କେତେ ଆଖି ଖୋଲି ଯାଇଛି

ବେଳ ଅବେଳରେ ।।


ଆଖି ! କେତେ କଳା ନ ଜାଣେ

ଏ ଆଖି, ଆଖି ଲାଖିବା, ଆଖିକୁ ପାଇବା, ଆଖି ବୁଜିବା

ଆଖି ଦେଖାଇବା, ଆଡ଼ ଆଖି କରିବା, ଆଖିରେ ନଚାଇବା

ଆଖି ମାରିବା, ଆଖିରେ ମରିବା

ବିଚରା କେତେ କାମ ନ କରେ ଯେ

ଜୀବନ କାଳରେ,

କେତେ ଆଖି ଖୋଲିଯାଏ

ବେଳ ଅବେଳରେ;


ଆଖିରୁ ପଢ଼ିହୁଏ ମନର କଥା

ବୁଝିହୁଏ ଛାତି ତଳ ଅବ୍ୟକ୍ତ ବ୍ୟଥା

ଆଖିରେ ହିଁ ଦୁନିଆ, ଆଖିରେ ହିଁ ନିଆଁ

ଆଖିରେ ମଳୟ, ଆଖିରେ ହିଁ ଗ୍ରୀଷ୍ମ

ଆଖିରେ ଜୀବନ ଆଉ ଆଖିରେ ହିଁ ଭଷ୍ମ


ଆଖିରେ ଅଭିସାର, ଆଖିରେ ହିଁ ସମ୍ଭାର

ଆଖିରେ ଆଶ୍ଚର୍ଯ୍ୟ, ଆଖିରେ ହିଁ ପ୍ରାଚୁର୍ଯ୍ୟ

ତଥାପି କିଛି ଲୋକ ଖସି ଯାଆନ୍ତି

ଆଖିରୁ, କିଛି ଲୋକ ସୁଯୋଗ ସାଉଁଣ୍ଟି ଆଙ୍ଗୁଳି ଗେଞ୍ଜି ଦିଅନ୍ତି

ଆଖି ବନ୍ଦ କରୁକରୁ ।।


ଆଖି ପ୍ରତିରୂପ ଦର୍ପଣ

କେତେବେଳେ ଉତ୍ତଳ, କେତେବେଳେ ଅବତଳ, ପୁଣି କେତେବେଳେ ବର୍ତ୍ତୁଳ, ଏ ଆଖିରେ ଭାସି ବୁଲେ ମଣିଷ

ସ୍ୱଚ୍ଛ, ଧବଳ, କେବେ ପୁଣି ହଠାତ ଘୋଟି ଆସେ ମେଘ ମାଳମାଳ, ଆଖି ବିନା ସବୁକିଛି ଅଚଳ,

ଆଖିରେ ଭରି ରହେ

ସୁଖ ଦୁଃଖ, ଅଭାବ ବୈଭବ, ସଂସାର ବୈରାଗ୍ୟ,ସୁଖ ସ୍ୱାଚ୍ଛନ୍ଦ ଭଲମନ୍ଦ, ହର୍ଷ ବିଷାଦ,

ଆଖିରେ ନିନ୍ଦା, ଆଖିରେ ହିଁ ଅପବାଦ-


କ'ଣ ଆଉ କିଛି ବାକି ଥାଏ କି ଆଖିରେ ? ହଁ !

ଆଖିରେ ହିଁ ଯୁଦ୍ଧ ଆଉ ଆଖିରେ ହିଁ ବୁଦ୍ଧ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy