STORYMIRROR

Kananbala Das

Tragedy

5  

Kananbala Das

Tragedy

ଅସ୍ତମିତ ସୂର୍ଯ୍ୟ

ଅସ୍ତମିତ ସୂର୍ଯ୍ୟ

1 min
633


ଏଇତ ଜୀବନ ଲୁହର ଶ୍ରାବଣ

  ବଞ୍ଚିବାର ମାନେ ନାହିଁ,

ହରାଇ ସ୍ୱଜନ କାନ୍ଦୁଛି ପରାଣ

  ହୃଦୟ ଆଘାତ ସହି।।


ଅସହାୟତାର ବ୍ୟାକୁଳତା ପଣ

  ଅବ୍ୟକ୍ତ ବ୍ୟଥାର ସ୍ୱର,

ଆତ୍ମା ବାହୁନୁଛି ହୃଦୟ ଝୁରୁଛି

  ହରାଇ ରୁଧିର ଧାର।।


ସଂଜୁରେ ,


ଅନେକ ସପନ ଦେଖିଥିଲୁ ତୁହି

  କର୍ମମୟ ତୋ ଜୀବନ,

କଠିନ ଶ୍ରମରେ ସ୍ବପ୍ନ ସତ ହେଲା

 (ମାତ୍ର)ଆୟୁ ଥିଲା ଅଳ୍ପଦିନ।।


ଜୀବନ ଏମିତି ମିଛ ବାଜି ଟିଏ

  ଜିତୁ ଜିତୁ ହାରିଯାଏ,

ସଫଳତା ଶୀର୍ଷ ଛୁଇଁ ଦେଲାପରେ

  ଭୋଗ ଭାଗ୍ୟରେ ନଥାଏ।।


ଅନ୍ତରୁ ଅନ୍ତର କରିଦେଲା କାଳ

  ନିଷ୍ଠୁର ନିୟତି ଖେଳ,

ହାଏରେ ବିଧାତା କେଡେତୁ ପାଷାଣ

  ବୁଝୁନାହିଁ କାଳ ବେଳ।।


ପାଚିଲାକୁ ଛାଡି କଞ୍ଚା ବାଛିନିଅ

  କି ବିଚାର ପ୍ରଭୁ ତୁମ?

ଭରା ଯଉବନେ ସନ୍ଧ୍ୟା ନଇଁ ଆସେ

  ଅସ୍ତମିତ ସୂର୍ଯ୍ୟ ସମ।।


ରକ୍ତ ଜୁଡୁବୁଡୁ ଶରୀର ତୋହର

  ଦେଖିଲେ ଦେଖଣାହାରି,

ଅମଣିଷତା ର ଶେଷସୀମା ଯାଇ

  ଫଟ ଓ ଭିଡିଓ କରି।।


ଅନତି ଦୂରର ଚିକିତ୍ସାଳୟ କୁ

 ଜଣେ କେହି ନେଲେ ନାହିଁ,

ପର ପୁଅ ମରୁ ଆମର କି ଯାଏ

  ଏଇ ବିଚାର ରେ ରହି।।


ମାଆ କଥା ଏବେ ବେଶି ମନେ ପଡେ

 ମାଆକୋଳେ ଗଲୁ ଶୋଇ,

ମାଆ ଶ୍ରାଦ୍ଧ ଦିନ ପୁଅର ଦଶାହ

  ବିଧିର ବିଧାନ ଏହି।।


କୋହ ଲୁହ ଭରା ସ୍ପନ୍ଦିତ ହୃଦୟ

  ଝୁରୁଅଛି  ପ୍ରତିଦିନ,

କିଏ ଆତତାୟୀ କାଳ ହୋଇ ଆସି

   ନେଇଗଲା ତୋ ଜୀବନ।।


ଭାଇ କୁ ହରାଇ କାନ୍ଦୁଛୁ ସଭିଏଁ

  ଏ ଦୁଃଖର ସୀମା ନାହିଁ,

ହୃଦୟ ଭାଙ୍ଗିଛି ମନ ବି ମରିଛି

   ବିଶ୍ବାସ ତୁଟିଛି ଯହିଁ।।


ତୋର ସମର୍ଥନ ପରିବାର ପାଇଁ

  ଥିଲା ତ ଅତୁଳନୀୟ,

ସହଯୋଗ ହାତ ବିପଦେ ବଢ଼ାଇ

  ହେଉଥିଲୁ ତୁ ସହାୟ।।


ଏ ବୟସ କଣ ଚାଲିଯିବାର କି ?

  କେଉଁଠି ଗଲୁ ତୁ ହଜି,

ଲୁହ କୋହ ଦେଇ ଚାଲିଗଲୁ ତୁହି

  ଅଫେରା ଅତିଥି ସାଜି।।


ଲୁହର ଉର୍ମିରେ ମନ ବେଳା ଭୂମି

  ସିକ୍ତ କୋହରେ ଆଚ୍ଛନ୍ନ,

ବିଶ୍ବାସ ହେଉନି ମନ ବି ବୁଝୁନି

   ଛାଡ଼ିଗଲୁ ପଦ ଚିହ୍ନ।।


ଅନ୍ତରଙ୍ଗତା ର ଶିକୁଳିରେ ବନ୍ଧା

  ଭାଇ,ଭଉଣୀ ସମ୍ପର୍କ,

ଆମ ସମସ୍ତଙ୍କ ଆତ୍ମାରେ ରହିବୁ

  ସାଜି ସ୍ମୃତିର ସନ୍ତକ।।


ପ୍ରଭୁ ଜଗନ୍ନାଥ ଗୁହାରି ଶୁଣିବ

  ରଖିବ ସଂଜୁ କୁ ପାଶେ,

ଅମର ଆତ୍ମାର ସଦ୍ ଗତି ଦେବ

  ଏତିକି ପ୍ରାର୍ଥନା ଶେଷେ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy