ମୁଁ, ବର୍ଷା ଆଉ ଗୋଟିଏ କାହାଣୀ
ମୁଁ, ବର୍ଷା ଆଉ ଗୋଟିଏ କାହାଣୀ
ସେଦିନ ବି ବର୍ଷା ଆସିଥିଲା ,
ଚାଳ ଛପରରୁ, ଟୁପ୍ ଟାପ୍ ପାଣି ପଡୁଥିଲା ,
କୁଆଁ କୁଆଁ ଗର୍ଜନରେ ଫାଟି ପଡୁଥିଲା
ଆମର ସେ ପୁରୁଣା ଷଠୀଘର,
ହଁ , ସେଦିନ ମୁଁ ଜନ୍ମ ହୋଇଥିଲି ,
ଅନ୍ଧାର ରାତିରେ ,
ଆଶଙ୍କିତ ବନ୍ଯାର ପୂର୍ବ ସନ୍ଧ୍ଯାରେ ,
ଚପଳା ଆଲୁଅରେ,
ମାଆ ଦେଖିଥିଲା ମୋତେ ପ୍ରଥମ ଥର ,
ଆଉ, ନନ୍ଦ ଆଈ !!!
ଝୁଅ ହେଇଛି କହି ,
ନାକ ଟେଇ ଦେଇଥିଲା ଅତି ସନ୍ତର୍ପଣରେ ,
ଘଡଘଡି, ବିଜୁଳି ସାଙ୍ଗରେ ଜନ୍ମ ହେଇଥିଲି ତ !
ମାଆ ନାଁ ଦେଲା , କ୍ଷଣପ୍ରଭା ;
ସେଦିନ ଠାରୁ ,
ବର୍ଷା ସହ ମୋର ବିଶେଷ ଭାବ ବିନିମୟ ,
ମୁଁ ଦାଣ୍ଡ ପିଣ୍ଢାରେ ବସେ ,
ଘଣ୍ଟା ଘଣ୍ଟା ଧରି ବର୍ଷାକୁ ଦେଖେ ,
ମାଆ ଘରେ ନ ଥିଲେ ;
ବର୍ଷାରେ ଘେରେ ବୁଲି ଦେଇ ଆସେ ,
କାଗଜରେ ଡଙ୍ଗା ତିଆରି କରେ ,
ବର୍ଷା ପାଣିରେ ତା'କୁ ଭସେଇ ,
ମୁଁ ବି ଭାସିଯାଏ ସପନ ରାଇଜରେ ,
ଭିଜି ଭିଜି ସ୍କୁଲ ଯାଏ ,
ସେଠୁ ଛିଙ୍କି ଛିଙ୍କି ଘରକୁ ଫେରେ ,
ହଁ , ବାଟରେ ,
ବେଙ୍ଗ- ବେଙ୍ଗୁଲୀ ସହ କଥା ହୁଏ ,
ନଈ ପାଖ ତୋଟାରେ ,
ବୋହୂ-ବୋହୂକା ଖେଳେ ,
ଆମ ପଡିଶା ଘର ସୁବାଷ ,
ସେ ବର ହୁଏ , ମୁଁ ତା'ର କନିଆଁ ;
ଏମିତି ଖେଳୁ ଖେଳୁ ,
କେତେବେଳେ ଯେ,
ମୁଁ ସତ କନିଆଁ ହେବା ବୟସରେ ପହଞ୍ଚିଲି,
ସେଇଟା ତ ମୁଁ ବି ଠିକ୍ ରେ ଜାଣିନି ,
ସ୍କୁଲ ପରେ ବାପା କହିଲେ ,
ବହୁତ ପଢିଲା ପାଠ ,
ଏଥର ହାତ କୁ ଦି ହାତ କରିବାର ବେଳ,
ସେଦିନ ମୁଁ ସୁବାଷକୁ ବହୁତ ଖୋଜିଲି ,
ମନେ ମନେ କେତେ ଗାଳି ବି କଲି ,<
/p>
ପିଲାଦିନେ ତ ମୋତେ ,
ଆଉ କାହାର କନିଆଁ ହେବାକୁ ଦେଉ ନ ଥିଲା ,
ଏବେ କାହିଁ ଫେରୁନି ସୁରଟରୁ ;
କାମ ପାଇଁ ଯାଇଛି ଯେ ଯାଇଛି ,
ଆଜି ମୋର ବାହାଘର,
ଆଜି ବି ରାଜୁଛି ବର୍ଷା ,
ଝରକା ସେପଟେ ଆକାଶରୁ ଝରୁଛି ପାଣି ,
ଝରକା ଏପଟେ ଆଖିରୁ ଝରୁଛି ପାଣି ,
ଭାବୁଛି ,
କାଗଜ ଡଙ୍ଗାରେ ବସି ,
ଭାସିଯିବି , କାହିଁ କେତେଦୂର !!
ହଜିଯିବି ଦୂର ଦିଗ୍ ବଳୟରେ ,,,
ସରିଲା ମୋ ବାହାଘର,
ଗାଁ ଛାଡି ଆସିଲି ମୁଁ ସହର ,
ଏଠି ବି ବର୍ଷା ହୁଏ ,
କିନ୍ତୁ ! ବାରି ହୁଏ ନାହିଁ
ବର୍ଷାର ରୂପ, ରଙ୍ଗ, ଗନ୍ଧ , ଛନ୍ଦ ;
କାଗଜ ଡଙ୍ଗା ଆଉ ଇନ୍ଦ୍ରଧନୁ ଦେଖିବା ତ ସାତ ସପନ !!!
ଆଜି ଏଇ ସହରରେ କୃତ୍ରିମ ବନ୍ଯା ,
ତା' ସହ ତୁହା କୁ ତୁହା ବର୍ଷା ,
ଟିକେ ଥମିବାର ନାଁ ବି ଧରୁନି ;
ସିଆଡେ, ଆମ ପଡିଶା ଘର ,
ଦାଶ ବାବୁଙ୍କ ସ୍ତ୍ରୀ,
ପ୍ରସବ ବେଦନାରେ ଛଟପଟ ହେଲେଣି ,
ଲାଗୁଛି ଘରେ ହିଁ ପ୍ରସବ କରେଇବାକୁ ହେବ ,
ତାଙ୍କ ଶାଶୁ ଯେ ରାଗରେ ଜରଜର ,
ଏପଟେ ତାଙ୍କର ମାଆ, ଝିଅ ପାଇଁ ବ୍ଯତିବ୍ଯସ୍ତ,
ଏମିତିରେ ଶୁଭିଲା କୁଆଁ କୁଆଁ ରଡି ,
ଶାଶୁ ବୁଢୀ ନାକ ଟେକିଦେଲା ,
ଝିଅକୁ ଦେଖି ;
ମୋ' କୋଳକୁ ଆସିଲା କୁନି ଝିଅ
ଦାଶ ବାବୁଙ୍କ ସ୍ତ୍ରୀ ପଚାରିଲେ ,
ମ୍ୟାଡାମ୍ କ'ଣ ନାଁ ଦେବେ ,
କୁହନ୍ତୁ ତ ଆପଣଙ୍କ ଝିଆରୀ ର ;
ମୁଁ ଅଳ୍ପ ହସି କହିଲି "ବର୍ଷା"
କେବଳ ମୋର ନୁହେଁ ;
ଆମ ସମସ୍ତଙ୍କର "ବର୍ଷା" ।।