ଗରିବ ସୁଦାମାଙ୍କ କୃଷ୍ଣ ପ୍ରେମ
ଗରିବ ସୁଦାମାଙ୍କ କୃଷ୍ଣ ପ୍ରେମ
ବାଲ୍ୟକାଳେ ଅନ୍ତରଙ୍ଗ ପ୍ରଭୁ ପ୍ରୀତି ଭାବ
ଚିର ଦିନ ସାଇତିଲେ କୋଟି ପୁଣ୍ୟ ଲାଭ ।
ବନ୍ଧୁ ମଧ୍ୟେ ରୁହେ ନାହିଁ ଗରିବ ପ୍ରାଚୀର
ସେନେହ ପୁଟୁଳି ତାର ହୀରା ଲୀଳା ହାର
ଏପରି ଏକ ଦୃଷ୍ଟାନ୍ତ ସୁଦାମା ଚରିତ୍ର
ଧୂଳି ଖେଳ ସାଥି ପ୍ରତି ଝୁରେ ଦିବା ରାତ୍ର ।
କଂସ ବଧ ପରେ କୃଷ୍ଣ ସଖା ପ୍ରେମ ତ୍ୟାଗୀ
ଦ୍ଵାରିକାକୁ ଆଦରିଲେ ଭକ୍ତ ଅନୁରାଗୀ ।
ଅନେକ ସଖାର ମଧ୍ୟେ ସୁଦାମର ମନ
ଗରିବର ତାଳେ ଥାଇ ଖୋଜେ ରାତି ଦିନ
ମନ ତଳ କଥା ଦିନେ ପତ୍ନୀଙ୍କ ଆଗରେ
ବିସ୍ତାରିଣ ପ୍ରକାଶିଲେ ଅତ୍ୟନ୍ତ ସୁଖରେ ।
କାହିଁ ପାଇଁ କୃଷ୍ଣ କଥା ଭାରି ମନେ ପଡେ
ମିଳନ ପାଇଁକି ସତେ ପ୍ରାଣ ରଡ଼ି ଛାଡେ ।
ପରନ୍ତୁ କୃଷ୍ଣ ଯେ ଆଜି ଦ୍ଵାରିକାର ରାଜା
ତାହାଙ୍କ ସମ୍ମୁଖେ ମୁହିଁ ସାଧାରଣ ପ୍ରଜା ।
ପଥ ଘାଟ କିଛି ମୋତେ ଜଣା ନାହିଁ ପ୍ରିୟେ
କିପରି ଯିବି ସେଠାକୁ ଚିନ୍ତଇ ହୃଦୟେ ।
ସମସ୍ୟାର ସମାଧାନ ପତ୍ନୀ କରେ ବସି
କାଲି ପ୍ରଭାତେ ଭାବିବ ଆଜି ପାହୁ ନିଶି ।
ଶୁନ୍ୟ ହାତେ ଯିବ ନାହିଁ କେବେ ବନ୍ଧୁ ଦ୍ଵାର
ଚୁଡ଼ା ମୁଢ଼ି ବାନ୍ଧି ଦେବି କୃଷ୍ଣ ପାଇଁ ଭାର ।
ସୁଦାମା ପତ୍ନୀର ନେତ୍ରେ ନିଦ୍ରା ଆସେ ନାହିଁ
ପ୍ରଭାତେ ଉଠିଣ ଖୁଦ ଭୁଜା ବାନ୍ଧୁ ଥାଇ ।
ଚକିତ ହୋଇ ସୁଦାମା ଆଦରେ ଧରିଲେ
ଶ୍ରୀକୃଷ୍ଣ ସମୀପେ ଯିବା ପାଇଁ ସ୍ଥିର କଲେ
ଚିନ୍ତାମଣି ସବୁ ଜାଣି କଢାଇଲେ ବାଟ
କେବେ ନାଉରୀ ସାଜିଲେ କେବେ ଯେ ପଥିକ ।
କୃଷ୍ଣ ସୁଦାମାଙ୍କ ଭେଟ ଅପୂର୍ବ ମିଳନ
ମଳିନ ପଡ଼ିଲା ଦେଖି ଦୁଃଖ କ୍ଲେଶ ମନ ।
ଆଲିଙ୍ଗନ କରି ଦେଲେ ଉଚ୍ଚ ସନମାନ
ଆନନ୍ଦେ ଦେବତା କଲେ କୁସୁମ ବର୍ଷଣ ।
ନାହିଁ ଏଠି ଅହଂକାର ଗର୍ବ ଆଭୂଷଣ
ଏମନ୍ତ ସମୟେ କୃଷ୍ଣ ବୋଲନ୍ତି ବଚନ ।
କୁହ ବନ୍ଧୁ ତୁମର ତ କୁଶଳ ବାରତା
ମୋ ଲାଗି ଆଣିଛ କିସ ନମିଳଇ ପତ୍ତା ।
ଲଜ୍ୟା ପାଇ ଲୁଚୁକାଳି ଖେଳିଲେ ସୁଦାମା
ମୁଁ ନିସ୍ଵ ଦରିଦ୍ର ପୁଣି ଶୁନ୍ୟ ହାତ ସିନା ।
କିଛି କ୍ଷଣ ମଜା ଖୁସି କଲେ ଦୁଇ ସାଥି
ଖୁଦ ଭୁଜା ଧରା ପଡେ କୃଷ୍ଣ ଦେଲେ ହସି ।
କାହିଁ ପାଇଁ ମିତ ମୋତେ ବୋଲୁ ଅଛ ମିଛ
ସୁଦାମା ବୋଲଇ ବନ୍ଧୁ ତୁମ ପାଇଁ ତୁଛ ।
କହ୍ନେଇ ବୋଲନ୍ତି ସାଥି ତୁମେ କି ଭୂଲିଲ
ଘୋର ବିପିନରେ ମୋର ନିଘା ରଖୁ ଥିଲ ।
ଧେନୁ ପଛେ ପଛେ ଧାଇଁ ଯେବେ ପଡେ ଥକି
ସର୍ବ ପ୍ରଥମରେ ତୁମେ ହେଉ ଥିଲ ଦୁଃଖି ।
ଦୁଇ ଭାଗ କରି ଖାଦ୍ୟ କରିଛେ ଭୋଜନ
ନବୁଝିଲେ ଉଚ୍ଛିଷ୍ଟ କି କଷାୟ ରନ୍ଧନ ।
ସେହି ବନ୍ଧୁ ତୁମେ ମୋର ଆଜି ପାଅ ଲଜ୍ୟା
କୃଷ୍ଣ ସେହି ରୂପେ ଅଛି ମୁଁ ନୁହେଁ ଯେ ରାଜା ।
ଗରିବର ମନ ସଦା ଥାଏ ପରିଷ୍କୃତ
ଭକ୍ତି ପୁତେ ଧୌତ ହୋଇ ଦିଶଇ ପବିତ୍ର ।
କପଟ ଛଳନା ଯେତେ ସାଥି ପାଇଁ ତ୍ୟକ୍ତ
ଦରିଦ୍ରର ନାଥ ମୁହିଁ ନନ୍ଦ ରାଜା ସୁତ ।
ପବିତ୍ର କଥନ ଏହି ଗରିବର ଭକ୍ତି
ପ୍ରଭାତୀକୁ କ୍ଷମା ଦେବେ ଶୁଣି ଏ ଭାରତୀ ।