STORYMIRROR

Kananbala Das

Romance

4  

Kananbala Das

Romance

ପ୍ରିୟତମା(ପ୍ରେମ ଓ ପ୍ରେମିକା)

ପ୍ରିୟତମା(ପ୍ରେମ ଓ ପ୍ରେମିକା)

1 min
242


ପ୍ରିୟତମା ଯା'ର ସ୍ବପ୍ନର ସମ୍ଭାର

   ବାସ୍ନାୟିତ ସମ୍ମୋହନ,

ଭରସାର ସ୍ତମ୍ଭ ଆଶାର ଆଲମ୍ବ

   ଚୁମ୍ବକୀୟ ଆକର୍ଷଣ।।


ଚାଇତାଳି ରାତି ପ୍ରିୟା ମଧୁମତି

   ଅନାବିଳ ତା'ର ପ୍ରୀତି,

ସୁଧା ମଧୁଝରା ପୂଣ୍ୟତୋୟା ଧାରା

   କମନୀୟ କମ୍ରକାନ୍ତି।।


ରୂପର ପସରା ଅମୃତର ଧାରା

   ଭାବ ବିଭୋରିତ ମତି,

କଳ୍ପନାର ତୀରେ ମନର ମାନସୀ

   ପ୍ରିୟା ଅଟେ ମିଠା ସ୍ମୃତି।।


ପ୍ରେମ ନୁହେଁ କେବେ ଅଢେଇ ଅକ୍ଷର

   ପ୍ରେମ ସୁନ୍ଦର ଶାଶ୍ୱତ,

ଆତ୍ମାର ବନ୍ଧନ ମନର ମିଳନ

   ଚିରନ୍ତନ ସେ ପବିତ୍ର।।


ଆକାଶର ଚାନ୍ଦ ଜୋଛନା ଢାଳଇ

    ଚାହିଁ ରହିଥାଏ କଇଁ,

ପ୍ରତୀକ୍ଷାରେ ଅଛି ପ୍ରୀତି ଭାବ ପୁଣି

    ପ୍ରେମ ତ ରହିବ ଜିଇଁ।।


ଆବେଗ ଆଶ୍ଲେଷେ ପ୍ରିୟତମା ହୁଏ

   ସୁନେଲି ସପନ ରାତି,

ବିଭୋର ବସନ୍ତ ବିତାନ ବିମ୍ବିତ

   ମିଠା ଫଗୁଣର ପ୍ରୀତି।।


କଳ୍ପନା ଆକାଶେ ତାରାଫୁଲ ମେଳେ

   ଗୋଟିଏ ଚନ୍ଦ୍ରମା ହସେ,

ନିରୋଳା ଲଗ୍ନରେ ରଜନୀ ପଣତେ

   ପ୍ରିୟା ପ୍ରତିଛବି ଦିଶେ।।


ଚିନ୍ମୟ ଚୈତନ୍ୟ ପ୍ରେମରେ ଅନନ୍ୟ

   ମଧୁପ୍ରୀତି ଆଲୋଡନ,

ବିଭୋରିତ ମନ ପ୍ରତୀକ୍ଷା ଜୀବନ

   ପ୍ରୀତିରେ ଅୟୁତ ସ୍ୱପ୍ନ।।


ପ୍ରିୟା ଆପଣାର ପୂଣ୍ୟ ଜୀବନର

    ପବିତ୍ର ପ୍ରେମର ଧାର,

ପ୍ରିୟାର ସ୍ୱପ୍ନରେ ଭାବର ଇଚ୍ଛାରେ

    ପ୍ରଣୟର ପ୍ରୀତିଝର।।


ଗୁଣ ମହନୀୟ କାନ୍ତ କମନୀୟ

    ବର୍ଣ୍ଣମୟ ଆଭାଦୀପ୍ତି,

ପ୍ରିୟତମା ପରା ସୁରଭିରେ ଭରା

    ଝରାମନ ଝୁରାଗୀତି।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance