STORYMIRROR

Kananbala Das

Romance

4  

Kananbala Das

Romance

ପ୍ରତୀକ୍ଷାରେ ପ୍ରେମ

ପ୍ରତୀକ୍ଷାରେ ପ୍ରେମ

1 min
420


ପ୍ରେମ ହୃଦୟର ଆବାହନୀ ସ୍ବର

        ପ୍ରଣୟ ବତୁରା ଗୀତି,

ନିର୍ଜନ ବେଳାର ମୁକୁଳା ଛାତିରେ

        ଜୀବନର ଶ୍ରେଷ୍ଠ ପ୍ରାପ୍ତି।।


ବ୍ୟାକୁଳ ମନର ସମର୍ପଣ ପ୍ରେମ

       ପୀୟୁଷ ଝରାଇ ଦେବ,

ପୁଲକିତ ପ୍ରେମ ମୁଗ୍ଧ କାରାଗାରେ

       ବନ୍ଦୀ ହୋଇ ରହିଥିବ।।


ଅସୁମାରୀ ଆଶା ବଞ୍ଚିବାର ତୃଷା

        ପ୍ରତୀକ୍ଷା ପ୍ରେମର ଚିହ୍ନ,

ଆତ୍ମୀୟତା ଭାବ ସ୍ନିଗ୍ଧ ଅନୁରାଗ

        ପ୍ରୀତିସ୍ନାତା ମୁଗ୍ଧ ସ୍ୱପ୍ନ।।


ପ୍ରେମ ସୁଗନ୍ଧିତ ଆତ୍ମାର ମହକ

       ପ୍ରୀତିରେ କଦମ୍ବ ଫୁଟେ,

ପ୍ରେମ ପରିଭାଷା ଝୁରିବାର ନିଶା

       ପ୍ରୀତି ବାରିଧାରା ଛୁଟେ।।


ଘୁମନ୍ତ ଆଖିର ମୁଠାଏ ସପନ

        ଋତୁଟିଏ ନୂଆ ନୂଆ,

ପ୍ରେମ ସପନରେ ନିଝୁମ୍ ରାତିରେ

        ପୁଲକର ମିଠା ଛୁଆଁ।।


ପ୍ରେମ ପୀୟୁଷର ରସାଣିତ ସୁର

         ସ୍ବପ୍ନମୟ ଆକର୍ଷଣ,

ଭାବ ନିର୍ଯ୍ୟାସର ଅମୀୟ ନିର୍ଝର

        ରୋମାଞ୍ଚିତ ସମର୍ପଣ।।


ତନ୍ମୟ ଝଙ୍କାରେ ତନୁମନ ହରେ

        ନରମ ହୃଦୟ ଚୁମି,

ନୀରବତା କହେ ଗହନର କଥା

        ମନଯାଏ ଝୁମି ଝୁମି।।


ବ୍ୟାକୁଳ ପ୍ରତୀକ୍ଷା ପ୍ରେମର ପରୀକ୍ଷା

         ସଂକଳ୍ପର ଦୀପଶିଖା,

ପ୍ରେମ ଅନୁଭବ ନିଆରା ତା' ଭାବ

        ସ୍ପନ୍ଦନରେ ପ୍ରୀତି ଲେଖା।।


ପ୍ରତୀକ୍ଷା ମୁହୂର୍ତ୍ତ ବିରହରେ ସିକ୍ତ

       ପ୍ରତୀକ୍ଷାରେ ଥାଏ ପ୍ରାଣ,

ମଧୁର ଯନ୍ତ୍ରଣା ଅସ୍ଥିର ବେଦନା

       ଅବ୍ୟକ୍ତ ସେ ଶିହରଣ।।



         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance