ପ୍ରେମ କର ମତେ ବୋଲି
ପ୍ରେମ କର ମତେ ବୋଲି
ତୁମେ ପ୍ରେମ କର ବୋଲି
ଜାହିର କର ମୋ ପାଖରେ
ଦୁନିଆଁର ଅମାପ ସୁଖ ଶାନ୍ତି ଆଣି
ପାଦ ତଳେ ଅଜାଡ଼ି ଦେବ ବୋଲି
ବାରମ୍ବାର କୁହ ।
ହେଲେ ସେହି ପ୍ରେମ
ମୋ ଆଖିରେ ଅଶ୍ରୁ ସାଜେ କାହିଁକି ?
କାହିଁକି ତୁମ ବିନା ମଧ୍ୟ
ଜୀଇଁବା ପାଇଁ ମନ ହୁଏ
ସବୁ ପ୍ରଶ୍ନର ଉତ୍ତର
ତୁମେ ନିଜେ ;କିନ୍ତୁ
ପ୍ରତିଟି କଥାରେ ମତେ
ଅପମାନିତ କରି
ବାଜିର କଉଡ଼ି ସାଜି
ଖେଳୁଥାଅ ମୋ ହୃଦୟକୁ
ଯେଉଁ ପ୍ରେମ ପାଇଁ
ମୋ ଆଖିରେ ସ୍ବପ୍ନ ଭରିଥିଲ
ସେହି ପ୍ରେମରେ ସ୍ବାର୍ଥର
ପୁଟୁଳି ବାନ୍ଧି
ମତେ ଅନ୍ଧୁଣୀ ସଜେଇଦେଲ ।
ତୁମ ବିନା ବଞ୍ଚିବାର କାରଣ
ଯେପରି ନଥିଲା
ମୃଗତୃଷ୍ଣା ପରି
ତୁମ ଚର୍ତୁପାର୍ଶ୍ବରେ ମୁଁ
ଘୂରି ବୁଲୁଥିଲି
ହେଲେ ତୁମେ
ପୂର୍ଣ୍ଣଚ୍ଛେଦ ପକେଇଦେଲ
ମୋର ଜୀବନ ପୃଷ୍ଠାରେ ।
ମୁକ୍ତାକାଶ ର ପକ୍ଷୀକୁ
ପିଞ୍ଜରାରେ ବାନ୍ଧିଦେଲ
ଛଳନାର ଶିକୁଳିରେ ଛନ୍ଦିହୋଇ
ମାଟି କାମୁଡ଼ି ପଡ଼ି ରହିଲି
ତୁମର ପ୍ରେମ ଟିଲେ ପାଇଁ
ତଥାପି ତୁମେ ଜାହିର କର
ପ୍ରେମ କର ମତେ ବୋଲି ।
