ଛୁଟିଦିନ
ଛୁଟିଦିନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରତ୍ୟେକ ଛୁଟିଦିନରେ
ପ୍ରବାସୀ ପାଦ ସବୁ ଆମନ୍ତ୍ରିତ
ହୁଅନ୍ତି ନିଜ ବାସକୁ;
ମନ, ପ୍ରାଣ, ପରିବେଶ ଏବଂ
ପରିସ୍ଥିତିରେ ବିଞ୍ଚି ହୋଇଯାଏ ଏକ
ଅମାନିଆ ଆନ୍ଦୋଳନ ଓ ଅବ୍ୟକ୍ତ ଆକର୍ଷଣ
ଏକ ନିଆରା ଆପଣାପଣରେ
ମତୁଆଲା କରାଏ ପବନ,
ଘର ମୁହାଁ ହୁଏ ପ୍ରବାସୀ ମନ ।୧।
ମୁଁ କିନ୍ତୁ ନିର୍ବାସିତ ଏସବୁରୁ, ମୁଁ
ପ୍ରବାସରେ ବରି ନିଏ ନିଃସଙ୍ଗତା ଓ
ଏକଲାପଣକୁ;
ଛୁଟିଦିନ ମାନଙ୍କରେ ପ୍ରବାସୀ ପାଦ ସବୁ
ଆମନ୍ତ୍ରିତ ହୁଅନ୍ତି, ନିଜ ନିଜ ବାସକୁ ।୨।
ସେଇ
ଏକଲାପଣର ସାମ୍ରାଜ୍ୟରେ ମୁଁ ସାଜେ
ମୁକୁଟ ବିହୀନ ସମ୍ରାଟ,
ମୁଁ ଦେଖେ, କେମିତି ସଂଜ୍ଞାହୀନ ସାଜେ
ସହର,ବସ୍ତି, ଛାତ୍ରାବାସ ଓ ରାସ୍ତାଘାଟ ।୩।
ମୁଁ ଦେଖେ କେମିତି
ନୃତ୍ୟରତ ଛାତ୍ରାବାସ ଗୁଡିକ ପାଲଟନ୍ତି ପରିତ୍ୟକ୍ତା ଖଣ୍ଡର
ଝର୍କା ଫାଙ୍କରୁ ଆଲୁଅମାନେ ସଂଘର୍ଷ କରନ୍ତିନି, କିମ୍ବା
ଝିଟିପିଟି ଓ ଅସରପାମାନେ ଲୁଚନ୍ତିନି, ଛାଇ ଦେଖି କାହାର,
ମୁଁ ପୁଣି ଦେଖେ; କେମିତି
ଛାତ୍ରାବାସ ବାହାରେ ଅପରାହ୍ଣ ମୁଣ୍ଡ ପିଟେ
ଛାଇ ଲେଉଟାଣି ଖରା ମାଖି, ଆଉ ଭିତରେ
ଅନ୍ଧାର ରାଜୁତ
ି କରେ, ଆଲୁଅର ଅନୁପସ୍ଥିତ ଦେଖି;
ପୁଣି ବୁଢ଼ିଆଣି ଜାଲ ବୁଣେ ନିର୍ଦ୍ବନ୍ଦରେ
ପ୍ରବାସୀ ପାଦ ସବୁ,
ନିଜ ବାସକୁ ଆମନ୍ତ୍ରିତ ହୋଇଗଲା ପରେ ।୪।
ଆଉ ପୁଣି ତଳ ମହଲାରୁ ଶୁଭେ ନାହିଁ
ଘର ମାଲିକର ତଣ୍ଟି ଫଟା ଚିତ୍କାର
" ଟ୍ୟାଙ୍କି ଭର୍ତ୍ତି ହେଲା, ମଟର୍ ବନ୍ଦ କର" କିମ୍ବା
ଉପର ଘର ଛାତ ସାଜେ ନାହିଁ
ଫୁଲ ଭର୍ତ୍ତି ଉପବନ, ଶୁଖେ ନାହିଁ ରଙ୍ଗବେରଙ୍ଗର
ପ୍ୟାଣ୍ଟ- ସାର୍ଟ, ଗାମୁଛା ଓ ଅନ୍ତବସ୍ତ୍ର
କମିଯାଏ ପାଦ ଚଲା ରାସ୍ତାର, ଛାତି ଭାର;
ସଡକରେ ଅତ୍ୟାଧୁନିକ ଗାଡ଼ି ଓ ମଟର ।୫।
ମୁଁ ପୁଣି ଦେଖେ
ରାସ୍ତାଘାଟ ସବୁ ଶୁନ୍ ଶାନ୍, ନିସ୍ତବ୍ଧ ନିସ୍ତେଜ ଓ ଜଡ଼
ପ୍ରଜାପତି ରଙ୍ଗ ମାଖି ବୁଲେନି ସମୟ
ଯୌବନ ପାଏ ନାହିଁ ସକାଳ
ବିକ୍ଷିପ୍ତ ଅତୀତ
ଇତଃସତଃ ବର୍ତ୍ତମାନ ଓ
ଅନିଶ୍ଚିତ ଭବିଷ୍ୟର ଗଳିରେ
ଜମେ ନାହିଁ ରଙ୍ଗୀନ ସ୍ୱପ୍ନଙ୍କ ଭିଡ଼
ସବୁ ଛୁଟିଦିନ
ଗୋଟାଏ ଗୋଟାଏ ଅଦେଖା ମୋଡ଼ ଓ ଅଦିନିଆ ଝଡ଼ ।୬।
ତେବେ କ' ଣ ଯେତେସବୁ ପ୍ରବାସୀ ପାଦ
ସବୁ କଣ ଆମନ୍ତ୍ରିତ ହୁଅନ୍ତି ନିଜ ବାସ?
ନା ! କିଛି ପାଦଙ୍କ ପାଇଁ
ପ୍ରବାସ ହିଁ ପ୍ରବାସ !!! ।୭।