STORYMIRROR

Bidyadhar Mantry

Abstract

4  

Bidyadhar Mantry

Abstract

ଏଣ୍ଟୁଡ଼ି ରୁ ଜୁଇ

ଏଣ୍ଟୁଡ଼ି ରୁ ଜୁଇ

2 mins
2

ପାଦ ଥାପିବାର ପରେ, ଏଇ ଦୁନିଆଁ ବୁକୁରେ
କିଏ ବା କହି ପାରିବ,ସ୍ଥିତି ଥିଲା କି ପ୍ରକାରେ !!
ପ୍ରତିଧ୍ୱନୀ ଶୁଣାଇଲା,ସହଜେ ଥିଲୁ ଛାନିଆ
ଆସିଥିଲୁ ଯେବେ ତୁହି,ଜଳିଲା ଏନ୍ତୁଡ଼ି ନିଆଁ

ମାତୃ ଗର୍ଭରେ ତୋ ପ୍ରାଣ,ଯେବେ ହୋଇଲା ସଞ୍ଚାର
ମାତୃ ଜରାୟୁ ଜଠରେ ,ବିକାଶ ହେଲା ଶରୀର 
ମାତୃ ଗର୍ଭେ ଥାଇ ଥିଲା, ପ୍ରାର୍ଥନା ମୁକ୍ତି ନିମନ୍ତେ
ନିରନ୍ତର ପ୍ରାର୍ଥନାର, ଫଳ ମିଳିଲା ତ୍ୱରୀତେ 

ମର୍ତ୍ତ୍ୟ ମଣ୍ଡଳରେ ପାଦ ଥାପି ହେଲା ପରେ ପରେ
ଭୁଲି ହେଲା ସବୁ କିଛି,କୁଆଁ କୁଆଁ ଡାକ ଧାରେ
ଏନ୍ତୁଡି ଜଳିଲା ପରେ,କ୍ରମେ ଘରେ କୋଳାହଳ 
ନୂଆଁ ଅତିଥି ଆସିଲା,ସାଥେ ଖୁସିର କଲ୍ଲୋଳ

ପରିବାର ପରିଜନ ,ପାଳିଲେ ଜନ୍ମ ଉତ୍ସବ
କୁଳ ରକ୍ଷାକାରୀ ଭାବେ,ହେଲା ଗର୍ବ ଅନୁଭବ
ଜହ୍ନ ମାମୁଁ ଦେଖା ହେଲା,ଥାଇ ମାଆର କୋଳରେ
ହାମ୍ବୁଡ଼ିବା ଓ ଚାଲିବା ,ଆପେ ପର ମୁହୂର୍ତ୍ତରେ 

ଲାଳନ ପାଳନ କ୍ରମେ, ଦୀର୍ଘ ପାଞ୍ଚ ବର୍ଷ ଧରି
ପରେ ପରେ ବିଦ୍ୟାଳୟ ,ଶିକ୍ଷା ବିଧି ସର୍ବୋପରି 
ସାଙ୍ଗ ସାଥିରେ ବିତିଲା ,ହସ ଖୁସିରେ ଜୀବନ
ଚାହୁଁ ଚାହୁଁ ବିତିଗଲା, ଶିକ୍ଷା ଦୀକ୍ଷାର ସୋପାନ

ଜୀବିକା ନିର୍ବାହ ପନ୍ଥା ,କ୍ରମେ ହେଲା ନିରୂପଣ
ରୋଜଗାର କ୍ଷମ ଜାଣି,ବିବାହର ଆୟୋଜନ 
ଜଞ୍ଜାଳ-ମୟ ଜୀବନ ,ପୁଣି ସଂଘର୍ଷ ସହିତ
ବଞ୍ଚିବାର ସ୍ଵାଦ ନାହିଁ ,ଆପେ ହୁଏ ଅବଗତ

ଜୀବନ ନାଟକ ସମ, ସୁଖ ଦୁଃଖ ଅଛି ଭରି
ତେଲ ଲୁଣର ସଂସାର ,ସହଜେ ଲାଗୁଛି ଭାରୀ।
ପ୍ରଭୁ ନାମ ଭୂଲି ଗଲୁ,ସଂସାର ମାୟା ମୋହରେ
ଅମୂଲ୍ୟ ଜୀବନ ରତ, ବିଷୟା ରସ ରାସ ରେ

ଶେଷ ଦୃଶ୍ୟ ବାକି ଅଛି,ମାତ୍ର ମଶାଣି ଭୂଇଁ ରେ
ଜଳିବ ଶେଷ ତୋ ଯୁଇ ,ସରିବ ଖେଳ ମର୍ତ୍ତ୍ୟରେ
ଆସିଲା ବେଳରେ ଖୁସି,ଖୁସିର ଏନ୍ତୁଡି ନିଆଁ
ଖୁସି ଥିଲେ ପରିବାର, ଡାକ ଶୁଣି କୁଆଁ କୁଆଁ 

ମଶାଣିରେ ଶେଷ ନିଆଁ ,ଚର୍ଚ୍ଚା ହେବ କିଛି ଦିନ
ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ,ଭଲ ମନ୍ଦ ପାପ ପୁଣ୍ୟ,
ଜୀବନରେ ଭଲ କର୍ମ,ରହିବ ଯଶ ଆକାରେ
ଦୁନିଆଁ ଦୁଇ ନିଆଁର, ଯଥାର୍ଥତା ସହିତରେ

ଏନ୍ତୁଡ଼ି ନିଆଁର ସତ୍ତା, ଯାଇଛି ହଜି ସହଜେ
ଆଧୁନିକା ନୂଆ ବୋହୁ,ଏନ୍ତୁଡ଼ି ର ସଜ୍ଞା ଖୋଜେ
ଗୁଗୁଲ୍ ରେ ସଂଜ୍ଞା ଖୋଜି, ମନ ପ୍ରାୟତଃ ବିଷର୍ଣ୍ଣ
କବିତା ପୃଷ୍ଠାରେ ଦେଖି,ହୃଦୟେ ଜିଜ୍ଞାସା ପୂର୍ଣ୍ଣ

ଇଂରାଜୀ ମାଧ୍ୟମ ଥାଇ, ବିଦ୍ୟାର୍ଥୀ ମୁଖେ ଜିଜ୍ଞାସା
ଏନ୍ତୁଡି ପ୍ରତି ଚଳନ୍ତି,ଅଛି କି ଆଶା ଭରସା !!!
ଶ୍ରୁତି ମଧୁର କେବଳ,ଏନ୍ତୁଡ଼ି ନିଆଁ ପ୍ରାୟତଃ
ପରିବର୍ତ୍ତନ ଧାରାରେ,ଏନ୍ତୁଡ଼ି ର ସ୍ଥିତି ସୁପ୍ତ 

ଦୁନିଆଁ ଦୁଇ ନିଆଁର,ପ୍ରବାଦ ଲୋକ ମୁଖରେ
ଏନ୍ତୁଡ଼ି ଓ ଜୁଇ ନିଆଁ, ଜନ୍ମ ଓ ମରଣ ଧାରେ
ପରିବର୍ତ୍ତନ ପଥରେ,ବିଧି ବିଧାନ ସଂସ୍କାର
ମାଆ ମାଟି ଏକା ସାକ୍ଷୀ, ସେଇ ଦୁଇଟି ନିଆଁର 

କବିତା ପୃଷ୍ଠାରେ କିମ୍ପା,ଏନ୍ତୁଡ଼ିର ପରିଭାଷା
ପ୍ରତିଧ୍ୱନୀ କହେ ପୁଣି,ଏନ୍ତୁଡ଼ି ବି ଲୋକହସା
ଏନ୍ତୁଡ଼ି ନିଆଁ ଯଦିଓ, ଆଉ ଜଳା ଯାଉନାହିଁ
 ଜଳିବ ଜୁଇର ନିଆଁ ,ତିଳେ ବି ସନ୍ଦେହ ନାହିଁ


Rate this content
Log in

Similar oriya poem from Abstract