ବର୍ଷା : କିଛି ତୁମର , କିଛି ମୋର
ବର୍ଷା : କିଛି ତୁମର , କିଛି ମୋର
ତୁମ ବର୍ଷା ଆଉ ମୋ ବର୍ଷା ଭିତରେ
ପ୍ରଭେଦ ଏତିକି ,
ତୁମ ବର୍ଷା କେବଳ ବରଷିବା ପାଇଁ ଆସେ
ଭିଜେଇ ଦିଏ ସାରା ସହର ;
ବୈଶାଖରେ ଶ୍ରାବଣର ବାସ୍ନା ବୁଣେ
ବିଭୋର କରେ ଦେହ ଓ ମନ ,
ମୋ ବର୍ଷା ଆସେ
ପାଖରେ ବସେ ,
ଆଖିରେ ଥାଏ ତା' ଶତ ବିଜୁଳିର ଚପଳତା ,
ହସରେ ଶତ ଶ୍ରାବଣର ମାଦକତା ,
ସେ କେବଳ ବରଷେ ନାହିଁ,
ଭିଜେ , ଭିଜାଏ ;
ପରାହତ ପ୍ରାଣରେ
ସଂଚାର କରିପାରେ ନବ ଜୀବନର ପୁଲକ ,
ବୈଶାଖ ଭିତରେ ସେ କଳିପାରେ ବସନ୍ତର ମହକ
ସେ ରାଗେ , ରୁଷେ
ପୁଣି ଅଭିମାନରେ ମୁହଁ ଫୁଲେଇ ବସେ ,
ତା' କଥା ମାନିବାକୁ ହୁଏ ,
ତା'କୁ ଟିକେ ମନେଇବାକୁ ହୁଏ ।
ସେ ହସେ ଖୋଲା ଆକାଶ ତଳେ ;
ନାଚିଯାଏ ସଙ୍ଗୀତର ସାତ ସୁରେ
ଠିକ୍ ଦୂର ଦିଗନ୍ତର ଗୋଲ୍ ଜହ୍ନ ପରି
ଛାପି ହୋଇଯାଏ ମନ କାଗଜରେ ।
ସେ ବୋଧ ହୁଏ କିଛି ତୁମର
ଆଉ କିଛି ମୋର ,
ଠିକ୍ ଆମ ପ୍ରେମର ରଙ୍ଗ ପରି
ସେ ବି ହସେ ଇନ୍ଦ୍ରଧନୁର ସାତ ରଙ୍ଗ ନେଇ,
ଠିକ୍ ଆମ ପରି ,
ଆମକୁ ଦେଖେ
ପାଖକୁ ଆସେ ,
ଟିକେ ବୋକ ଦେଇ ଗାଲରେ
ଚାଲିଯାଏ ଦୂରକୁ , ବହୁତ ଦୂରକୁ
ଆଉ ପଛରେ ଛାଡିଯାଏ ,
ଅପେକ୍ଷା ,,,
କେବଳ ଅପେକ୍ଷା ,,,
ଆଉ ଗୋଟାଏ ବର୍ଷର ,
ଆଉ ଗୋଟାଏ ଶ୍ରାବଣର ।
