ଭାବ ସହରରେ ପ୍ରିୟା
ଭାବ ସହରରେ ପ୍ରିୟା
ଭାବର ସହରେ ନିତି ନିତି ସଖି ତୁମ ସହ ଦେଖା ହୁଏ
ଅଭାବୀ ମନର ଦରଦୀ ବେଦନା ଲୁହ ହୋଇ ଝରିଯାଏ ।। ୧ ।।
ବୈଶାଖ ଆଣଇ ବରଷାର ତୃଷ୍ଣା, ମଧୁ ମିଳନ ଲାଳସା
କୃଷ୍ଣଚୂଡ଼ା ହସେ ମନ ପ୍ରାଙ୍ଗଣରେ ଆଙ୍କି ପ୍ରୀତି ପରିଭାଷା ॥
ଶ୍ରାବଣ ଆସିଲେ ତୁମ ସ୍ମୃତିସବୁ ଆତୁରେ ବତୁରି ଯାଏ
ଅଭାବୀ ମନର ଦରଦୀ ବେଦନା ଲୁହ ହୋଇ ଝରିଯାଏ ।। ୨ ।।
ମୌସୁମୀ ଆସନ୍ତେ ଝରିଲେ ବରଷା, ମନ ହୁଏ ଆନମନା
ବାହୁ ବନ୍ଧନରେ ନ ପାଇ ତୁମକୁ ବଢଇ ହୃଦ ବେଦନା ।। ୩ ।।
ପ୍ରେମ ବିରହରେ ହଜି ହଜି ମୁଁ ଯେ, ଲେଖଇ ପ୍ରୀତି-କବିତା
କବିତା ଛନ୍ଦରେ ଲୁଚକାଳି ଖେଳେ, ଅନ୍ତର ଭିତର ବ୍ୟଥା ॥
ତୁମ ସାନ୍ନିଧ୍ୟରେ ରହିବାକୁ ସଦା, ମନ ମୋର ଝୁରୁଥାଏ
ଭାବର ସହରେ, ନିତି ନିତି ସଖି ତୁମ ସହ ଦେଖା ହୁଏ ।। ୪ ।।
ଭାବର ସହରେ ରାଜଜେମା ତୁମେ, ପ୍ରେମର ଅଳକାନନ୍ଦା
ଗୋଲାପୀ ମନର ରଙ୍ଗୀନ ସପନ, ପ୍ରୀତିମୟୀ ପ୍ରୀତିଛନ୍ଦା ।। ୫ ।।

