STORYMIRROR

Kananbala Das

Abstract

4  

Kananbala Das

Abstract

ଧନ୍ୟ ତୁମେ ବିଶ୍ୱନିୟନ୍ତା

ଧନ୍ୟ ତୁମେ ବିଶ୍ୱନିୟନ୍ତା

1 min
367


ଏହି ବିଶାଳ ସଂସାର  ସର୍ଜନା ଅଟେ ତୁମର

     ତୁମ ଇଚ୍ଛାରେ ଚାଲେ ଜଗତ,

ସୂର୍ଯ୍ୟ ଚନ୍ଦ୍ର ଆତଯାତ  ଧରା ହୁଏ ପୁଲକିତ

     ସ୍ରଷ୍ଟା ଙ୍କ ସୃଷ୍ଟି ବଡ ବିଚିତ୍ର।୧।


ନଦୀ, ଝରଣା, ସମୁଦ୍ର  ନୀଳ ଆକାଶ ରେ ଚନ୍ଦ୍ର

    ଜ୍ୟୋତ୍ସ୍ନା ବିଧୌତ ଧରଣୀ ରାଣୀ,

ମୟୁଖମାଳୀ ର ତେଜ  କାନନେ କେଦାରେ ସାଜ

     ହର୍ଷ, ଉଲ୍ଲାସ, ଅପୂର୍ବ ଠାଣି।୨।


ବିସ୍ମୟ, ଚକିତ କରେ  ଅପରୂପ ଲାବଣ୍ୟରେ

     ବିଚିତ୍ର ଏ ସୃଷ୍ଟିର ସମ୍ଭାର,

ଶ୍ରେଷ୍ଠ ଶିଳ୍ପୀ କାରୀଗର ବିଶ୍ୱବ୍ରହ୍ମାଣ୍ଡ ଠାକୁର

    ଜଳ, ବାୟୁ ଜୀବନ ଆଧାର।୩।


ରବି ଆଲୋକ ଦିବସେ ସାୟଂକାଳ ମନତୋଷେ

    ରାତ୍ରୀ ଆସେ ଶୀତଳତା ଭରି,

ଋତୁ ପରିବର୍ତ୍ତନରେ   ପ୍ରକୃତି ବଦଳେ ଧୀରେ

    ଧନ୍ୟ ପ୍ରଭୁ ତୁମ ଯାଦୁଗରୀ।୪।


ଜୀବପିଣ୍ଡେ ପ୍ରାଣ ଦେଲ  କୀଟ, ପତଙ୍ଗ ଗଢିଲ

    ସୃଷ୍ଟି, ସ୍ଥିତି ର ହେ ସୂତ୍ରଧର,

ଫୁଲ, ଫଳ ଉପବନ  ଶସ୍ୟ ଶାମଳା ସୁମନ

    ଜୀବ ପାଇଁ ଦେଇଛ ଆହାର।୫।


ରହସ୍ୟମୟ ଲାବଣ୍ୟ  ଦିବସ, ରଜନୀ ଭିନ୍ନ

    ଭୂମିରୁ ଭୁମା ପ୍ରବୋଧିତ କରେ,

ଚିନ୍ମୟ, ବିମ୍ବିତ ଆଭା  ଲୀଳାର ବିଳାସ ଶୋଭା

    ନିତ୍ୟୋତ୍ସଵମୟ ଏ ସୃଷ୍ଟିରେ।୬।


ପ୍ରକୃତି ସୁଷମା ଦେଖି  ଆଖି ରହିଯାଏ ଲାଖି

     ସୃଷ୍ଟି ଅମୃତମୟ ସଂସାରେ,

ସ୍ରଷ୍ଟା, ସୃଷ୍ଟି ଙ୍କ ଦର୍ଶନ  କରିଥାଉ ଏ ନୟନ

     ଜନ୍ମନେଇ ଏ ଧରାଧାମରେ।୭।


ତୁମେମୋର ପ୍ରେମ ମୋହ ତୁମେମୋର ହସ, ଲୁହ

     ତୁମେମୋର ଗତି ଆଉ ମୁକ୍ତି,

ଅଳି ମୋର ଅଭିମାନ ଶ୍ରୀ ଚରଣେ ଦେବ ସ୍ଥାନ

      ଜଗନ୍ନାଥ ହେ ଜଗତପତି।୮।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract