STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବଦଳି ଯାଇଛି ଗାଆଁ ପରିବେଶ

ବଦଳି ଯାଇଛି ଗାଆଁ ପରିବେଶ

2 mins
327



ଭୌଗଳିକ ମାନଚିତ୍ରରେ ତଥାପି

ଅଛି ଚିତ୍ର ମୋ ଗାଆଁର 

ନାହିଁ ଆଉ ପୂର୍ବ ମାଟି-କାଦ ରାସ୍ତା

ଲାଗି ଲାଗି ଥିବା ଘର

ଯେତେ ପୁଅ ସେତେ ଘର ଧାରେ ପୁଣି

ପ୍ରାୟତଃ ବିଲୋପ ସାହି 

ରାସ୍ତା କଡ ଜମି ବାସ ଉପଯୋଗୀ 

ସବୁ ବିପରୀତ ତହିଁ

ଗାଆଁ ମୁଣ୍ଡିଆ ର ସେ' ମଶାଣି ଭୂଇଁ

ସ୍ଵର୍ଗଦ୍ଵାର ନାମ ବହି

ଅନ୍ଧାର ଦୂରେଇ ଯାଇଛି ସହଜେ

ଆଲୋକ ଧାରେ ସଜେଇ

ବଦଳି ଯାଇଛି ଗ୍ରାମ୍ୟ ପରିବେଶ

ଜୀବନ ଜୀବିକା ଶୈଳୀ

ସିଂଘାଣି-ନାକି ସେ ଗାଆଁ ଝିଅ ଲାଜ

ଆଉ ନାହିଁ ପୂର୍ବ ଭଳି

ପଡ଼ିଆରେ ଗୁଡ଼ି ଉଡେଇବା ଦୃଶ୍ୟ

ହେଉନି ଦୃଷ୍ଟି ଗୋଚର

ଘଣ୍ଟା ଘଣ୍ଟା ବୁଡ଼ି ପୋଖରୀ ଗାଧୁଆ

ବିରଳ ସେଇ ଦୃଶ୍ୟର

ପ୍ରାୟ ବିଲ ବଣ ପୋଖରୀ ପଡିଆ

ଶୂନ୍ୟତା ବାତାବରଣ

ପୂର୍ବ ପରି ନାହିଁ ସେହି ନିତ୍ୟକର୍ମ 

ଖୋଲା ଜାଗା ବି ବାରଣ

ଗାଈ ବଳଦ ଓ ଗୁହାଳ ଘରର

ନାହିଁ ଆଉ ଚିହ୍ନ ବର୍ଣ୍ଣ 

ଅମଳ ସମୟେ ବିଲ-ମାଳେ ଖଳା

ହେଉ ନାହିଁ ଦୃଶ୍ୟମାନ

ମାଟି-କାଦ ଧାରେ ଗଡି ଯାଉଥିଲା

ସେ କାଳ ଶଗଡ଼ ଗାଡ଼ି

ଗାଆଁ ରାସ୍ତା ଆଜି କଂକ୍ରିଟ ନିର୍ମିତ

ଯନ୍ତ୍ର ଯାନ ଗୋଡା-ଗୋଡ଼ି

ଗାଆଁ ମୁଣ୍ଡେ ବର ଓହଳ ଝୁଲୁଛି

ଆଉ ଦୋଳି ଖେଳ ନାହିଁ 

ରଜ ଦୋଳି ଖେଳ ରଜ ପାନ ଖିଆ

ସବୁ ଯାଇଛି ଉଭେଇ

ମିଛ ବୋହୂ ବେଶ ବାଲି ଖେଳ ଧାରେ

ସେ ଦୃଶ୍ୟ ପ୍ରାୟ ବିରଳ

ବୋହୂ ଚୋରି ଅବା କବାଡି ଖେଳର

ନାହିଁ ସେହି କୋଳାହଳ

କାଉ ଓ କୁକୁଡ଼ା ଡାକ ଦେଲା ପରେ

ଜଣା ହୁଅଇ ସକାଳ 

କିଚିରି-ମିଚିରି ପକ୍ଷୀ କଳରବ 

କ୍ରମେ ହୋଇଛି ବିରଳ

ଗୋଧୂଳି ଲଗନେ ଉଡୁ ନାହିଁ ଧୂଳି

ନାହିଁ ପ୍ରାୟ ଗାଈ ଗୋଠ

ହଳ-ଲଙ୍ଗଳ ର ନାହିଁ ବ୍ୟବହାର

ଚାଷୀ ବି ନୁହେଁ କର୍ମଠ<

/p>

କୁଳ ଭୁଆସୁଣୀ ପୋଖରୀ କୂଳରେ

ଖୋଜୁନି ଘଷା ପଥର

ପାହାନ୍ତି ପହରୁ ନୂଆ ବୋହୂ ଭିଡ

ହେଉନି ଦୃଷ୍ଟି ଗୋଚର

ପରମ୍ପରା ରୀତି ନୀତି ସବୁ କିଛି

ବଦଳି ଯାଇଛି ଧୀରେ

ଢ଼ିଙ୍କି ଶିଳ ଅବା ଘୋରଣା-ବାଟଣା

ନାହିଁ ଆଉ କାହା ଘରେ

ପାଲା ,ଦାସ କାଠି,ଲୋକ ନୃତ୍ୟ ପ୍ରାୟ 

ହେଉନି ପରିବେଷଣ

ରେଡ଼ିଓ ଶବଦ ଶୁଭୁ ନାହିଁ ପୁଣି

ନାହିଁ ତା'ର ଚିହ୍ନ ବର୍ଣ୍ଣ 

ଭାଗବତ ଟୁଙ୍ଗି ଅବଶ୍ୟ ରହିଛି

କେବଳ ନାମକୁ ମାତ୍ର

ପୁରାଣ ରହିଛି ମୁଦ୍ରିତ ମୁଦ୍ରାରେ

ବକ୍ତା ଶ୍ରୋତା ବି ଅନ୍ୟତ୍ର

ପର୍ବ ପର୍ବାଣୀ ର ଆନନ୍ଦ ଉତ୍ସବ

ନାହିଁ ଆଉ ପୂର୍ବ ପରି

ନାନା ରକମର ସୁଆଦିଆ ପିଠା 

ଘରେ ହେଉନି ତିଆରି

ଏନ୍ତୁଡ଼ି ଶାଳ ଓ ଷଠି ଘର କ'ଣ

ପଚାରୁଛି ନୂଆ ବୋହୂ

ଲାଜ ଓ ସରମ ପୁରୁଣା ପ୍ରବାଦ

ସେ ସବୁ ନାହିଁ ତ ଆଉ !!

ଘରୁ ବାହାରିଲେ ସ୍କୁଟି ଦରକାର

ମୋବାଇଲ୍ ବି ସାଥିରେ

ଛୋଟ ହେଉ ଅବା ବୟସ୍କ ସଭିଏଁ

ମୋବାଇଲ୍ ର ପ୍ରେମରେ

ବିଦ୍ୟୁତ୍ ଓ ଜଳ ଯୋଗାଣ ସୁବିଧା

ପ୍ରାୟତଃ ହାତ ପାଆନ୍ତା 

ନୂତନ ସୁବିଧା ହୋଇଛି ଅବଶ୍ୟ

ନାହିଁ ପୂର୍ବ ସରଳତା 

ଲୋପ ପ୍ରାୟ ଗାଆଁ ନୀତି ପରମ୍ପରା

ବିକାଶର ଆଢ଼ୁଆଳେ 

ଆଧୁନିକତାର ଛାପ ପ୍ରାୟ ସ୍ପଷ୍ଟ

ସଞ୍ଜ ହେଉ ବା ସକାଳେ

ସେଇ ଗାଁ ମଣିଷ ମନର ଭାବନା

କ୍ରମେ ଯାଇଛି ବଦଳି

ଆନ୍ତରିକତା ବା ମାନବିକତାର

ଭାବ ଯାଇଛି ଝାଉଁଳି

ମା, ମାଟି,ଗାଁ,ଭାବ,ସ୍ନେହ,ପ୍ରେମ ଧାରେ

ଭାବନା ମୋ ଅନାବନା

ସବୁ କିଛି ଆଜି ସ୍ବପ୍ନ ପରି ଲାଗେ

ସମୟର ବିଡମ୍ବନା  

ଗାଆଁ ପରିବେଶ ବଦଳି ଯାଇଛି 

ସ୍ମୃତି ରହିଛି କେବଳ

ଜନ୍ମ ମାଟି ପ୍ରତି ମୋହ ରହି ଅଛି

ରହିଥିବ ଚିରକାଳ



Rate this content
Log in

Similar oriya poem from Abstract