ଜହ୍ନ ରାତିରେ ରେଳ ଯାତ୍ରା
ଜହ୍ନ ରାତିରେ ରେଳ ଯାତ୍ରା
ସେ ଦିନ ତୁମେ ଓ ମୁଁ
ବେଶ୍ ପାଖା ପାଖି ଥିଲେ
ସୂର୍ଯ୍ୟ ବୁଡ଼ିବାକୁ ଗଲା ବେଳେ
ଧୀରେ ଧୀରେ ଅନ୍ଧାର ବି
ମାଡ଼ି ଆସୁଥିଲା ଜହ୍ନ କୁ ଧରି ।
ତୁମେ କହୁଥିଲ
ଆଉ ମୁଁ ତୁମ ଆଖିକୁ ଦେଖି
କବିତା ଲେଖୁଥିଲି ମୋ ଆଖିରେ ।
ତୁମ ହାତ ପାପୁଲି ଭିତରେ
ମୋ ହାତ ଛନ୍ଦି ହୋଇ ରହିଥିଲା
ଆମର ଅଜାଣତରେ।
ଟ୍ରେନର ବଗି ଗୁଡ଼ିକ
ଆଗେଇ ଆଗେଇ ଗଲା ବେଳେ
ମୁଁ ତୁମ ସହ ଫେରି ଯାଇଥିଲି
ସ୍ମୃତିରେ ଭିଜିଥିବା ଆମ
ଅଭୁଲା ଅତୀତରେ ।
ବଗି ଭିତରେ ଏତେ ଲୋକଙ୍କ
ସମାଗମ ଚାଲିଥାଏ
ଅଥଚ ଆମେ ଦୁହେଁ
ନିଜ ଭିତରେ ଥିଲୁ
ଖୁବ୍ ଏକାନ୍ତର ।
ହଠାତ୍ ଅନ୍ଧାର ହୋଇଗଲା
ଆମ ଚତୁର୍ଦ୍ଦିଗ
ଭୟଙ୍କର ଚିତ୍କାରରେ
କମ୍ପି ଉଠୁଥିଲା
ବାହାନଗା ଷ୍ଟେସନ ।
ରେଳ ବଗି ଗୁଡ଼ିକ
ଚଢ଼ି ଯାଇଥିଲା
ଜଣେ ଜଣଙ୍କ ଉପରେ ।
ବଞ୍ଚାଅ ବଞ୍ଚାଅର କରୁଣ
ବେଦନା ଭିତରେ
କେତେ ଲୋକ ଶୋଇଗଲେ
ନୀରବି ନିଦରେ ।
ରକ୍ତରେ ଜୁଡୁବୁଡୁ ହୋଇ
କେତେ ଲୋକ ପଡ଼ିରହିଲେ
ଶୁଖା ଭୂଇଁର ଆଁ ଉପରେ ।
ତମକୁ ଖୋଜୁଥାଏ ମୁଁ
ଶବର ସମୁଦ୍ର ଭିତରେ
କାଳ ଅନ୍ଧାରର ବକ୍ଷ ମଧ୍ୟରେ
ଆଉ କାଠ ପାଲଟି ଯାଇଥିବା
ସ୍ଥାନୀୟ ଲୋକଙ୍କ ଗହଳିରେ।
ସବୁକିଛି ଶାନ୍ତ ସ୍ତବ୍ଧ
ଆଉ ନିଶ୍ଚଳ ।
ତୁମ ହାତରେ ମୋ ହାତ
ଆଉ ମୋ ହାତରେ ତୁମ ହାତ
ଯୋଡ଼ି ହୋଇ ପଡ଼ିରହିଥିଲା
ଲୌହ ଦାନବର ଧାରଣା ଉପରେ ।
ଦୁହିଁଙ୍କ ଶରୀର ଆତ୍ମା ଶୂନ୍ୟ ହୋଇ
ଚାଲିଯାଇଥିଲା ଅଫେରା ପଥରେ
ତୁମକୁ ନେଇ ଲେଖିଥିବା ମୋ
ପ୍ରେମ କବିତାର ପଦେ
ଉଡୁଥିଲା କେବଳ ଆକାଶରେ ।